ପ୍ରମୂଖ ଖବର
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଆସୁନି ସରକାରୀ ଅନୁଦାନ, ବଢୁଛି ଅସନ୍ତୋଷ: ଷ୍ଟାଇପେଣ୍ଡ୍ ଅପେକ୍ଷାରେ ୫୦ହଜାର ଆଦିବାସୀ ପିଲା

Published By : Manoj | August 1, 2025 2:58 PM

ସୁନ୍ଦରଗଡ଼,୦୧/୦୮:ସୁନ୍ଦରଗଡ଼  ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଛାତ୍ରଛାତ୍ରୀଙ୍କୁ  ପ୍ରୋତ୍ସାହିତ କରିବା ପାଇଁ ରହିଥିବା ଷ୍ଟାଇପେଣ୍ଡ  ବ୍ୟବସ୍ଥାର କରୁଣ ଚିତ୍ର ସାମ୍ନାକୁ ଆସିଛି ।  ସରକାର ଅନୁଦାନ ଦେଇ ନ ଥିବାରୁ ପ୍ରି-ମାଟ୍ରିକ୍‌ ଓ ପୋଷ୍ଟ ମାଟ୍ରିକ୍‌ର ପ୍ରାୟ ୫୦ ହଜାର  ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ପାଇନାହାନ୍ତି । ଘରୋଇ  ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପାଉଥିବା ଷ୍ଟାଇପେଣ୍ଡ  ବ୍ୟବସ୍ଥା ଉଚ୍ଛେଦ ହୋଇଥିବାରୁ ଅନ୍ୟୁନ ୧୩  ହଜାର ଛାତ୍ରଛାତ୍ରୀ ଏଥିରୁ ବାଦ୍‌ ପଡ଼ିବେ ।   

ସରକାର ଗରିବ ଆଦିବାସୀ  ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ ପଢ଼ାଇବା ସହ  ଷ୍ଟାଇପେଣ୍ଡ ପ୍ରଦାନ କରି ଆସୁଥିଲେ । ଗତ ଶିକ୍ଷା  ବର୍ଷରୁ ଏହି ଷ୍ଟାଇପେଣ୍ଡ ବନ୍ଦ ହୋଇଯାଇଛି ।  ଫଳରେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ  ପାଠ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀ ନିରାଶ  ହେଉଛନ୍ତି । ଘରୋଇ ଶିକ୍ଷାନୁଷ୍ଠାନରେ  ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଷ୍ଟାଇପେଣ୍ଡ  ବ୍ୟବସ୍ଥା ଥିବା ବେଳେ ଅଧିକରୁ ଅଧିକ ପିଲା  ନାମ ଲେଖାଉଥିଲେ । ମାତ୍ର ବର୍ତ୍ତମାନ ସରକାର  ଏହି ବ୍ୟବସ୍ଥା ବନ୍ଦ କରିଥିବାରୁ ଘରୋଇ  ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ବିମୁଖ ହେଉଛନ୍ତି ।   

ସୂଚନାଯୋଗ୍ୟ, ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ପୋଷ୍ଟ ମାଟ୍ରିକ୍‌ର  ୪୮,୭୦୭ ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ପାଇବା  ଲାଗି ଆବେଦନ କରିଥିଲେ । କାଗଜ ପତ୍ର ଠିକ୍‌ ନ ଥିବାରୁ ୧୬୨୩ ଜଣଙ୍କ ଆବେଦନ ଫର୍ମ  ନାକଚ ହୋଇଯାଇଥିଲା । ୪୭ ହଜାର ୮୪ ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ପାଇବା ଲାଗି ଯୋଗ୍ୟ  ବିବେଚିତ ହୋଇଥିଲେ । ଇତିମଧ୍ୟରେ ୨୦୨୪- ୨୫ ଶିକ୍ଷା ବର୍ଷଶେଷ ହେଲାଣି । କିନ୍ତୁ ଯୋଗ୍ୟ  ବିବେଚିତ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ମିଳିନାହିଁ ।   

ସେହିପରି ସରକାରୀ ମହାବିଦ୍ୟାଳୟ  ଓ ବିଦ୍ୟାଳୟରେ ପ୍ରି-ମାଟ୍ରିକ ପଢ଼ୁଥିବା  ୩୩,୯୫୦ ଜଣଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ  କରାଯାଇଛି । ଘରୋଇ ଶିକ୍ଷାନୁଷ୍ଠାନରେ  ପଢ଼ୁଥିବା ୧୩,୧୩୪ ଜଣଙ୍କୁ ଏପର୍ଯ୍ୟନ୍ତ  ପ୍ରୋତ୍ସାହନ ରାଶି ମିଳିପାରିନାହିଁ । ପ୍ରି-ମାଟ୍ରିକ  ଷ୍ଟାଇପେଣ୍ଡ ଲାଗି ୨୨,୭୭୩ ଜଣ ଆବେଦନ  କରିଥିଲେ । ସେମାନଙ୍କ କାଗଜପତ୍ର ଯାଞ୍ଚ  ପରେ ୨୧,୮୨୨ ଜଣ ଷ୍ଟାଇପେଣ୍ଡ ପାଇବା  ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।  ଯୋଗ୍ୟ ବିବେଚିତ ୨୧,୮୨୨ ଜଣଙ୍କ ମଧ୍ୟରୁ  ୨୦୨୪-୨୫ ଶିକ୍ଷାବର୍ଷରେ ୧୮,୭୪୬ ଜଣଙ୍କୁ  ଷ୍ଟାଇପେଣ୍ଡ ମିଳିଛି । ୩ ହଜାର ୮୬ ଜଣ  ଛାତ୍ରଛାତ୍ରୀ ଏବେ ବି ଅପେକ୍ଷାରେ ରହିଛନ୍ତି ।  

୨୦୨୪-୨୫ ଶିକ୍ଷାବର୍ଷ ଶେଷ  ହୋଇ ନୂତନ ଶିକ୍ଷାବର୍ଷ ୨୦୨୫-୨୬  ଆରମ୍ଭ ହୋଇଯାଇଛି । ସରକାର ଗତ  ଶିକ୍ଷାବର୍ଷର ଷ୍ଟାଇପେଣ୍ଡ ଦେଇ  ପାରି ନ ଥିବାରୁ ନୂତନ ଶିକ୍ଷା  ବର୍ଷର ଷ୍ଟାଇପେଣ୍ଡ ପାଇବା ପାଇଁ  ଆବେଦନ ନିମନ୍ତେ ସରକାରୀ  ୱେବ୍‌ସାଇଟ୍‌ ଖୋଲି ନାହିଁ ।  ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ଲାଗି  ଆବେଦନ କରି ପାରୁନାହାନ୍ତି ।  ବହୁ ବର୍ଷ ପରେ ରାଜ୍ୟରେ  ଷ୍ଟାଇପେଣ୍ଡ ଦେବାରେ ସରକାର  ବିଳମ୍ବ କରିଥିବା ନେଇ ଛାତ୍ରଛାତ୍ରୀ  ମହଲରେ ଚର୍ଚ୍ଚା ହେଉଛି । ଛାତ୍ରଛାତ୍ରୀଙ୍କୁ  ଷ୍ଟାଇପେଣ୍ଡ ଏଯାଏ କାହିଁକି ମିଳିନି ବୋଲି  ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥୀ ପଟେଲଙ୍କୁ  ପଚରାଯିବାରେ ସେ କହିଲେ ସରକାର  ଟଙ୍କା ଦେଇନାହାନ୍ତି³ ଆମେ କେଉଁଠୁ ଆଣି  ଦେବୁ । ସରକାର ଦେଲେ ଆମେ ଛାତ୍ରଛାତ୍ରୀଙ୍କ  ଆକାଉଣ୍ଟରେ ଟଙ୍କା ଜମା କରିବୁ ବୋଲି ସେ  ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.