ଘଷିପୁରା,୦୯/୦୬: କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥ ହସନପୁର ଟୋଲ୍ ପ୍ଲାଜା ନିକଟରେ ଦୁର୍ଘଟଣା । ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ କଲିକତାର ୫ଜଣ ଗୁରୁତର ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ସୋମବାର ସକାଳୁ କଲିକତା ଅଞ୍ଚଳର ୭ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଘଟଗାଁ ମା' ତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ଅଟୋ ଯୋଗେ ଯାଜପୁର ରେଳଷ୍ଟେସନକୁ ଯାଉଥିଲେ । ଷ୍ଟେସନକୁ ଯିବା ବେଳେ ହସନପୁର ଟୋଲ୍ ପ୍ଲାଜା ନିକଟରେ ଉକ୍ତ ଅଟୋକୁ ସମ୍ନାରୁ ଆସୁଥିବା ଏକ ଟ୍ରାକ୍ଟର ଧକ୍କା ଦେଇଥିଲା । ଫଳରେ ୫ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।