ନୂଆଦିଲ୍ଲୀ,୧୪/୧୨ : ବେଳେବେଳେ ଆମକୁ ହଠାତ୍ ମିଠା ଖାଇବାକୁ ଇଚ୍ଛା ହୋଇଥାଏ । ଆଉ ଏହି ସମୟରେ ଆମେ ଚକୋଲେଟ, କେକ୍, ଆଇସିକ୍ରିମ ଭଳି ମିଠାଜାତୀୟ ଖାଦ୍ୟ ଖାଇଥାଉ । ଆଉ ଯଦି ମିଠା ନମିଳେ ବେଶ୍ ଚିଡ୍ଚିଡା ଅନୁଭବ କରୁ । ହେଲେ ଆପଣ କେବେ ଭାବିଛନ୍ତି ଏହିସବୁର କାରଣ କ'ଣ? ଆସନ୍ତୁ ଜାଣିବା ।
ତେବେ ବିଶେଷଜ୍ଞଙ୍କ ଅନୁସାରେ ''ମିଠା ଖାଇବାର ଏହି ଲାଳସାକୁ ଇଂରାଜୀରେ 'ସୁଗାର କ୍ରେଭିଙ୍ଗ' କୁହାଯାଏ। ଯାହା ଅତି ସାଧାରଣ କଥା । ଶରୀରରେ କିଛି ପୋଷଣର ଅଭାବ କିମ୍ବା କୌଣସି ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ହୋଇପାରେ । ଯଦି କ୍ରେଭିଙ୍ଗ ଉପରେ ନିୟନ୍ତ୍ରଣ ନ ରଖନ୍ତି ଏବଂ ଇଚ୍ଛା ହେବା ମାତ୍ରେ ସମୟ ଅସମୟରେ ଅତ୍ୟଧିକ ମିଠା ସେବନ କରନ୍ତି ଏହାଦ୍ବାରା ସାମଗ୍ରିକ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ମିଠା ଶରୀରରେ ଶକ୍ତି ଉତ୍ପାଦନ ତଥା ପରିଚାଳନାରେ ସାହାଯ୍ୟ କରିଥାଏ । କେବେ ଯଦି ଆମେ ମାନସିକ କିମ୍ବା ଶାରିରୀକ ଭାବେ କ୍ଲାନ୍ତ ଓ ଚାପର ସାମ୍ନା କରୁ, ଆମ ଶରୀର ତୁରନ୍ତ ଶକ୍ତି ଆବଶ୍ୟକ କରେ । ବେଳେବେଳେ ଏପରି ସ୍ଥିତିରେ ମିଠା ଖାଇବାକୁ ପ୍ରବଳ ଇଚ୍ଛା ହୁଏ ବା ସୁଗାର କ୍ରେଭିଙ୍ଗ ହୋଇଥାଏ । ମିଠା ଖାଇବା ଦ୍ବାରା ତୁରନ୍ତ ଶରୀରକୁ ଆବଶ୍ୟକ ପରିମାଣର ଶକ୍ତି ମିଳିଥାଏ । ଶରୀରରେ ବ୍ଲଡସୁଗାରରେ ପରିବର୍ତ୍ତନ କିମ୍ବା ସୁଗାର ସ୍ତର କମ୍ ହେବା ଯୋଗୁଁ କ୍ରେଭିଙ୍ଗ ହୋଇପାରେ । ସେହିପରି କିଛି ହରମୋନରେ ପରିବର୍ତ୍ତନ ମଧ୍ୟ ବେଳେବେଳେ ସୁଗାର କ୍ରେଭିଙ୍ଗ କାରଣ ହୋଇଥାଏ । ଖାସ୍ କରି ମହିଳାଙ୍କଠାରେ ଏହା ଅଧିକ ଦେଖାଯାଏ ।ଏଥିସହ ନିଦ ଅଭାବ, ଶରୀରରେ କିଛି ପୋଷଣର ଅଭାବ ହେଲେ ମିଠା ଖାଇବାକୁ କ୍ରେଭିଙ୍ଗ ହୋଇଥାଏ ।