ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

କୁଜଙ୍ଗରେ ୨ ଶିଶୁକନ୍ୟାଙ୍କୁ ହତ୍ୟା କରି ମହିଳାଙ୍କ ଆତ୍ମହତ୍ୟା ଘଟଣା: ସ୍ୱାମୀ, ଶଶୁର ଅଟକ, ଶାଶୂ ଓ ନଣନ୍ଦ ଫେରାର୍‌

କୁଜଙ୍ଗ,୦୯/୧୦: ସୋମବାର ଅପରାହ୍ଣରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଘଟିଥିବା ହୃଦୟ ବିଦାରକ ଅଘଟଣ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା । ସାନ ସାନ ଦୁଇ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କୁ ପୋଖରୀରେ ଫିଙ୍ଗି ହତ୍ୟା କରିବା ପରେ ଜଣେ ମହିଳା ପୋଖରୀ କୂଳରେ ଏକ ଗଛରେ ଝୁଲିପଡ଼ି ଆତ୍ମହତ୍ୟା କରିଥିଲେ । ୨ ବର୍ଷର ଶିଶୁ କନ୍ୟା ସମ୍ପୂର୍ଣ୍ଣା ଓ ମା' ସୁଭଦ୍ରା ପରିଡ଼ା  (ଝିଲି)ଙ୍କ ମୃତଦେହ ସୋମବାର  ଠାବ କରାଯାଇଥିବା  ବେଳେ, ୪ ବର୍ଷର ବଡ଼ଝିଅ ମୋନାଲିସାଙ୍କ ମୃତଦେହ ମଙ୍ଗଳବାର ପୋଖରୀରୁ ଉଦ୍ଧାର  କରାଯାଇଛି । ସମସ୍ତଙ୍କ ମୃତଦେହକୁ ପୁଲିସ ଓ  ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କୁଜଙ୍ଗ ଡାକ୍ତରଖାନାରେ  ବ୍ୟବଚ୍ଛେଦ କରାଯାଇଥିଲା । ତା’ପରେ ଝିଲିଙ୍କ  ବାପଘର ପକ୍ଷରୁ ତିନି ଜଣଙ୍କ ମୃତଦେହକୁ  ଶେଷକୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା । 

ଅପରପକ୍ଷରେ ଏହା ଏକ ସୁପରିକଳ୍ପିତ  ହତ୍ୟାକାଣ୍ଡ ବୋଲି ଝିଲିଙ୍କ ଭାଇ ମାଧବାନନ୍ଦ  ପାତ୍ର କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି। ପୁଲିସ ଉକ୍ତ ଅଭିଯୋଗ ଆଧାରରେ  ମାମଲା ରୁଜୁ କରି ଝିଲିଙ୍କ ସ୍ୱାମୀ ଲମ୍ବୋଦର ଓ  ଶଶୁର ଲକ୍ଷ୍ମୀଧରଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ତ୍ୱରାନ୍ୱିତ କରୁଛି । ଝିଲିଙ୍କ ଶାଶୂ ଅଞ୍ଜନା  ଓ ନଣନ୍ଦ ଅନୁରାଧା ଘର ଛାଡ଼ି କେଉଁଆଡ଼େ ଫେରାର ହୋଇଯାଇଥିବା ପୁଲିସ କହିଛି ।  କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚାୟତର ପୋଖରୀଆପଡା ଗ୍ରାମରେ ଗତକାଲି ନିଜ ଦୁଇ  ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କୁ ପୋଖରୀରେ ଫିଙ୍ଗି ମା' ଝିଲି ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଝିଲିଙ୍କ ଭାଇ  ଜନାର୍ଦ୍ଦନପୁର ଗ୍ରାମର ମାଧବାନନ୍ଦ ପାତ୍ର କୁଜଙ୍ଗ  ଥାନାରେ ସଂଗିନ୍‌ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ  ଦୁଇ ଭାଣିଜୀଙ୍କ ସମେତ ଭଉଣୀକୁ ସାବତଶାଶୂ,  ଶଶୁର, ନଣନ୍ଦ ଓ ସ୍ୱାମୀ ହତ୍ୟା କରିଛନ୍ତି । ସାବତ  ଶାଶୂ ଅଞ୍ଜନା ପରିଡ଼ା, ଶଶୁର ଲକ୍ଷ୍ମୀଧର ପରିଡ଼ା,  ନଣନ୍ଦ ଅନୁରାଧା ପରିଡ଼ା ଏବଂ ସ୍ୱାମୀ ଲମ୍ବୋଦର  ପରିଡ଼ା ଝିଲିଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ।  ଝିଲି ଦୁଇ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିବାରୁ  ଏଥିପାଇଁ ତାଙ୍କୁ ଶାଶୂଘର ଲୋକେ ଦୋଷ ଦେଇ ନିର୍ଯାତନା ଦେଉଥିଲେ । ଏମିତିକି ଅଧିକ ୧ ଲକ୍ଷ  ଟଙ୍କା ଯୌତୁକ ଆଣିବା ସହ ଏକ ବାଇକ୍‌ ପାଇଁ  ଦାବି କରି ଆସୁଥିଲେ । ଝିଲିଙ୍କ ବାପଘରର ସମ୍ବଳ  ନଥିବାରୁ ଏସବୁ ଦେବା ପାଇଁ ସେ ସକ୍ଷମ ହୋଇପାରି  ନଥିଲେ । ଝିଲିଙ୍କ ଘରେ ଏହି କଥାକୁ ନେଇ ସବୁଦିନ  ପାଟିତୁଣ୍ଡ ଲାଗି ରହୁଥିଲା । 

ସୋମବାର ପୂର୍ବାହ୍ଣରେ  ଝିଲି ତାଙ୍କ ବଡ଼ ଭାଉଜ ମାମୁନି ପାତ୍ରଙ୍କୁ ଫୋନ୍‌ରେ  କାନ୍ଦି କାନ୍ଦି କହିଥିଲେ ଯେ, ମୋ’ ସ୍ୱାମୀ, ଶ୍ୱଶୁର, ଶାଶୂ  ଓ ନଣନ୍ଦ ମୋତେ ମାଡ଼ ମାରିବା ସହ ଘରୁ ଟଙ୍କା  ନ ଆଣିଲେ ତୋ ପିଲାଙ୍କ ସହ ତୋତେ ଜୀବନରୁ  ମାରିଦେବୁ । ମାଧବ ତାଙ୍କ ପତ୍ନୀଙ୍କଠାରୁ ସୂଚନା  ପାଇ ଭଉଣୀ ଘରକୁ ଯିବା ପାଇଁ ବାହାରିଥିଲେ ।  ଠିକ୍‌ ଏହି ସମୟରେ ପୋଖରୀଆପଡ଼ା ଅଞ୍ଚଳରୁ  କେହି ଜଣେ ବ୍ୟକ୍ତି ଫୋନ୍‌ କରି କହିଥିଲେ ଯେ,  ତମ ଭଉଣୀ ଓ ଭାଣିଜୀ କୁଜଙ୍ଗ ମେଡିକାଲ୍‌କୁ  ଯାଇଛନ୍ତି, ତମେ ତୁରନ୍ତ ଆସ । ଏ ଖବର ପାଇବା  ମାତ୍ରେ ସେ ସିଧା କୁଜଙ୍ଗ ମେଡିକାଲ୍‌କୁ ଆସିଥିଲେ ।  ମେଡିକାଲ୍‌ରେ ପହଞ୍ଚି ଦେଖିଥିଲେ ଯେ, ତାଙ୍କ  ଭଉଣୀ ଓ ଦିବ୍ୟାଙ୍ଗ ସାନ ଭାଣିଜୀ ବେଡ୍‌ରେ ମୃତ ଅବସ୍ଥାରେ ପଡ଼ି ରହିଛନ୍ତି । ଏହାକୁ ହତ୍ୟାକାଣ୍ଡ  ବୋଲି ଦର୍ଶାଇ ସେ ନ୍ୟାୟ ଭିକ୍ଷା କରିଛନ୍ତି ।  

ଆଶ୍ଚର୍ଯ୍ୟର କଥା, ୨ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କୁ ସରକାରଙ୍କ କୌଣସି ଯୋଜନାରେ ସାମିଲ  କରାଯାଇନଥିବା ସ୍ଥାନୀୟ ଲୋକେ କହିଛନ୍ତି । ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ଅନେକ  ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ  କରାଯାଇଥିବା ବେଳେ ଏହି ପରିବାର ସବୁ ଯୋଜନାରୁ ବାଦ୍‌ ପଡିଥିଲେ । ପରିବାର  ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ  ଆର୍ଥିକ ଅନଟନ ସବୁବେଳେ ଲାଗି ରହିଥିଲା । ଦାରିଦ୍ର‌୍ୟ, ଅନଟନ, ନିର୍ଯାତନା ଭଳି କାରଣରୁ  ଝିଲି ଏଭଳି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି  ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.