ଭୁବନେଶ୍ୱର, ୨୩।୧ : ଓଡ଼ିଶାରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ଯେଉଁଥିରେ ଦଶପଲ୍ଲା ଏବଂ ଆଢ଼େଣିଗଡ଼ ମଧ୍ୟରେ ଥିବା ରେଳ ସେକ୍ସନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦ୍ଵିତୀୟ ପର୍ଯ୍ୟାୟ ଜଙ୍ଗଲ ଅନୁମୋଦନ ରହିଛି। ବର୍ତ୍ତମାନ ସୁଦ୍ଧା ୩୦୧ କିଲୋମିଟର ରେଳ ଲାଇନ ମଧ୍ୟରୁ ୨୨୬ କିଲୋମିଟର ରେଳ ମାର୍ଗ ସମ୍ପୂର୍ଣ୍ଣ ହୋଇଛି। ଯେଉଁଥିରେ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିଲୋମିଟର ଏବଂ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୨୦ କିଲୋମିଟର ଅନ୍ତର୍ଭୁକ୍ତ । ପୁରୁଣାକଟକ ଏବଂ ଦଶପଲ୍ଲା ମଧ୍ୟରେ ଅବଶିଷ୍ଟ ୭୫ କିଲୋମିଟର ପାଇଁ ନିର୍ମାଣ କାର୍ଯ୍ୟ ଚାଲୁରହିଛି |
ଏହି ପ୍ରକଳ୍ପ ପାଇଁ ୩,୨୭୪.୩୩୬ ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ ଥିଲା । ଯେଉଁଥିରେ ୭୪୬.୪୨ ହେକ୍ଟର ଜଙ୍ଗଲ ଜମି ଅନ୍ତର୍ଭୁକ୍ତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ଆହ୍ୱାନ ଥିଲା ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଜଙ୍ଗଲ ଜମିରେ ନିର୍ମାଣ କାର୍ଯ୍ୟପାଇଁ ଅନୁମୋଦନ କରିବା। ଯେଉଁଥିରେ ୫୯୪.୬୧୮ ହେକ୍ଟର ଘନ ଜଙ୍ଗଲ ଅନ୍ତର୍ଭୁକ୍ତ ଥିଲା । ତଥାପି, ପ୍ରମୁଖ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏଡାଇବା ଏବଂ ଆଖପାଖର ପରିବେଶ ଉପରେ ପ୍ରଭାବକୁ କମ କରିବା ପାଇଁ ସତର୍କତାର ସହିତ ଯୋଜନା କରାଯାଇଥିଲା ।
ପରିବେଶ ମନ୍ତ୍ରଣାଳୟ ଓ ବନ ବିଭାଗ ସହିତ ପରାମର୍ଶ କରି ପ୍ରକଳ୍ପ ଦଳ ଏକ ବ୍ୟାପକ ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନା ବିକଶିତ କରିଥିଲେ। ଯାହାକୁ ଓଡ଼ିଶାର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ)ଙ୍କ ଦ୍ୱାରା ଅନୁମୋଦନ କରାଯାଇଥିଲା । ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାକୁ କମ କରିବା ପାଇଁ ପଶୁପକ୍ଷୀଙ୍କ ଯାତାୟାତ (ଉଭୟ ରେଳ ଲାଇନ ଉପରେ ଏବଂ ତଳେ) ଏବଂ ଜଳପଥ ଓ ବନ୍ୟପ୍ରାଣୀଙ୍କ ଚଳାଚଳ ପାଇଁ ସେତୁ ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି । ସମସ୍ତ ପ୍ରକାର ଇଞ୍ଜିନିୟରିଂ ସମାଧାନ, ଭାୟାଡକ୍ଟ ଏବଂ ସୁଡ଼ଙ୍ଗ ସମେତ, ଗଛ କଟାକୁ ହ୍ରାସ କରିବା ଏବଂ ଜଙ୍ଗଲ ଆଚ୍ଛାଦନକୁ ସୁରକ୍ଷା ଦେବା ପାଇଁ ଏହି ଡିଜାଇନ୍ କରାଯାଇଥିଲା ।
ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି ଜାରିରହିଥିବା ବେଳେ ପ୍ରମୁଖ ଇଞ୍ଜିନିୟରିଂ ସଫଳତା ପୂର୍ବରୁ ହାସଲ କରାଯାଇଛି ।ଏପର୍ଯ୍ୟନ୍ତ ୨୨୬ କିଲୋମିଟର ରେଳ ଲାଇନ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହି ପରିବର୍ତ୍ତନକାରୀ ଭିତ୍ତିଭୂମି ପ୍ରକଳ୍ପର ସମୟସୀମା ସମାପ୍ତି ସୁନିଶ୍ଚିତ କରି, ଅବଶିଷ୍ଟ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି ।