କଟକ ୩୧/୧୨: ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗୀଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି । ବୟସ ବଢ଼ିଲେ ଏହାର ଲକ୍ଷଣ ବଢ଼ିଚାଲେ । ଗଣ୍ଠିରେ ଥିବା ଉପଅସ୍ଥି(କାର୍ଟିଲେଜ୍)କ୍ଷୟ ହେବା ଦ୍ୱାରା ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଫଳରେ ଗଣ୍ଠି ଯନ୍ତ୍ରଣା, ଗଣ୍ଠି ଫୁଲିବା ସହ ଗଣ୍ଠିର ଗତିଶୀଳତା କମିଚାଲେ ।
କାରଣ
ଉପଅସ୍ଥି ଅସ୍ଥିର ଉପରି ଭାଗରେ ରହି ଗଣ୍ଠିକୁ ମସୃଣ କରିଥାଏ । ଯାହା ଫଳରେ ଗଣ୍ଠିର ଗତିଶୀଳତା ନିୟନ୍ତ୍ରିତ ରହେ । କେତେକ କାରଣ ଯୋଗୁ ଉପଅସ୍ଥି କ୍ଷୟ ହୋଇ ଅସ୍ଥିର ଉପରି ଭାଗର ମସୃଣତା କ୍ରମଶଃ ହ୍ରାସ ପାଏ, ଯାହାଦ୍ୱାରା ଅସ୍ଥିଗୁଡିକ ପରସ୍ପର ସହ ଘଷି ହୋଇ ଗଣ୍ଠିର କ୍ଷୟ ସାଧନ କରିଥାନ୍ତି । ଫଳରେ ଗଣ୍ଠିରେ ଯନ୍ତ୍ରଣା ହୁଏ । ୪୦ରୁ ୫୦ ବର୍ଷ ମଧ୍ୟରେ ସାଧାରଣତଃ ଏହି ଯନ୍ତ୍ରଣା ଆରମ୍ଭ ହୋଇଥାଏ । ମେଦବୃଦ୍ଧି ଓ ଓଜନ ବଢ଼ିବା ଯୋଗୁ ଆଣ୍ଠୁ, ନିତମ୍ବ, ଗଣ୍ଠିରେ ଯନ୍ତ୍ରଣା ହୁଏ । ଯଦି କୌଣସି ଦୁର୍ଘଟଣାରେ ହାଡ଼ ଭାଙ୍ଗିଥାଏ, ତେବେ ପରବର୍ତ୍ତୀ ସମୟରେ ଏଭଳି ଯନ୍ତ୍ରଣା ହୁଏ । ଚକା ପକାଇ ଦୀର୍ଘ ସମୟ କାମ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୁଏ । ବଂଶଗତ କାରଣରୁ ମଧ୍ୟ ଏହି ସମସ୍ୟା ପରପିଢ଼ିକୁ ଯାଇଥାଏ । ଅଷ୍ଟିଓପୋରୋସିସ୍, ର୍ୟୁମାଟିଜିମ୍, ଗାଉଟ୍ ଆଦି ରୋଗ ଥିଲେ ଅଷ୍ଟିଓ ଆର୍ଥ୍ରାଇଟିସ୍ ଶୀଘ୍ର ଧରେ ।
ଲକ୍ଷଣ
ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଅଧିକ କାମ କଲେ ଯନ୍ତ୍ରଣା ବଢ଼ିଚାଲେ । ବିଶ୍ରାମ ନେବା ଦ୍ୱାରା ଉପଶମ ହୁଏ । ଗଣ୍ଠି ଧରିବା ଯୋଗୁ ସକାଳେ ବିଛଣାରୁ ଉଠିବା ସହଜ ହୁଏନା । ଉଠିବାର କିଛି ସମୟ ପରେ ମଧ୍ୟ ଚାଲିବାରେ କଷ୍ଟ ଅନୁଭବ ହୋଇଥାଏ । ଗଣ୍ଠି ଯନ୍ତ୍ରଣା ହେବା ସହ ଫୁଲିଯାଏ । ଗଣ୍ଠିର ଗତିଶୀଳତା କମିବା ସହ ହାଡ଼କୁ ହାଡ଼ ଘଷି ହେବା ପରି ଅନୁଭବ ହୋଇଥାଏ । ଡାକ୍ତର ରୋଗୀଙ୍କର ଗଣ୍ଠିକୁ ପରୀକ୍ଷା କରି ରୋଗର ନିଦାନ କରିଥାନ୍ତି । ଏଥିପାଇଁ ଏକ୍ସରେ, ଏମ୍ଆର୍ଆଇ, ରକ୍ତ ପରୀକ୍ଷା ମଧ୍ୟ କରାଯାଏ । ଏମ୍ଆର୍ଆଇ କରିବା ଦ୍ୱାରା ଉପଅସ୍ଥିର ସ୍ଥିତିକୁ ଭଲ ଭାବେ ପରଖିବା ସହଜ ହୁଏ ।
ଚିକିତ୍ସା
ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେଲେ ଚିକିତ୍ସା ସମ୍ଭବ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଜୀବନଶୈଳୀରେ ପରିବର୍ତ୍ତନ । ନିୟମିତ ବ୍ୟାୟାମ, ଚାଲିବା, ସନ୍ତରଣ କିମ୍ବା ସାଇକେଲିଂ ପରି ବ୍ୟାୟାମ କରିପାରିବେ । ଫଳରେ ମାଂସପେଶୀ ସୁଦୃଢ ହେବା ସହ ଗଣ୍ଠିର ଗତିଶୀଳତା ବଢ଼ିଥାଏ । ଓଜନ ବଢ଼ିବାକୁ ଦେବେନି । ଓଜନ ନ ବଢିବା ଦ୍ୱାରା ଆଣ୍ଠୁ ଓ ନିତମ୍ବ ଗଣ୍ଠିରେ ଭାର କମ୍ ପଡ଼ିବା ସହ ଯନ୍ତ୍ରଣା କମ୍ ରହିଥାଏ । ଏହା ସହିତ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରି । ଫଳ, ପନିପରିବା, ଓମେଗା-୩ ଫ୍ୟାଟି ଏସିଡ୍ ଅଧିକ ଥିବା ଖାଦ୍ୟ ଖାଇବେ । ସେହିପରି ମାଛ, ଅଖରୋଟ୍, ଅଳସୀ ମଞ୍ଜି ଆଦି ଖାଇପାରିବେ ।
ଡାକ୍ତର ସ୍ୱାଗତ ମହାପାତ୍ର
ବରିଷ୍ଠ ଅର୍ଥୋପେଡିକ୍ ସର୍ଜନ
ଏସ୍ସିବି ମେଡିକାଲ କଲେଜ, କଟକ