ମାଲକାନଗିରି/ମାଥିଲି, ୨୩/୧୧(ଆପ୍ର ) : ମାଲକାନଗିରି ଜିଲ୍ଲାସ୍ଥ ମାଥିଲି ଥାନା ନିକଟବର୍ତ୍ତୀ ମାଥିଲି ସହରରେ ଥିବା ରାମଲିଙ୍ଗେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ନନ୍ଦୀମୂର୍ତ୍ତି ପୋଲିସ ଉଦ୍ଧାର କରିଛି। ଏହି ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି ମାଥିଲି ପୋଲିସ କୋର୍ଟ ଚାଲାଣ କରିଛି।
ଗତ ୧୯ ତାରିଖ ରାତିରେ ମନ୍ଦିରରୁ ନନ୍ଦୀ ମୂର୍ତ୍ତି ଭାଙ୍ଗି କିଏ ଚୋରି କରି ନେଇ ଯାଇଥିବା ଗ୍ରାମର ପି. ପ୍ରସାଦ ରାଓ ମାଥିଲି ଥାନାରେ ଅଭିଯୋଗ କରିଥିଲେ। ମାଥିଲି ପୋଲିସ ଏହାର ତଦନ୍ତ କରି ମାଥିଲି ସଦର ଗ୍ରାମର ଶିବ ବେହେରାଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ତାଙ୍କଠାରୁ ମନ୍ଦିରରୁ ଚୋରି ହୋଇଥିବା ନନ୍ଦୀ ମୂର୍ତ୍ତୀ ପୋଲିସ ଉଦ୍ଧାର କରିଥିଲା। ଶିବକୁ ମୂର୍ତ୍ତି ଚୋରି ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।