ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଅସ୍ତ ଗଲେ ଗଞ୍ଜାମର ‘ଆନ୍ନା’, ଆଜି ଦିଗପହଣ୍ଡିରେ ଶେଷକୃତ୍ୟ

ବ୍ରହ୍ମପୁର/ଭୁବନେଶ୍ୱର,୦୩/୦୯: ଅସ୍ତ ଗଲେ ଗଞ୍ଜାମ ଜିଲ୍ଲାର ‘ଆନ୍ନା’ । ପୂର୍ବତନ ବାଚସ୍ପତି, ବରିଷ୍ଠ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଉ ନାହାନ୍ତି । ଶନିବାର ସନ୍ଧ୍ୟା ୭ଟା ୩୧ରେ ଭୁବନେଶ୍ୱରସ୍ଥିତ ସମ୍‌ ଅଲ୍ଟିମେଟ ମେଡିକେୟାର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ବର୍ଷ ଧରି ମଧୁମେହ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ଶନିବାର ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । 

ତାଙ୍କ ପରଲୋକ ଖବରରେ ରାଜ୍ୟବ୍ୟାପୀ ଶୋକ ପ୍ରକାଶ ପାଇଛି । ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏ ନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।  

କାଉନସିଲରରୁ ବାଚସ୍ପତି ଆସନ ପର୍ଯ୍ୟନ୍ତ ଲମ୍ବା ରାଜନୈତିକ ଯାତ୍ରାରେ ଶ୍ରୀ ପାତ୍ର ସାରା ଓଡ଼ିଶାରେ ପରିଚିତ ଚେହେରା ଥିଲେ । ଲଗାତାର ୭ ଥର ବିଧାୟକ ହେବା ସହ ୧୫ ବର୍ଷ କାଳ ସେ ମନ୍ତ୍ରୀ ପଦରେ ଥିଲେ । ମୋହନାରୁ ୪ ଥର, ଦିଗପହଣ୍ଡିରୁ ୩ଥର ସେ ବିଧାୟକ ହୋଇଥିଲେ । 

୧୯୯୦ରୁ ଆରମ୍ଭ ହୋଇଥିବା ତାଙ୍କର ବିଧାନସଭା ଯାତ୍ରା ଅପରାଜେୟ ଥିଲା । ବିଜୁ ପଟ୍ଟନାୟକଙ୍କ ସରକାରରେ ସେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । ନବୀନ ପଟ୍ଟନାୟକଙ୍କ ସରକାରରେ ୨୦୦୨ରୁ ୨୦୧୯ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସେ ଶକ୍ତି, ପରିବେଶ, ବିଜ୍ଞାନ ଓ କାରିଗରୀ, ପର୍ଯ୍ୟଟନ, ସଂସ୍କୃତି, ସୂଚନା ଓ ଲୋକ ସମ୍ପର୍କ, ରାଜସ୍ୱ, ଯୋଗାଣ ଓ ସମବାୟ ବିଭାଗର କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ । 

ଗଞ୍ଜାମ ଜିଲ୍ଲାରେ ଶ୍ରୀ ପାତ୍ର ଦଳମତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟ ଥିଲେ । ଏପରିକି  ବିଭିନ୍ନ ସମୟରେ ସେ ପଲିଟିକାଲ୍‌ କ୍ରାଇସିସ୍‌ ମ୍ୟାନେଜମେଣ୍ଟରେ ଧୂରୀଣ ଥିଲେ । ଜନତା ଦଳ ସମୟରେ ମିଳିତ ରାଜନୈତିକ ଆନ୍ଦୋଳନରେ ସେ ନେତୃତ୍ୱ ନେଇଥିଲେ । ବିଜୁ ପଟ୍ଟନାୟକଙ୍କ ସେ ଜଣେ ଅନ୍ତରଙ୍ଗ ସହକର୍ମୀ ଭାବେ ପରିଚିତ ଥିଲେ । ପରେ ନବୀନ ପଟ୍ଟନାୟକଙ୍କ ମଧ୍ୟ ବିଶ୍ୱସ୍ତ ଥିଲେ । ୨୦୨୨ ଏପ୍ରିଲରେ ତାଙ୍କର ଶେଷ ଦିଗପହଣ୍ଡି ଗସ୍ତ ଥିଲା ।  ତାଙ୍କର ମୃତ୍ୟୁରେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ସମେତ, ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲା ସ୍ତବ୍ଧ ହୋଇଯାଇଛି । ଶେଷ ଦର୍ଶନ ପାଇଁ ଜିଲ୍ଲାର ବହୁ ବିଜେଡି ନେତା କର୍ମୀ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । 

ଶ୍ରୀ ପାତ୍ରଙ୍କ ମୃତ୍ୟୁ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିଥିଲେ । ମରଶରୀରକୁ ତାଙ୍କ ଭୁବନେଶ୍ୱର ଆଇଆରସିସ୍ଥିତ ବାସଭବନକୁ ନିଆଯିବା ପରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ରାଜ୍ୟର ବହୁ ବିଶିଷ୍ଟ ରାଜନେତା ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । 

୧୯୭୯ରେ ପ୍ରଥମେ ବ୍ରହ୍ମପୁର ପୌର ପରିଷଦର କାଉନସିଲର ନିର୍ବାଚିତ ହେବା ପରେ ତାଙ୍କର ନିର୍ବାଚନ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ତା’ପରେ ୧୯୮୪ରେ ଜନତା ପାର୍ଟି ଓ ୧୯୮୯ରେ ଜନତା ଦଳ ଟିକେଟରେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପରେ ୧୯୯୦ ମସିହାରୁ ସେ ଲଗ।।ତର ୭ ଥର ବିଧାନସଭାକୁ ନିର୍ବାଚିତ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ । ୧୯୯୦ରେ ପ୍ରଥମେ ମୋହନା ଆସନରୁ ଜନତା ଦଳ ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ୧୯୯୫ ଓ ୨୦୦୪ରେ ମୋହନା ଆସନରୁ ନିର୍ବାଚିତ ହୋଇଥିଲେ । ସେତେବେଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନ ଅନ୍ତର୍ଭୁକ୍ତ ଥିଲା । ୨୦୦୯ରେ ବିଧାନସଭା ଆସନ ସୀମା ପୁନଃ ନିର୍ଦ୍ଧାରଣ ହୋଇ ଦିଗପହଣ୍ଡି ବିଧାନସଭା ଆସନ ଗଠନ ହେବା ପରେ ଶ୍ରୀ ପାତ୍ର ଏଠାରୁ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ବିଧାୟକ ହୋଇଥିଲେ । 

ବ୍ରହ୍ମପୁରରେ ୧୯୪୮ ମସିହା ଡିସେମ୍ବର ୨୪ରେ ତାଙ୍କର ଜନ୍ମ । ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ଗାନ୍ଧି ନଗର ତାଙ୍କ ଘର । ବାପା ପି. କାଶି ପାତ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ । ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନ ଓ ଆଇନରେ ସ୍ନାତକ ଡିଗ୍ରୀ । ସୂର୍ଯ୍ୟ ପାତ୍ରଙ୍କ ଛାତ୍ର ଅବସ୍ଥାରୁ ରାଜନୀତି ପ୍ରତି ରୁଚି ଥିଲା । ଖଲ୍ଲିକୋଟ କଲେଜରେ ପଢ଼ିବା ସମୟରୁ ୧୯୬୫ରେ ଛାତ୍ର ଆନ୍ଦୋଳନ, ଭାଷା ଆନ୍ଦୋଳନରେ ଜଡ଼ିତ ହୋଇ ନିଜସ୍ୱ ପରିଚୟ ସୃଷ୍ଟି କରିଥିଲେ । ବ୍ରହ୍ମପୁରରେ କିଛି ଦିନ ସେ ଓକିଲାତି କରିଥିଲେ । ପତ୍ନୀ ରାଜଶ୍ରୀ ପାତ୍ର, ଦୁଇ ପୁଅ ବିପ୍ଲବ ଓ ସଂଗ୍ରାମ ଏବଂ ଝିଅ ସ୍ୱାଧୀନା ପାତ୍ର। ସାନ ପୁଅ ଡାକ୍ତର ଓ ବଡ଼ପୁଅ ଏବେ ରାଜନୀତିରେ । 

ରବିବାର ସକାଳ ପ୍ରାୟ ସାଢ଼େ ୯ଟାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ପାତ୍ରଙ୍କ ଭୁବନେଶ୍ୱରସ୍ଥିତ ବାସବଭନକୁ ଯାଇ ଶେଷ ଦର୍ଶନ କରିବେ ବୋଲି ଜଣାପଡ଼ିଛି । ଏହାପରେ ମରଶରୀରକୁ ବିଧାନସଭା ଅଭିମୁଖେ ନିଆଯିବ । ସେଠାରୁ ଶଙ୍ଖ ଭବନ ନିଆଯିବ । ଏହି ବରିଷ୍ଠ ରାଜନେତାଙ୍କୁ ରାଜଧାନୀ ଶେଷ ବିଦାୟ ଜଣାଇବା ପରେ ମରଶରୀରକୁ ତାଙ୍କ ପୈତୃକ ଭୂମି ଦିଗପହଣ୍ଡିକୁ ନିଆଯିବ । ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.