ପ୍ରମୂଖ ଖବର
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ନଭେମ୍ବରରେ ଗରମ ବିଦାୟ ନେଉନି, ଶୀତର ବି ନାହିଁ ଖୋଜ ଖବର: ଏଯାଏ ଲା-ନିନା ଆସିଲାନି

Published By : Prameya | November 3, 2024 7:29 AM

ଭୁବନେଶ୍ୱର,୦୩/୧୦: ଦଶହରାବେଳକୁ ଶୀତର ହାଲ୍‌କା ଛୁଆଁ ବାଜିଥାଏ । ଦଶହରା ଯାଇ କାଳୀପୂଜା ଗଲା । ତଥାପି ଶୀତର ଦେଖା ନାହିଁ । ଏଯାଏଁ ଶୀତ ପ୍ରକୋପ ଅନୁଭୂତ ହୋଇନାହିଁ ରାଜ୍ୟରେ । ଚଳିତ ନଭେମ୍ବରରେ ବି ଶୀତର ଖୋଜ ଖବର ମିଳିନପାରେ । ଏ ବର୍ଷ ଗରମ ବିଦାୟ ନେଉନି । ଚଳିତ ନଭେମ୍ବର ମାସରେ ବି ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା । ଶୀତ କୁଆଡ଼େ ହଜିଯିବ, ଦେଖା ମିଳିବନି । ହେଲେ ମଝିରେ ମଝିରେ ମାଡ଼ି ଆସିବ ଅଦିନିଆ ବର୍ଷା । ନଭେମ୍ବର  ମାସରେ ଏମିତି ଅସ୍ୱାଭାବିକ ପାଣିପାଗ ଜନଜୀବନକୁ ଅସ୍ତବ୍ୟସ୍ତ କରାଇପାରେ ।  

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ନଭେମ୍ବର ମାସକୁ ନେଇ ଯେଉଁ  ଆକଳନ କରିଛି, ତାହା ଚିନ୍ତାଜନକ । ଅଧିକ ବର୍ଷା ସହ ସ୍ୱାଭାବିକଠାର ଅଧିକ ଗରମ ସମ୍ଭାବନା ରହିଛି ଅଧିକାଂଶ  ଭାଗରେ । ଓଡ଼ିଶାରେ ବି ବର୍ଷା ଯେତିକି  ହେବା କଥା, ତା’ଠାରୁ ବେଶି ହୋଇପାରେ ।  ଉଭୟ ଦିନ ଓ ରାତି ତାପମାତ୍ରା ଅଧିକ  ରହିବା ସମ୍ଭାବନା ଅଛି । ରାତି ତାପମାତ୍ରା  ସ୍ୱାଭାବିକଠାରୁ ଯଥେଷ୍ଟ ଅଧିକ ରହିପାରେ । 

ଏ ବର୍ଷ ଅକ୍ଟୋବର ମାସରେ ଭୀଷଣ  ଗରମ ଅନୁଭୂତ ହୋଇଥିଲା ସାରା ଭାରତରେ ।  ପାଣିପାଗ ରେକର୍ଡ କହୁଛି, ୧୨୪ ବର୍ଷର  ଗରମ ରେକର୍ଡ ଭାଙ୍ଗିଥିଲା ଗତ ଅକ୍ଟୋବରର  ତାପମାତ୍ରା । ୧୯୨୪ ପରେ କେବେ ବି ଏମିତି  ଗରମ ହୋଇନଥିଲା ଅକ୍ଟୋବରରେ । ଓଡ଼ିଶାରେ ବି  ପାରଦ ୩୭ ଟପିଥିଲା । ଏବେ ବିଶେଷଜ୍ଞ କହୁଛନ୍ତି,  ନଭେମ୍ବରରେ ବି ଅସ୍ୱାଭାବିକ ଗରମ ରହିପାରେ । ଏ ବର୍ଷ ଲା-ନିନାର ଆଗମନ ନେଇ ଭାରତୀୟ  ପାଣିପାଗ ବିଭାଗ ସମେତ ବହୁ ବିଶେଷଜ୍ଞ ଦେଶରେ  ଅଧିକ ଶୀତ ହେବା ନେଇ ପୂର୍ବାନୁମାନ କରିଥିଲେ ।  ମାତ୍ର ଏଯାବତ୍‌ ଲା-ନିନାର ଆସିନାହିଁ । ତେଣୁ ଶୀତ  ପ୍ରଭାବ ବଢ଼ିବା ନେଇ ଦ୍ୱନ୍ଦ୍ୱ ଉପୁଜିଲାଣି ।  

ନଭେମ୍ବର, ଡିସେମ୍ବର ଓ ଜାନୁଆରୀ ମାସରେ  ଓଡ଼ିଶାରେ ଶୀତ କମ୍‌ ରହିବା ନେଇ ପୂର୍ବରୁ  ଆକଳନ କରିଥିଲେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ସେ ଆଜି  ପୁଣି କହିଛନ୍ତି, ଚଳିତବର୍ଷ ଓଡ଼ିଶା ସମେତ ଆନ୍ଧ୍ର,  ପଶ୍ଚିମବଙ୍ଗରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ତେଣୁ ଥଣ୍ଡା କମ୍‌ ହେବ । 

କେନ୍ଦ୍ରୀୟ  ଭାରତରେ (ମଧ୍ୟପ୍ରଦେଶ) ଥଣ୍ଡା ସ୍ୱାଭାବିକ  କିମ୍ବା ଅଧିକ ରହିପାରେ । ଲା-ନିନା ଅଗଷ୍ଟ ପରେ  ଆସିବା ନେଇ ଅନୁମାନ କରାଯାଉଥିଲା । ମାତ୍ର ଏଯାଏଁ ତାହା ଆସିନାହିଁ । ବିଳମ୍ବରେ ଲା-ନିନା  ଆସିଲେ ଦୁର୍ବଳ ରହିବା ସହ ଏହାର ଅବଧି ବି  କମ୍‌ ରହିବା ସମ୍ଭାବନା ଅଛି । ଉତ୍ତର ଭାରତ ପଟୁ  ପ୍ରବାହିତ ବାଣିଜ୍ୟିକ ବାୟୁ ଦୁର୍ବଳ ରହିବା ସମ୍ଭାବନା  ଅଛି । ହେଲେ ଏ ବର୍ଷ ପଶ୍ଚିମା ଝଡ଼ ଅଧିକ  ହୋଇପାରେ ।ଏହା ପ୍ରଭାବରେ ମଝିରେ ମଝିରେ  ବର୍ଷା ହେବ । ତେଣୁ ଆକାଶ ମେଘୁଆ ଓ କୋହଲା  ରହିବାରୁ ବିଭିନ୍ନ ସମୟରେ ଦିନ ତାପମାତ୍ରା  କମିପାରେ । ମାତ୍ର ଏଥିରେ ରାତି ତାପମାତ୍ରା  କମିବ ନାହିଁ । ତେଣୁ ଶୀତ କମ୍‌ ଅନୁଭୂତ  ହେବ । ଉପକୂଳ ଓଡ଼ିଶାରେ ଗରମ ପୋଷାକର  ବିଶେଷ ଆବଶ୍ୟକତା ପଡ଼ିନପାରେ ବୋଲି  ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

  • PrameyaOdia
  • prameya
  • Weather Forecast
  • Weather update
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.