ଜୟପୁର, ୩।୩: ହିନ୍ଦୁ ଧର୍ମୀରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ । ପୂଜା କରିବା ସହ ଶ୍ରଦ୍ଧାଳୁଙ୍କର ଭଗବାନଙ୍କୁ ଉପରେ ଥାଏ ଦୃଢ଼ ବିଶ୍ୱାସ । ରାଜସ୍ଥାନର ବିକାନେରରେ ଅନେକ ପ୍ରାଚୀନ ତଥା ଚମତ୍କାରୀ ମନ୍ଦିର ରହିଛି । ସେଥିରୁ ଗୋଟିଏ ହେଉଛି ଜୁନାଗଡ଼ ନିକଟ ଚଞ୍ଚଲ ହନୁମାନଜୀଙ୍କ ମନ୍ଦିର । ଏହି ମନ୍ଦିରକୁ ନିତିଦିନ ଶହ ଶହ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଏଠାକୁ ବିକାନେର କଲେକ୍ଟରିଏଟ୍ ବ୍ୟତୀତ ଏହାର ଆଖାପାଖ ଅଞ୍ଚଳର ସରକାରୀ ଅଧିକାରୀମାନେ ମଧ୍ୟ ମନ୍ଦିରକୁ ଆସିଥାନ୍ତି । ସେମାନଙ୍କ ଆସିବା ପଛର କାରଣ ଟିକେ ଅଲଗା । ଯଦି କୌଣସି କର୍ମଚାରୀଙ୍କ ଅଫିସ୍ ଫାଇଲ ହଜିଯାଇଥାଏ, ତାକୁ ଖୋଜି ପାଇବା ପାଇଁ କର୍ମଚାରୀମାନେ ହନୁମାନଜୀଙ୍କୁ ପ୍ରାର୍ଥନା କରିଥାନ୍ତି । ଆଉ ଏହାର କିଛି ଦିନ ପରେ ହିଁ ଫାଇଲଟି ମିଳିାଯାଏ ବୋଲି ବିଶ୍ୱାସ ରହିଛି ।
କହିରଖୁ କି, ଏହି ପରମ୍ପରା ବହୁଦିନରୁ ଏଠାରେ ଚାଲିଆସିଛି । ସେଥିପାଇଁ ସ୍ଥାନୀୟ ଲୋକଙ୍କର ଚଞ୍ଚଲ ହନୁମାନ ଜୀଙ୍କ ଉପରେ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି । ଏହି ମନ୍ଦିରଟି ୪୦୦ରୁ ଅଧିକ ବର୍ଷ ପୁରୁଣା । ଏହାକୁ ମହାରାଜା ରାୟ ସିଂହ ଜୀ ସ୍ଥାପନା କରିଥିଲେ । ସେ ସମୟରେ ମନ୍ଦିର ପରିକ୍ରମା ପାଇଁ ମନ୍ଦିର ବେଢ଼ା ତିଆରି କରିବାକୁ ରାଜା ରାୟ ସିଂହ ଜୀ ମନା କରିଥିଲେ । ଯଦି ମନ୍ଦିର ବେଢ଼ା ତିଆରି କରାଯାଏ, ତେବେ ଜୁନାଗଡ଼ ଦୁର୍ଗ ରହିବ ନାହିଁ ବୋଲି ସେ କହିଥିଲେ । ତେଣୁ ସେବେଠାରୁ ହିଁ ଏହି ମନ୍ଦିରର ବେଢ଼ା ନିର୍ମାଣ କରାଯାଇନାହିଁ । ଏଠାରେ ପ୍ରତି ମଙ୍ଗଳବାର ଏବଂ ଶନିବାର ଅଧିକ ଭିଡ଼ ହୁଏ । ଅନ୍ୟପକ୍ଷରେ କେବଳ ସରକାରୀ କର୍ମଚାରୀ ନୁହଁନ୍ତି ବରଂ କୌଣସି ଲୋକଙ୍କର ଯେ କୌଣସି ଜିନିଷ ହଜିଯାଇଥିଲେ, ସେମାନେ ଠାକୁରଙ୍କ ପାଖରେ ଗୁହାରି କରନ୍ତି । ଏଠାରେ ମନସ୍କାମନା ପୂରଣ ହେଲେ ଶ୍ରଦ୍ଧାଳୁ ଠାକୁରଙ୍କୁ ଭୋଗ କରିବା ଲାଗି ଜୁନାଗଡ଼ ସହର ପରିକ୍ରମା କରିଥାନ୍ତି ।