ନୀଳଗିରି,୧୮/୧(ଆ.ପ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରୀ ତହସିଲ ଅଧିନ ସୋନନଦୀ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନଙ୍କୁ ଦିନ ବୃଦ୍ଧି ପାଉଛି। ମାଟିଆଳି ଠାରୁ ବେଗୁନିଆ ପର୍ଯ୍ୟନ୍ତ ନଦୀ ତାଙ୍କ କବଜାରେ ରହିଛି। ଏପରିକି ଗୋଚର ଓ ପଡ଼ିଆ ମଧ୍ୟ ବାଦ ଦେଉନାହାନ୍ତି। ଫଳରେ ବର୍ଷାଦିନେ ନଦୀର ଗତିପଥ ବଦଳିବା ଆଶଙ୍କା ଘାରିଥିଲା। ବାଲି ଚୋରି ଘଟଣାକୁ ଅଞ୍ଚଳବାସୀ ତେଜିଥିଲେ। ଏବେ ଆନ୍ଦୋଳନ କରିବା ପରେ ଏକ୍ସନ ମୋଡ଼କୁ ଆସିଛି ପ୍ରଶାସନ।
ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନନଦୀରେ ମାତିଛନ୍ତି ବାଲି ମାଫିଆ। ମାଟିଆଳି ଠାରୁ ଆରମ୍ବ କରି ବେଗୁନିଆ ପଞ୍ଚାୟତ କୋଟି କୋଟି ଟଙ୍କାର ବାଲି ଲୁଟ ହୋଇ ସାରିଲାଣି। ଶହ ଶହ ଟ୍ରାକ୍ଟର ରାତି ସାରା ବାଲି ଚୋରି କରୁଥିବା ବେଳେ ବାଲି ବାହାରକୁ ଟ୍ରକରେ ଚାଲାଣ କରୁଛନ୍ତି। ମାଫିଆଙ୍କ ଲୋଲୁପ ଦୃଷ୍ଟି କାଠପାଳ ଗାଁ ନଈ ପଠା ଉପରେ ରହିଛି। ଗତବର୍ଷ ସେହି ଅଞ୍ଚଳରେ କୋଟିଏ ଟଙ୍କାର ବାଲି ତାଡିନେବା ସହ ବିରାଟ ଗାତ ସୃଷ୍ଟି ହୋଇଥିଲା। ନଈ ପାର୍ଶ୍ଵରେ ବିରାଟ ଖେଳ ପଡିଆ,ଗୋଚର ଜମି ନଦୀ ଗର୍ଭକୁ ଗଲାଣି। ଗୋରୁ ଗାଈ ପଡି ମୃତ୍ୟୁବରଣ କରିଥିବା ବେଳେ ଶୌଚପାଇଁ ଯାଇଥିବା ଜଣେ ବୃଦ୍ଧା ମଧ୍ୟ ଗତବର୍ଷ ପଡି ଜୀବନ ହାରିଥିଲେ।
ପୁଣି ନଦୀ ମଝିରେ ଅସ୍ଥାୟୀ ପୋଲ ଓ ରାସ୍ତା ନିର୍ମାଣ କରି ସଜବାଜ ହେଉଥିଲେ ବାଲିଚୋର। ଶେଷରେ କାଠପାଳ ଅଞ୍ଚଳବାସୀ ଗାଁ ସୁରକ୍ଷା ଓ ନଦୀ ସୁରକ୍ଷା ଆଜି ସକାଳ ଠାରୁ ବାଲେଶ୍ୱର ମିତ୍ରପୁର ଉଦଳା ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଶତାଧିକ ମହିଳା ଠାରୁ ଆରମ୍ବ କରି ବୃଦ୍ଧ ପର୍ଯ୍ୟନ୍ତ ଏଥିରେ ସାମିଲ ହୋଇଥିଲେ। ଏପରିକି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯେ ପର୍ଯ୍ୟନ୍ତ ଗାଁ ସୁରକ୍ଷା ପାଇଁ ପଥର ପ୍ୟାକିଂ ଓ ଗାର୍ଡ ଓୟାଲ ନିର୍ମାଣ ନ ହୋଇଛି ଓ ନଦୀ ଉପରେ ବେଆଇନ ରାସ୍ତା ନହଟିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ଚେତାବନୀ ଦେଇଥିଲେ।
ନୀଳଗିରି ପୋଲିସ,ତହସିଲଦାର ଓ ଖଣିଜ ବିଭାଗର ଅଧିକାରୀ ଆନ୍ଦୋଳନ ଜାଗାକୁ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ।ସେପଟେ ଗାଁ ସୁରକ୍ଷା ପାଇଁ ଅଞ୍ଚଳବାସୀ ଅଡ଼ି ବସିବା ପରେ ତହସିଲଦାର ସୋନମ ଦାସ ଖଣିଜ ଅଧିକାରୀଙ୍କ ସହ ଆଲୋଚନା କରି ଏକ ସ୍କ୍ବାର୍ଡ ଗଠନ କରି ଚଢ଼ାଉ କରିବା ସହ ଜୋରିମାନା କରିବେ ବୋଲି କହିଥିଲେ। ସେହିଭଳି ମେସିନ ଆଣି ନଦୀ ଉପରେ ହୋଇଥିବା ବେଆଇନ ରାସ୍ତା ନିଜେ ତାଡିବା ସହ ସେହି ସ୍ଥାନରେ ୧୪୪ ଧାରା ଜାରି କରିବା ପାଇଁ ଉପଜିଲ୍ଲାପାଳଙ୍କୁ ସୁପାରିଶ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତା ରୋକ ହଟିଥିଲା।