ପ୍ରମୂଖ ଖବର

୧୦୦ ବର୍ଷରେ ସବୁଠୁ ଉତ୍ତପ୍ତ ଜୁଲାଇ ! ୨୦୨୪ରେ ଆହୁରି ଭୟାବହ

ନୂଆଦିଲ୍ଲୀ, ୨୨/୦୭ : ଜଳବାୟୁ ପରିବର୍ତ୍ତନର ଅସ୍ୱାଭାବିକ ପ୍ରଭାବକୁ ନେଇ ଦିନକୁ ଦିନ ଭୟାନକ ରିପୋର୍ଟମାନ ସାମ୍ନାକୁ ଆସୁଛି । ବିଶ୍ୱବାସୀ ଏହାର ପ୍ରଭାବ ଅନୁଭବ କରିବା ମଧ୍ୟ ଆରମ୍ଭ କଲେଣି! ନାସାର ବରିଷ୍ଠ ଜଳବାୟୁ ବିଜ୍ଞାନୀ ଗେଭିନ୍‌ ସ୍ମିଟ୍‌ ନିଜର ଏକ ସଦ୍ୟ ରିପୋର୍ଟରେ ଏହିଭଳି ଏକ ଭୟ ସୃଷ୍ଟିକାରୀ ପୂର୍ବାନୁମାନ ଲଗାଇଛନ୍ତି । ୨୦୨୩ ଜୁଲାଇ ସମ୍ଭବତଃ ୧୦୦ ବର୍ଷ ମଧ୍ୟରେ ସବୁଠୁ ଉତ୍ତପ୍ତ ଜୁଲାଇ ହୋଇପାରେ ବୋଲି ସେ ଟିପ୍ପଣୀ ଦେଇଛନ୍ତି । ଆଗକୁ ସ୍ଥିତି ଏତେ ଭୟାବହ ହେବ ଯେ ଅଚାନକ ତାତି, ବନ୍ୟା ଏବଂ ବନାଗ୍ନିର ସାମ୍ନା କରିବାକୁ ପଡ଼ିବ । ଏଭଳି ପାଣିପାଗ ସ୍ଥିତି ସହ ଖାପ ଖୁଆଇ ବଞ୍ଚିବା ମୁସ୍କିଲ ବ୍ୟାପାର ପାଲଟିବ । ୟୁରୋପରୁ ଏସିଆ ପର୍ଯ୍ୟନ୍ତ ସବୁଠି ଏବେ ତାହା ଧୀରେ ଧୀରେ ଘଟିବାକୁ ଲାଗିଲାଣି । ଆଗକୁ ଏହା ‘ନୂଆ ସ୍ୱାଭାବିକତା’ ପାଲଟିବ ବୋଲି କିଛି ପାଣିପାଗ ବିଜ୍ଞାନୀ ଆଶଙ୍କା ପ୍ରକଟ କରିଛନ୍ତି ।

ଜଳବାୟୁ ବିଜ୍ଞାନୀ ସ୍ମିଟ୍‌ କହିଛନ୍ତି, ଚଳିତମାସ କୌଣସି ନା କୌଣସି ଦେଶରେ ତାପମାତ୍ରା ରେକର୍ଡ ଭାଙ୍ଗିଥିବା ରିପୋର୍ଟ ଆସୁଛି । ୟୁରୋପୀୟ ସଂଘ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ମଧ୍ୟ ରେକର୍ଡ ତାପମାତ୍ରା ବୃଦ୍ଧି କଥା ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟ ପ୍ରସ୍ତୁତ ପାଇଁ ଭୂମି ଓ ଉପଗ୍ରହ ତଥ୍ୟକୁ ଅବଲୋକନ କରାଯାଇଥିଲା । ସେଥିରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ଏବଂ ଏହାଯୋଗୁ ହୋଇଥିବା କ୍ଷତି ନେଇ ସ୍ପଷ୍ଟ ଜଣାପଡ଼ିଥିଲା । ଗେଭିନ୍‌ ସ୍ମିଟ୍‌ କହିଛନ୍ତି, ଦ୍ରୁତ ଗତିରେ ଜଳବାୟୁ ବଦଳିଚାଲିଛି । ଆମେରିକା, ୟୁରୋପ, ଚୀନ୍‌ ଭଳି ଦେଶରେ ଗ୍ରୀଷ୍ମ ପ୍ରବାହ ଯୋଗୁ ପରିସ୍ଥିତି ବିଗୁଡୁଛି । ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ୍‌ ପାର୍‌ କରିଛି । ଏଭଳି ଲଗାତର ଘଟିଚାଲିଛି । ଏବେ ଅହରହ ରେକର୍ଡ ଭାଙ୍ଗୁଛି ପାରଦ । ଏଲ୍‌ ନିନୋ କାରଣରୁ ଏହା ଘଟୁଛି ।

ସ୍ମିଟ୍‌ ଆହୁରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଉପରେ ବର୍ତ୍ତମାନ ଏଲ୍‌ ନିନୋର ପ୍ରଭାବ କମ୍‌ ପଡୁଛି । ଆଗାମୀ ଦିନରେ ଏହା ଅହେତୁକ ଭାବେ ବୃଦ୍ଧି ପାଇବ । ସମୁଦ୍ରରେ ଜଳର ଉପରସ୍ତର ଦ୍ରୁତ ଗତିରେ ଗରମ ହେଉଛି । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ସାଙ୍ଘାତିକ ମାତ୍ରାରେ ବଢ଼ିବା ଯୋଗୁ ତାପମାତ୍ରା ବୃଦ୍ଧି ପାଉଛି । ଆମେ ଇନ୍ଧନ ପାଇଁ ଜୀବାଶ୍ମ ଇନ୍ଧନକୁ ଜଳାଉଛେ । ଏହା ଜଳିବା ଦ୍ୱାରା ପ୍ରତିବର୍ଷ ୪ ହଜାର କୋଟି ଟନ୍‌ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହେଉଛି । ଚଳିତବର୍ଷ ଶେଷ ବେଳକୁ ଏଲ୍‌ ନିନୋର ପ୍ରଭାବ ବଢ଼ିବାକୁ ଯାଉଛି । ଏଭଳି ହେଲେ ୨୦୨୪ ଚଳିତବର୍ଷ ତୁଳନାରେ ଆହୁରି ଉତ୍ତପ୍ତ ସାବ୍ୟସ୍ତ ହେବ । ଚଳିତବର୍ଷ ଜୁଲାଇ ୩କୁ ଆମେରିକାର ନ୍ୟାସନାଲ ସେଣ୍ଟର୍ସ ଫର୍‌ ଏନ୍‌ଭର୍ନମେଣ୍ଟାଲ ପ୍ରେଡିକ୍‌ସନ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଉତ୍ତପ୍ତ ଦିନ ଦର୍ଶାଇଥିଲା । ଏହି ଦିନ ବିଶ୍ୱର ହାରାହାରି ତାପମାତ୍ରା ୧୭ ଡିଗ୍ରୀ ସେଲ୍‌ସିୟସ୍‌ ପାର୍‌ କରିଥିଲା । ଏହା ପୂର୍ବରୁ ୨୦୧୬ ଅଗଷ୍ଟକୁ ସବୁଠୁ ଉତ୍ତପ୍ତ କୁହାଯାଉଥିଲା, ଯେତେବେଳେ ତାପମାତ୍ରା ୧୬.୯୨ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା । ଗ୍ରାନ୍ଥମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କ୍ଲାଇମେଟ୍‌ ଚେଞ୍ଜ୍‌ ଆଣ୍ଡ୍‌ ଦ ଏନ୍‌ଭର୍ନମେଣ୍ଟର ବୈଜ୍ଞାନିକ ଫ୍ରେଡ୍‌ରିକ୍‌ ଅଟ୍ଟୋ କହିଛନ୍ତି, ପରିସଂସ୍ଥାନ ପାଇଁ ଏହା ମୃତ୍ୟୁ ଦଣ୍ଡ ଭଳି ହୋଇପାରେ । ଯଦି ଏଭଳି ସ୍ଥିତି ଲାଗିରହେ, ତେବେ ଖୁବଶୀଘ୍ର ସଦ୍ୟ ରେକର୍ଡ ତାପମାତ୍ରାର ରେକର୍ଡ ବି ଭାଙ୍ଗି ଚୂର୍‌ମାର୍‌ ହୋଇଯିବ । ଏହାଯୋଗୁ ବିଶ୍ୱବାସୀ ସାଙ୍ଘାତିକ ପାଣିପାଗ ପ୍ରଭାବର ସମ୍ମୁଖୀନ ହେବେ । ଆମେରିକାରେ ଲଗାତର ଭାବେ ଗ୍ରୀଷ୍ମ ପ୍ରବାହ ବଢ଼ିବା କାରଣରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବିବିସି ରିପୋର୍ଟ ଅନୁସାରେ ଆମେରିକାରେ ଆଗାମୀ ସପ୍ତାହରେ ତାପମାତ୍ରା ବିପଜ୍ଜନକ ସ୍ତର ପାର୍‌ କରିବାକୁ ଯାଉଛି । ଏହା କବଳରେ ୧୧.୩୦ କୋଟି ଲୋକ ପଡ଼ିବେ । ଫ୍ଲୋରିଡ଼ା, କାଲିଫର୍ଣ୍ଣିଆ ଏବଂ ୱାଶିଂଟନରେ ଏହାକୁ ନେଇ ଆଡଭାଇଜରି ଜାରି କରାଯାଇଛି । ଆମେରିକାର ନ୍ୟାସନାଲ ୱେଦର୍‌ ସର୍ଭିସ୍‌ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟକୁ ନେଇ କୌଣସି ବିପଦ ନ ଉଠାଇବାକୁ ପରାମର୍ଶ ଦେଇଛି । ଜୁଲାଇ ୧୫ରେ ଆମେରିକାର ଆରିଜୋନା ପ୍ରଦେଶରେ ତାପମାତ୍ରା ୪୮ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଆମେରିକୀୟ ପାଣିପାଗ ବିଭାଗ କହିଥିଲା ଯେ କାଲିଫର୍ଣ୍ଣିଆର ଡେଥ୍‌ ଭ୍ୟାଲିରେ ଚଳିତ ସପ୍ତାହରେ ପାରଦ ୫୪ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯିବ । ଡେଥ୍‌ ଭ୍ୟାଲି ବିଶ୍ୱର ସବୁଠୁ ଉତ୍ତପ୍ତ ଅଞ୍ଚଳ ମଧ୍ୟରୁ ଅନ୍ୟତମ । ସେପଟେ ୟୁରୋପର ମହାକାଶ ଏଜେନ୍ସି ଇଟାଲୀ, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ ଏବଂ ପୋଲାଣ୍ଡରେ ତାପମାତ୍ରାକୁ ନେଇ ଆଲର୍ଟ ଜାରି କରିଛି । ଏଠାରେ ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିଛି । ଇଟାଲୀ ସରକାର ରୋମ୍‌ ଓ ଫ୍ଲୋରେନ୍ସ ସମେତ ନିଜର ୧୬ ସହର ପାଇଁ ଗ୍ରୀଷ୍ମ ପ୍ରବାହ ଚେତାବନୀ ଜାରି କରିଛନ୍ତି । ସରକାର ଲୋକଙ୍କୁ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖରାରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ସ୍ପେନ୍‌ର କ୍ୟାନରି ଦ୍ୱୀପରେ ତାପମାତ୍ରା ବୃଦ୍ଧି ହେବା ଯୋଗୁ ଜଙ୍ଗଲରେ ନିଆଁ ଲାଗିଛି ।

ଗ୍ରୀସରେ ବି ଲୋକମାନେ ଗରମରେ ଛଟପଟ । ଚୀନ୍‌ରେ ଗ୍ରୀଷ୍ମ ପ୍ରବାହ ସହ ତାପମାତ୍ରା ରେକର୍ଡ ୩୫ ଡିଗ୍ରୀ ସେଲ୍‌ସିୟସ୍‌ ପାର୍‌ କରିଯାଇଛି । ନିକଟରେ ଚୀନ୍‌ର ସାନ୍‌ବାଓ ଟାଉନ୍‌ସିପ୍‌ରେ ସର୍ବାଧିକ ତାପମାତ୍ରା ୫୨.୨ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଯାଇଥିଲା । ୨୦୫୦ ସୁଦ୍ଧା ବିଶ୍ୱ ତାପମାତ୍ରା ୧.୫ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ନେଇ ଅନୁମାନ କରାଯାଉଛି । ଯଦି ଏଭଳି ହୁଏ, ତେବେ ୧୦ବର୍ଷ ଭିତରେ ଆର୍କଟିକ୍‌ ମହାସାଗରର ସମସ୍ତ ବରଫ ତରଳିଯିବ । ମାଳଦ୍ୱୀପ ଭଳି ଦେଶ ସମ୍ପୂର୍ଣ୍ଣଭାବେ ବୁଡ଼ିଯିବ । ମୁମ୍ବାଇ, ଚେନ୍ନାଇ, ବିଶାଖାପାଟଣା ଭଳି ୧୨ଟି ସହର ୩ ଫୁଟ ପାଣିରେ ବୁଡ଼ିଯିବ । ବିଶ୍ୱର ୧୪% ଜନସଂଖ୍ୟା ଗ୍ରୀଷ୍ମ ପ୍ରବାହର ସାମ୍ନା କରିବ । କ୍ୱାଲା, ଧଳାଭାଲୁ ସମେତ ୪% ପଶୁ ସମ୍ପଦ ବିଲୁପ୍ତ ହୋଇଯିବେ । ଅନ୍ୟ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ପୃଥିବୀକୁ ତତାଇବା ଭଳି ପ୍ରଦୂଷଣ ମାତ୍ରା ଯଦି ଏହିଭଳି ଭାବେ ବୃଦ୍ଧିପାଏ, ତେବେ ବିଶ୍ୱବାସୀ ଜଳବାୟୁ ବିପର୍ଯ୍ୟୟର ସାମ୍ନା କରିବେ । ତାତି, ବନ୍ୟା ଏବଂ ବନାଗ୍ନି ଭଳି ସ୍ଥିତି ଅହରହ ଲାଗିରହିବ । ଆମେରିକାର ଦକ୍ଷିଣ ଓ ଦକ୍ଷିଣପଶ୍ଚିମ ଭାଗରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ଫିନିକ୍ସ, ଆରିଜୋନାରେ ଲଗାତର ୧୯ ଦିନ ଧରି ତାପମାତ୍ରା ୧୧୦ ଡିଗ୍ରୀ ଫାରେନହିଟ୍‌ (୪୩.୩ ଡିଗ୍ରୀ ସେଲ୍‌ସିୟସ୍‌) ରେକର୍ଡ କରାଯାଇଛି । ଏହାଯୋଗୁ ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସଂକଟ ଉପୁଜିଥିଲା । ଦକ୍ଷିଣ ୟୁରୋପ ମଧ୍ୟ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହର ସାମ୍ନା କରିଛି । ଗ୍ରୀସ୍‌, ସ୍ପେନ୍‌ ଓ ସ୍ୱିଜରଲାଣ୍ଡରେ ବନାଗ୍ନି ମାତିବାରେ ଲାଗିଛି ।

ଏସିଆ ବି ଏଥିରୁ ବାଦ୍‌ ପଡ଼ିନାହିଁ । ଏହି ବୃହତ୍ତମ ମହାଦେଶରେ ତାପମାତ୍ରା ୫୦ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ (ଚୀନ୍‌) କରିଛି । ସେପଟେ ଦକ୍ଷିଣ କୋରିଆ, ଜାପାନ ଓ ଉତ୍ତର ଭାରତରେ ଜଳବାୟୁ ପରିବର୍ତ୍ତନ ଜନିତ ବନ୍ୟା ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ଏଭଳି ସାଙ୍ଘାତିକ ପାଣିପାଗ ସ୍ଥିତିକୁ ‘ନୂଆ ସ୍ୱାଭାବିକତା’ କୁହାଯାଇ ପାରିବ ବୋଲି ଗତ ମଙ୍ଗଳବାର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ମହାସଚିବ ପେଟ୍ଟେରି ତାଲାସ୍‌ କହିଥିଲେ । କିନ୍ତୁ ୟୁନିଭର୍ସିଟି ଅଫ୍‌ ପେନ୍‌ସିଲ୍‌ଭାନିଆର ପ୍ରଫେସର ତଥା ଜଳବାୟୁ ବିଜ୍ଞାନୀ ମାଇକେଲ୍‌ ଇ. ମାନ୍‌ ଏହାକୁ ‘ନୂଆ ଅସ୍ୱାଭାବିକତା’ ବୋଲି ଦର୍ଶାଇଛନ୍ତି । ନିଜ ଯୁକ୍ତିକୁ ଯଥାର୍ଥ ଦର୍ଶାଇବାକୁ ସେ କହିଛନ୍ତି, ନୂଆ ସ୍ୱାଭାବିକତା ଅର୍ଥ ଏକ ନୂଆ ଜଳବାୟୁ ସ୍ଥିତି ଉପୁଜିବ ଏବଂ ଆମେ ତାହା ସହ ଖାପ ଖୁଆଇ ବଞ୍ଚିବା । କିନ୍ତୁ ସ୍ଥିତି ତାହାଠାରୁ ଭୟଙ୍କର । ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାଙ୍ଘାତିକ ଭାବେ ବଢ଼ିବାରେ ଲାଗିଛି । ଜୀବାଶ୍ମ ଇନ୍ଧନ ପୋଡ଼ାଚାଲିଛି ଏବଂ ତାପମାତ୍ରା ବଢ଼ିଚାଲିଛି । ଏହା କମିବା ଆଦୌ ଦେଖାଯାଉ ନାହିଁ । ତେଣୁ ଆମ ସମସ୍ତଙ୍କୁ ଏକ ନୂଆ ଅସ୍ୱାଭାବିକତା ଦେଖିବାକୁ ପଡ଼ିବ । ବ୍ରିଟେନ୍‌ର ପାଣିପାଗ କାର୍ଯ୍ୟାଳୟର ପିଟର୍‌ ସ୍କଟ୍‌ କହିଛନ୍ତି, ପାଣିପାଗ ଅବସ୍ଥା ଏଭଳି ଏକ ସ୍ଥିତିରେ ପହଞ୍ଚିବାକୁ ଯାଉଛି, ଯାହା ଯୋଗୁ ଆମେ ଭବିଷ୍ୟତରେ କିଛି ବି ପୂର୍ବାନୁମାନ ଲଗାଇପାରିବା ନାହିଁ । ସବୁକିଛି ଅଚାନକ ଘଟିବ । ଉତ୍ତାପ, ବନାଗ୍ନି ଏବଂ ବନ୍ୟା ସ୍ଥିତି ହଠାତ୍‌ ଦେଖିବାକୁ ମିଳିଛି । ଏଭଳି ନୂଆ ଅସ୍ୱାଭାବିକ ଘଟଣା ସହ ଖାପ ଖୁଆଇ ବଞ୍ଚିବା କଷ୍ଟକର ହୋଇପଡ଼ିବ ବୋଲି ରୟାଲ୍‌ ନେଦରଲାଣ୍ଡସ ପାଣିପାଗ ପ୍ରତିଷ୍ଠାନର ଜଳବାୟୁ ବିଜ୍ଞାନୀ ଭିକ୍କି ଥମ୍ପ୍‌ସନ୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.