କୋଣାର୍କ,୨୭।୧: ଫେବୃୟାରୀ ୪ ତାରିଖରେ ପବିତ୍ର ମାଘ ସପ୍ତମୀ ବୁଡ଼ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନା,ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି,କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।
ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଚନ୍ଦ୍ରଭାଗା ମେଳା ପଡ଼ିଆରେ ପାନୀୟ ଜଳ ଯୋଗାଣ ନିମନ୍ତେ ୬୦ଟି ନଳକୂପ,୪୦ ଷ୍ଟାଣ୍ଡ ପୋଷ୍ଟ,ଏକ ଶହ ଅସ୍ଥାୟୀ ଶୌଚାଳୟ, ୪ଟି ପାଣି ଟ୍ୟାଙ୍କର, ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ବିଶୋଧନ, ହେଲିପ୍ୟାଡରେ ଟ୍ରାଫିକ ବ୍ୟବସ୍ଥା, ଚନ୍ଦ୍ରଭାଗା, ରାମଚଣ୍ଡୀ ଓ କୋଣାର୍କ ବସଷ୍ଟାଣ୍ଡରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ନିର୍ମାଣ କରାଯିବ। ମାଘ ଷଷ୍ଠୀ ଓ ସପ୍ତମୀ ଦୁଇଦିନ ପରିମଳ, ପାର୍କିଂ, ଆଲୋକ ବ୍ୟବସ୍ଥା, ଚନ୍ଦ୍ରଭାଗା ବେଳାଭୂମି ଓ ତୀର୍ଥ ପୁଷ୍କରିଣୀରେ ୨୦ଜଣ ଲାଇଫ ଗାର୍ଡ ମୁତୟନ ହେବେ। ସପ୍ତମୀ ପୂର୍ବ ରାତିତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳା ନିମନ୍ତେ ୩୩ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଯାନବାହାନ ନିୟନ୍ତ୍ରଣ ଆଦି ବ୍ୟବସ୍ଥାକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ। ଷଷ୍ଠୀ ଓ ସପ୍ତମୀ ଦୁଇ ଦିନ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଛବିରାଣୀ ସାହୁ, ନିମାପଡ଼ା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ,ତିନି ଠାକୁରଙ୍କ ସେବାୟତ,ମେଳାର ବ୍ୟବସ୍ଥା ସହ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।