ଘଷିପୁରା, ୧୭/୦୫: ଘଷିପୁରା ରଣପୁର ସ୍ଥିତ ବୈତରଣୀ ଘାଟରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଉଲ୍ଲୋଳ ଗ୍ରାମର ମଦନ ନାଥଙ୍କ ପୁଅ ବସନ୍ତ କୁମାର ନାଥ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟଲୋକେ । କେନ୍ଦୁଝର ଜିଲ୍ଲାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବସନ୍ତ ବଡ଼ବିଲରେ ଦୀର୍ଘ ଦିନ ଧରି କାମ କରୁଥିଲେ। ଶୁକ୍ରବାର ବଡବିଲରୁ ଫେରି ସାଙ୍ଗମାନଙ୍କ ସହ କେନ୍ଦୁଝର - ଯାଜପୁର ସୀମାନ୍ତ ରଣପୁର ଠାରେ ଭୋଜି କରୁଥିଲେ। ଅପରାହ୍ଣ ସମୟରେ ନଦୀକୁ ଗାଧୋଇ ଯିବା ସମୟରେ ତାଙ୍କ ଗୋଡ ଖସି ଯାଇଥିଲା। ଫଳରେ ପାଣିରେ ବୁଡ଼ି ଯୁବକ ଜଣକ ନିଖୋଜ ହୋଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଉଭୟ କୋରେଇ ଓ ଘଷିପୁରା ଅଗ୍ନିଶମ ବାହିନୀ ଖୋଜା ଖୋଜି କରିଥଲେ ସୁଦ୍ଧା ଯୁବକଙ୍କର କୌଣଷି ପତ୍ତା ମିଳିନଥିଲା । ହେଲେ ଶନିବାର ସକାଳୁ ଅଗ୍ନିଶମ ବାହିନୀ ବୈତରଣୀରୁ ବସନ୍ତଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣା ସ୍ଥଳରେ କୋରେଇ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବସନ୍ତ ଜଣେ ଗରିବ ପରିବାରର ଲୋକ ହୋଇଥିବା ବେଳେ ତାଙ୍କର ଜଣେ ଭିନ୍ନକ୍ଷମ ଝିଅ ଓ ଏକ ପାଞ୍ଚ ବର୍ଷର ଛୋଟ ଝିଅ ଅଛନ୍ତି। ଏନେଇ କ୍ଷତିପୂରଣ ମିଳିବା ସହ ପାରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଉଛି ।