ଚନ୍ଦନେଶ୍ଵର, ୨୬/୫ (ଆ.ପ୍ର): ଓଡିଆ ପରମ୍ପରା ଓ ସଂସ୍କୃତିର ଅନ୍ୟତମ ମହାନ ପର୍ବ ସାବିତ୍ରୀ ଅମାବାସ୍ୟା ପାଇଁ ଭୋଗରାଇର ବିଭିନ୍ନ ଦେବାଦେବୀ ପୀଠ ଚଳଚଂଚଳ ହୋଇ ଉଠିଥିଲା। ପ୍ରତିକୂଳ ପାଗ ଓ ଲଘୁଚାପ ଜନିତ ଝିପିଝିପି ବର୍ଷା ସତ୍ତ୍ବେ ବ୍ରତଧାରୀ ସଧବା ନାରୀମାନେ ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରିବା ସହିତ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରିଥିବା ଜଣାପଡିଛି। ଏହି ଅବସରରେ ସାହାବାଜିପୁର କିଆଁ ଗଡିଆ ମଠ, ବାଜିତପସ୍ର ଦକ୍ଷିଣସରିଷା ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର, ଚନ୍ଦନେଶ୍ଵର ଦୁର୍ଗାଦେବୀଙ୍କ ମନ୍ଦିର ଏବଂ ଶଙ୍ଖାରି ରାଧା ଗୋପୀନାଥ ଜୀଉଙ୍କ ମନ୍ଦିରରେ ବ୍ରତଧାରୀଙ୍କ ପ୍ରବଳ ଗହଳି ଲାଗିଥିଲା।
ବଡି ଭୋରରୁ ଆରମ୍ଭହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନ୍ଦିର ମାନଙ୍କରେ ଗହଳି ପରିଲକ୍ଷିତ ହୋଇଥିଲା। ମହିଳାମାନେ ବିଭିନ୍ନ ପ୍ରକାର ଫଳ, ନୁଆ କପଡା ନେଇ ପୂଜାର୍ଚ୍ଚନା କରୁଥିବାର ନଜରକୁ ଆସୁଥିଲା। ପରେ ଘରକୁ ଫେରି ସ୍ଵାମୀଙ୍କୁ ପୂଜାର୍ଚ୍ଚନା କରିବା ପରେ ପାଣି ସ୍ପର୍ଶ କରାଯିବ ବୋଲି କେତେକ ବ୍ରତଧାରୀ ମହିଳା ପ୍ରତିକ୍ରିୟାରେ କହିଥିଲେ।