ପ୍ରମୂଖ ଖବର
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

୮୦୦ ବର୍ଷ ତଳର ଭାସ୍କର୍ଯ୍ୟପୂର୍ଣ୍ଣ ଚଉରା ଆବିଷ୍କୃତ, ଚୂନରେ ଲୁଚିଥିଲା କାରୁକାର୍ଯ୍ୟ

Published By : Prameya | November 10, 2024 1:27 PM

ପୁରୀ,୧୦/୧୧: ପ୍ରାୟ ୮୦୦ ବର୍ଷ ତଳର ଭାସ୍କର୍ଯ୍ୟପୂର୍ଣ୍ଣ ପ୍ରାଚୀନ ତୁଳସୀ ଚଉରା ଆବିଷ୍କୃତ ହୋଇଛି । ଏହି ତୁଳସୀ ଚଉରା ଭୋଗବର୍ଦ୍ଧନ ଶଙ୍କରାନନ୍ଦ ମଠ ପରିସରରେ ଥିଲା । ଚଉରା ଉପରେ  ମୋଟା ଚୂନ ପଲସ୍ତରା ହୋଇରହିଥିବାରୁ ଏହା ଭିତରେ  ଲୁଚି ରହିଥିବା ଭାସ୍କର୍ଯ୍ୟନଜର ଆସୁନଥିଲା । ମଠ  ପକ୍ଷରୁ କିଛିଦିନ ତଳେ ଚଉରାକୁ ପୁନଃ ଚୂନ ପ୍ରଲେପ  ଦେବା ପାଇଁ ଯୋଜନା କରାଯିବା ସମୟରେ ଏହା  ମଧ୍ୟରେ ଥିବା ପ୍ରସ୍ତର ଭାସ୍କର୍ଯ୍ୟ ସାମାନ୍ୟ ନଜର  ଆସିଥିଲା । ଏଣୁ ସଂପୂର୍ଣ୍ଣ ରୂପେ ଚୂନକୁ ଛଡ଼ାଇବାକୁ  ମଠ ଟ୍ରଷ୍ଟବୋର୍ଡ ନିଷ୍ପତ୍ତି ନେଇଥିଲେ । ୨ ଦିନ ଧରି ଚୂନ  ଛଡ଼ାଇବା ପରେ ଚୂନ ପ୍ରଲେପ ତଳେ ଥିବା ଭାସ୍କର୍ଯ୍ୟ  ଦୃଶ୍ୟମାନ ହୋଇଛି । ଏଥିରେ ହୋଇଥିବା କାରୁକାର୍ଯ୍ୟରୁ  ଚଉରାଟି ପାଖାପାଖି ୮୦୦ ବର୍ଷ ପୁରଣା ହେବ ବୋଲି  ଐତିହ୍ୟ ଗବେଷକ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି । 

ଚଉରାଟିର ଉଚ୍ଚତା ୭ ଫୁଟ ୬ ଇଞ୍ଚ ହୋଇଥିବା  ବେଳେ ଉତ୍ତର ଦିଗକୁ ୩ ଫୁଟ ଉଚ୍ଚତାର ସୂର୍ଯ୍ୟ  ନାରାୟଣ ମନ୍ଦିର ରହିଛି । ଚତୁର୍ଭୁଜ ବିଶିଷ୍ଟ  ସୂର୍ଯ୍ୟନାରାୟଣଙ୍କର ଦୁଇ ପଟେ ଲକ୍ଷ୍ମୀ ସରସ୍ୱତୀ  ରହିଛନ୍ତି । ଏହାର ଦଧିନଉତିର ଉପର ଅଂଶ  ଭାଙ୍ଗିଯାଇଛି । ଦଧିନଉତି ତଳେ ଚାରିପଟେ  ଯୋଡ଼ହସ୍ତ ମୁଦ୍ରାରେ ଶ୍ରୀଗରୁଡ଼ ରହିଛନ୍ତି । ଏହି  ନାରାୟଣ ମୂର୍ତ୍ତି ଅବିକଳ ଶ୍ରୀମନ୍ଦିର ଗାରଦରେ ଥିବା  ମୂର୍ତ୍ତି ସଦୃଶ୍ୟ ହୋଇଛି । 

ଚଉରାର ଦକ୍ଷିଣ ପାଶ୍ୱର୍ରେ  ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର  ବିଗ୍ରହ ରହିଛନ୍ତି । ଶ୍ରୀମନ୍ଦିରର ଦକ୍ଷିଣପାଶ୍ୱର୍ରେ  ମଧ୍ୟ ପୂର୍ବେ ଏହି ଭଳି ତ୍ରିମୂର୍ତ୍ତି ବିଗ୍ରହ ରହିଥିଲେ  ବୋଲି ଗବେଷକ ଶ୍ରୀମିଶ୍ର କହିଛନ୍ତି । ଏହି ତ୍ରିମୂର୍ତ୍ତି  ତଳକୁ ରାହୁ ମୁଣ୍ଡ ଓ ତା’ ତଳକୁ ସିଂହମୂର୍ତ୍ତି ରହିଛି ।  ଚଉରାର ପୂର୍ବ ଦିଗରେ ୪ ଫୁଟ ଉଚ୍ଚରେ  ଶ୍ରୀରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ରହିଛି । ରାଧାକୃଷ୍ଣଙ୍କର  ଉଭୟ ପାଶ୍ୱର୍ରେ ଦୁଇ ସଖୀ ରହିଛନ୍ତି । ଚଉରାର  ପଶ୍ଚିମ ଦିଗରେ ନୃତ୍ୟରତ ଶ୍ରୀକୃଷ୍ଣଙ୍କ ବିଗ୍ରହ  ରହିଛନ୍ତି । ଚଉରାରୁ ସଂପୂର୍ଣ୍ଣ ରୂପେ ଚୂନ ଅପସାରଣ  କରିବାକୁ ଆଉ କିଛିଦିନ ସମୟ ଲାଗିବ । ଚଉରା  ଉପରେ କେବେ କେଉଁ ମଠାଧୀଶଙ୍କ ସମୟରେ ଚୂନ  ପଲସ୍ତରା ହୋଇଥିଲା ତାହା ଜଣାପଡ଼ିନାହିଁ ବୋଲି  ମଠର ଅନ୍ତରୀଣ ପରିଚାଳନା ଟ୍ରଷ୍ଟି ଦୁର୍ଗାପ୍ରସାଦ ମିଶ୍ର  ପ୍ରକାଶ କରିଛନ୍ତି । ସ୍ୱାମୀ ଶାଶ୍ୱତାନନ୍ଦ ସରସ୍ୱତୀଙ୍କ  ପରିଚାଳନାରେ ଚଉରାର ପୁନରୁଦ୍ଧାର କରାଯାଇଥିଲା ।  

ସୂଚନାଥାଉକି, ବାଲିସାହିର ତିଆଡ଼ି ସାହିରେ  ଥିବା ଏହି ମଠ ଦଶନାମୀ ସଂପ୍ରଦାୟର । ଆଦି  ଶଙ୍କରାଚାର୍ଯ୍ୟ ଏହି ମଠରେ ରହିଥିବା ଜଣାଯାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.