କଟକ/ଭୁବନେଶ୍ୱର,୧୯/୦୨: ମହତ ଉଦ୍ଦେଶ୍ୟ ନେଇ ଲୋକେ ସ୍ୱେଚ୍ଛାକୃତ ରକ୍ତଦାନ କରୁଛନ୍ତି । ଲୋକଙ୍କ ଦାନ ରକ୍ତକୁ ରୋଗୀଙ୍କୁ ଦେବା ସମୟରେ ବି କଟକ କେନ୍ଦ୍ରୀୟ ରେଡ୍କ୍ରସ୍ ବ୍ଲଡ୍ ବ୍ୟାଙ୍କ ଲାଭଖୋର ମନୋବୃତ୍ତି ରଖି କାରବାର କରୁଥିବା ଅଭିଯୋଗ ଉଠିଛି । ଷ୍ଟେଟ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ କାଉନସିଲ୍ ରକ୍ତ ୟୁନିଟ୍ ପିଛା ୪ ଶହ ଟଙ୍କା ଧାର୍ଯ୍ୟ କରିଛି । ସରକାରୀ ସ୍ତରରେ ଧାର୍ଯ୍ୟ ହୋଇଥିବା ମୂଲ୍ୟଠାରୁ କଟକ ସେଣ୍ଟ୍ରାଲ୍ ରେଡକ୍ରସ୍ ରକ୍ତ ଭଣ୍ଡାର କିନ୍ତୁ ଆଉ ଶହେ ଟଙ୍କା ଅଧିକ ନେଉଛି । ରେଡ୍କ୍ରସ୍ର ଏହି କାର୍ଯ୍ୟକୁ ନେଇ ରୋଗୀଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଭଳି ଲାଭଖୋର ନୀତିକୁ ନେଇ ରକ୍ତଦାତାଙ୍କ ଭିତରେ ବି ଅସନ୍ତୋଷ ପ୍ରକାଶ ପାଇଛି ।
ଓଡ଼ିଶା ରକ୍ତଦାତା ମହାସଂଘ ଓଡ଼ିଶା ରେଡ୍କ୍ରସ୍ ସୋସାଇଟି ସଚିବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରି ୟୁନିଟ୍ ପିଛା ରକ୍ତ ପ୍ୟାକେଟ ୧୦୦ ଟଙ୍କା ଆଦାୟ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ, ରେଡ୍କ୍ରସ୍ ବ୍ଲଡ୍ ବ୍ୟାଙ୍କ ସ୍ୱାସ୍ଥ୍ୟ ବିଭାଗର ନୀତି ନିୟମକୁ ଖିଲାପ କରି ମନମାନି ଚଳାଇ ୟୁନିଟ୍ ପିଛା ୫୦୦ ଟଙ୍କା ରୋଗୀଙ୍କଠାରୁ ଆଦାୟ କରୁଛି । ହୋଲ୍ ବ୍ଲଡ୍ ୟୁନିଟ୍ ପିଛା ୫୧୦, ପିଆର୍ବିସି-୫୦୦, ଏଫ୍ଏଫ୍ପି-୫୦୦ ଓ ଆରଡିପି-୫୦୦ ଟଙ୍କା ଆଦାୟ ହେଉଛି । ଏଭଳି ଶୋଷଣ ବିରୋଧରେ ସାମାଜିକ କର୍ମୀମାନେ ସ୍ୱାସ୍ଥ୍ୟ ବିଭାଗରେ ଅଭିଯୋଗ କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରକ୍ତକୁ ନେଇ କେବେ ବ୍ୟବସାୟ କରାଯାଇପାରିବ ନାହିଁ । ସରକାରୀ ସ୍ତରରେ ରକ୍ତ ୟୁନିଟ୍ ପିଛା ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲେ ହେଁ ରେଡକ୍ରସ୍ ରକ୍ତ ଭଣ୍ଡାର ଏହାର ବ୍ୟତିକ୍ରମ କରୁଛି । ରେଡକ୍ରସ୍ ରକ୍ତ ଭଣ୍ଡାରକୁ ଛାଡ଼ିଲେ ଏସ୍ସିବି ବ୍ଲଡ୍ ବ୍ୟାଙ୍କ୍ କିମ୍ବା ରାଜ୍ୟ ସରକାରଙ୍କ ୫୫ଟି ବ୍ଲଡ୍ ବ୍ୟାଙ୍କରେ ଘରୋଇ ହସ୍ପିଟାଲ୍ଗୁଡ଼ିକରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ପ୍ରଦାନ ବାବଦରେ ୟୁନିଟ୍ ପିଛା ୪ ଶହ ଟଙ୍କା ଲେଖାଏଁ ପରୀକ୍ଷା ନିରୀକ୍ଷା ବାବଦ ୟୁଜର୍ସ ଫି ନେଉଛନ୍ତି । ମାତ୍ର ରେଡ୍କ୍ରସ୍ ରକ୍ତ ଭଣ୍ଡାର ଶହେ ଟଙ୍କା ଅଧିକ ନେଉଛି ।
ସୂଚନାଯୋଗ୍ୟ, ସମସ୍ତ ସରକାରୀ ହସ୍ପିଟାଲ୍ରେ ଚିକିତ୍ସାଧୀନ ରୋଗୀ ବିନା ମୂଲ୍ୟରେ ରକ୍ତ ପାଇବାର ବ୍ୟବସ୍ଥା ରହିଛି । ରେଡ୍କ୍ରସ୍ ରକ୍ତ ଭଣ୍ଡାର ବି ଏସ୍ସିବି ମେଡିକାଲ୍, ଶିଶୁ ଭବନ ଓ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସାଧୀନ ରୋଗୀଙ୍କୁ ବିନା ମୂଲ୍ୟରେ ରକ୍ତ ଯୋଗାଇ ଦେଉଛି । ଏ ବାବଦରେ ରାଜ୍ୟ ସରକାର ରେଡ୍କ୍ରସ୍ ରକ୍ତ ଭଣ୍ଡାରକୁ ସୁବିଧା ପ୍ରଦାନ କରୁଛନ୍ତି । ମାତ୍ର ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ରୋଗୀମାନେ ହାତରୁ ଟଙ୍କା ଦେଇ ରକ୍ତ ବଦଳ କରୁଛନ୍ତି । ତାହା ପୁଣି ୪ ଶହ ବଦଳରେ ୫ ଶହ ଗଣୁଛନ୍ତି । ରକ୍ତ ପ୍ୟାକେଟ୍ ପିଛା ଶହେ ଟଙ୍କା ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ସରକାରୀ ହସ୍ପିଟାଲ୍ର ରୋଗୀଙ୍କଠାରୁ କୌଣସି ଦେୟ ଆଦାୟ ହେଉନାହିଁ । ଘରୋଇ ହସ୍ପିଟାଲ୍ର ରୋଗୀମାନଙ୍କୁ ରକ୍ତ ଯୋଗାଇଦେବା ଲାଗି ବିଭିନ୍ନ ପରୀକ୍ଷା ନିରୀକ୍ଷା ସମେତ ଅଟୋମେଟିକ୍ ମେସିନ୍ରେ ଗ୍ରୁପିଙ୍ଗ୍ ଓ କ୍ରସ୍ ମ୍ୟାଚିଙ୍ଗ୍ ଆଦି ଖର୍ଚ୍ଚ ବଢ଼ିଯାଇଛି । ତେଣୁ ୟୁଜର୍ସ ଫି’ ବାବଦରେ ୟୁନିଟ୍ ପିଛା ଶହେ ଟଙ୍କା ବୃଦ୍ଧି କରାଯାଇଛି । ଉକ୍ତ ନିଷ୍ପତ୍ତି ରେଡକ୍ରସ୍ କମିଟି ଦ୍ୱାରା ନିଆଯାଇଛି । ତେବେ ଏସ୍ସିବି ବ୍ଲଡ୍ ବ୍ୟାଙ୍କ୍ ଘରୋଇ ହସ୍ପିଟାଲ୍ର ରୋଗୀଙ୍କଠାରୁ ୪ ଶହ ଟଙ୍କା ୟୁଜର୍ସ ଫି ନେଉଥିବା ବେଳେ ରେଡକ୍ରସ୍ କାହିଁକି ୫ ଶହ ଟଙ୍କା ନେବ ବୋଲି ପ୍ରଶ୍ନ ଉଠାଇ ଏ ପ୍ରକାର ବେପାର ବିରୋଧରେ କାର୍ଯ୍ୟନୁଷ୍ଠାନ କରିବାକୁ ସାମାଜିକ କର୍ମୀମାନେ ଦାବି କରିଛନ୍ତି ।