ଭୁବନେଶ୍ୱର,୧/୮: ଅଗଷ୍ଟ ୩୧ରେ ହେବ ସ୍ପେଶାଲ OTETପରୀକ୍ଷା । ସାନି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବୋର୍ଡ଼ । ପ୍ରଶ୍ନପତ୍ର ଲିକ୍ ପାଇଁ ବାତିଲ୍ ହୋଇଥିଲା OTET । ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍-୧ ପରୀକ୍ଷା ହେବ । ଏପରିକି ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍-୨ ପରୀକ୍ଷା ହେବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୨୨ରୁ ୱେବସାଇଟ୍ରେ ପରୀକ୍ଷାର୍ଥୀ ନିଜ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ।
ଅନ୍ୟପଟେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ସହ ପ୍ରଶାସନିକ ତଦନ୍ତ ଦାବି କରିଛନ୍ତି ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ । ସେ କହିଛନ୍ତି, ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ ଉପସଭାପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠୁଛି । ହାତ ଲେଖା ପ୍ରଶ୍ନପତ୍ର ଲାପଟପ୍ରୁ ବାହାରିଲା ବୋଲି କୁହାଯାଉଛି । ଏବେ ପ୍ରଶ୍ନ ଉଠୁଛି ବୋର୍ଡ଼ ଉପସଭାପତିଙ୍କ ଲାପଟପରେ ଏଭଳି ପ୍ରଶ୍ନପତ୍ର ରୁହେ କି ? ଲିକ୍ କରିଥିବା ବ୍ୟକ୍ତିଙ୍କୁ ପାସୱାର୍ଡ ଦେଲା କିଏ ? ପୂର୍ବରୁ ବୋର୍ଡ଼ ଉପସଭାପତିଙ୍କୁ ଅପସାରଣ କରିବା ପାଇଁ ବହୁବାର ଅଭିଯୋଗ ହୋଇଛି । କିନ୍ତୁ ସରକାର ଜଣେ ବ୍ୟକ୍ତିକୁ କାହିଁକି ଏତେ ବର୍ଷ ଧରି ଗୋଟିଏ ପଦବୀରେ ରଖିଥିଲେ ?
ବିଜୟ ପଟ୍ଟନାୟକ ପୁଣି କହିଛନ୍ତି, ଚାରୁ ମାଇଣ୍ଡ ୱାର୍କସ୍ ନାମକ ଏକ ରାଜସ୍ଥାନର ଘରୋଇ ସଂସ୍ଥା ପରୀକ୍ଷା ସହ ସଂଶ୍ଲିଷ୍ଟ ଅଛି। ଯେଉଁ ସଂସ୍ଥା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଝିଅ ଓ ଜ୍ୱାଇଁଙ୍କର ବୋଲି ଚର୍ଚ୍ଚା ହେଉଛି। ଏ ଦିଗରେ ସରକାର ନିରପେକ୍ଷ ତଦନ୍ତ କରନ୍ତୁ। ବୋର୍ଡ ଉପସଭାପତିଙ୍କ ସମ୍ପୃକ୍ତି ନେଇ ତଦନ୍ତ ହେଉ। ତାଙ୍କୁ ସେ ପଦରୁ ଅପସାରଣ କରାଯାଉ ବୋଲି ବିଜୟ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।