ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବିପଦରେ ଗଜରାଜ, ବର୍ଷକରେ ମରୁଛନ୍ତି ୮୧ ହାତୀ

Published By : Prameya | February 19, 2025 11:22 AM

ଭୁବନେଶ୍ୱର, ୧୯/୦୨ : ବିପଦରେ ଗଜରାଜ। ଶିକାର, ବିଦ୍ୟୁତ ଆଘାତ, ରେଳ ଓ ସଡ଼କ ଦୁର୍ଘଟଣା, ବିଭିନ୍ନ ରୋଗ, ଲୋକଙ୍କ ପ୍ରତିଶୋଧ ମନୋଭାବ, ପରସ୍ପର ଭିତରେ କଳହ, ପାହାଡ଼ରୁ ପଡ଼ିବା, ବୟସାଧିକ ଇତ୍ୟାଦି କାରଣ ଯୋଗୁଁ ଯାଉଛି ହାତୀଙ୍କ ଜୀବନ। ବର୍ଷକରେ ମରୁଛନ୍ତି ୮୧ ହାତୀ। ଏହାକୁ ସ୍ଵୀକାର କରୁଛନ୍ତି ଖୋଦ୍ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। 

ଓଡ଼ିଶାରେ ଏବେ ୨୧୦୩ଟି ହାତୀ ଅଛନ୍ତି। ବର୍ଷକରେ ହାରାହାରି ୮୧ଟି ହାତୀଙ୍କର ମୃତ୍ୟୁ ଘଟୁଛି। ହାତୀ-ମଣିଷ ସଂଘର୍ଷ ରୋକିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଫସଲହାନି ରୋକିବା ପାଇଁ ଉପଦ୍ରବ ପ୍ରବଣ ଗାଁରେ ଜନ ସୁରକ୍ଷା ଓ ଗଜ ରକ୍ଷା ନାମରେ ଯୋଜନା ପ୍ରଣୟନ କରାଯାଇଛି । ହାତୀ ଉପଦ୍ରବରୁ ରକ୍ଷା ପାଇଁ ସୌର ତାରବାଡ଼ ଘେରାଯାଉଛି । ହାତୀ ଉପଦ୍ରବଜନିତ କ୍ଷୟକ୍ଷତି ପାଇଁ ଅନୁକମ୍ପା ରାଶି ପ୍ରଦାନ ପାଇଁ ‘ଅନୁକମ୍ପା’ ପୋର୍ଟାଲ ପ୍ରଚଳନ କରାଯାଇଛି । ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ଦ୍ୱାରା କ୍ଷୟକ୍ଷତି ନେଇ ଅନୁକମ୍ପା ଆପ୍‌ ମାଧ୍ୟମରେ ୨୦୨୪- ୨୫ ବର୍ଷରେ ୧ ଲକ୍ଷ ୫ ହଜାର ୫୯୬ ମାମଲା ପଞ୍ଜୀକୃତ ହୋଇଛି । ଜୀବନହାନି ଓ ସମ୍ପତ୍ତି କ୍ଷୟକ୍ଷତି ପାଇଁ ୬୯ ହଜାର ୭୪୯ ଜଣ ପୀଡ଼ିତ ଲୋକଙ୍କୁ ୩୧ କୋଟି ୫୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । 

ରାଜ୍ୟରେ ୨୦୨୪ ନଭେମ୍ବର ସୁଦ୍ଧା ହୋଇଥିବା ଗଣତି ଅନୁସାରେ ଅନୁଗୁଳରେ ୨୫୪ଟି ହାତୀ, କଟକରେ ୧୩୨, ଢେଙ୍କାନାଳରେ ୨୯୧, କେନ୍ଦୁଝରରେ ୧୯୫, ମୟୂରଭଞ୍ଜରେ ୨୯୫, ସୁନ୍ଦରଗଡ଼ରେ ୧୭୯, ସମ୍ବଲପୁରରେ ୧୪୦, ଦେବଗଡ଼ରେ ୧୦୭, ଖୋର୍ଦ୍ଧାରେ ୮୩, ନୟାଗଡ଼ରେ ୫୬, ବାଲେଶ୍ୱରରେ ୫୪, ଗଞ୍ଜାମରେ ୯୩, କନ୍ଧମାଳରେ ୫୪, ବଲାଙ୍ଗୀରରେ ୪୨ ଓ କଳାହାଣ୍ଡିରେ ୯୫ଟି ହାତୀ ଗଣନା ହୋଇଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରଖିଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ଏହି ଖବରଟିକୁ ପଢନ୍ତୁ-ଦାନ ରକ୍ତରେ ବେପାର କରୁଛି କଟକ ସେଣ୍ଟ୍ରାଲ୍ ରେଡ୍‌କ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ, ୟୁନିଟ୍ ପିଛା ନେଉଛି ଶହେ ଟଙ୍କା ଅଧିକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.