ଲକ୍ଷ୍ନୌ: ପୋଷା ବିଲେଇର ମୃତ୍ୟୁ ପରେ ଆତ୍ମହତ୍ୟା କରିଦେଲେ ମହିଳା । ବିଲେଇର ଶବକୁ ପାଖରେ ଦୁଇ ଦିନ ରଖିଥିଲେ । ବିଲେଇଟି ପୁଣି ଥରେ ଜୀବିତ ହୋଇଯିବ ବୋଲି ସେ ଆଶା ରଖିଥିଲେ । କିନ୍ତୁ ବିଲେଇ ଆଉ ଉଠିନଥିଲା ଏବଂ ମହିଳାଙ୍କ ଆଶା ମଉଳି ଯାଇଥିଲା । ନିରାଶ ହୋଇ ଶେଷରେ ଚରମ ନିଷ୍ପତ୍ତି ନେଇଥିଲେ ମହିଳା । ଉତ୍ତର ପ୍ରଦେଶର ଆମରୋହା ଜିଲ୍ଲାର ଜଣେ ମହିଳା ତାଙ୍କ ପୋଷା ବିଲେଇର ମୃତ୍ୟୁରେ ଦୁଃଖୀ ହୋଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
୩୨ ବର୍ଷୀୟା ପୂଜା ଅମରୋହାର ହସନପୁରରେ ରହୁଥିଲେ। ସେ ଆଠ ବର୍ଷ ପୂର୍ବରୁ ଦିଲ୍ଲୀର ଜଣେ ଯୁବକଙ୍କୁ ବିବାହ କରିଥିଲେ, କିନ୍ତୁ ଦୁଇ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା । ସେବେଠାରୁ ପୂଜା ତାଙ୍କ ମା’ ଗଜରା ଦେବୀଙ୍କ ସହିତ ତାଙ୍କ ପୈତୃକ ଘରେ ରହୁଥିଲେ । ନିସଙ୍ଗତାରୁ ମକୁଳିବା ଲାଗି ପୂଜା ଏକ ପୋଷା ବିଲେଇକୁ ନିଜ ପାଖରେ ରଖିଥିଲେ । ବିଲେଇଟି ଗୁରୁବାର ଦିନ ମରିଯାଇଥିଲା । ତାଙ୍କ ମାଆ ବିଲେଇର ଶବକୁ ପୋତିବାକୁ ପୂଜାଙ୍କୁ କହିଥିଲେ କିନ୍ତୁ ସେ ମନା କରିଥିଲେ । ଏହା ସହ ବିଲେଇର ଶବକୁ ନିଜ ପାଖରେ ଦୁଇ ଦିନ ରଖିଥିଲେ ।
ସେ ବିଶ୍ୱାସ କରୁଥିଲେ ଯେ, ବିଲେଇଟି ପୁଣି ଜୀବିତ ହୋଇଯିବ । ପରିବାର ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବା ସତ୍ତ୍ୱେ ସେ ଦୁଇ ଦିନ ପର୍ଯ୍ୟନ୍ତ ବିଲେଇର ଶବକୁ ଘରେ ରଖିଥିଲେ । ଶନିବାର ଅପରାହ୍ନରେ, ସେ ନିଜର ତୃତୀୟ ମହଲା କୋଠରୀରେ ନିଜକୁ ବନ୍ଦ କରି ଦେଇଥିଲେ । ରାତି ପ୍ରାୟ ୮ଟା ବେଳେ ତାଙ୍କ ମାଆ ତାଙ୍କ ରୁମକୁ ଯାଇ ଦେଖିଲେ ଯେ, ପୂଜା ସିଲିଂ ଫ୍ୟାନରେ ଝୁଲି ରହିଥିଲେ । ଆଉ ପୂଜାଙ୍କ ପାଖରେ ବିଲେଇର ଶବ ଥିଲା । ଗଜରା ଦେବୀଙ୍କ କାନ୍ଦ ଶୁଣି ପଡ଼ୋଶୀ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବଂ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବେ ମାମଲାର ତଦନ୍ତ ଜାରି ରହିଛି ।