ଭୁବନେଶ୍ଵର, ୦୭/୦୭ : ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମହାକାବ୍ୟ ‘ମହାଭାରତ’। ଏହାର ରଚୟିତା ହେଉଛନ୍ତି ମହର୍ଷି ବ୍ୟାସଦେବ। ସେ ଥିଲେ ଭଗବାନ୍ଙ୍କର ସୃଜନୀଶକ୍ତିର ଅବତାର। ସେ ବେଦକୁ କରିଥିଲେ ବିଭାଗୀକରଣ। ଋଗ୍ ବେଦ, ସାମ ବେଦ, ଯର୍ଜୁ ବେଦ ଏବଂ ଅଥର୍ବ ବେଦ ହେଉଛି ତାଙ୍କର ଅମର ସୃଜନୀ। ସେ କୃଷ୍ଣ ଦ୍ୱୈପାୟନ ନାମରେ ବି ପରିଚିତ। ସେ ମହାଭାରତ, ଶ୍ରୀମଦ ଭାଗବତ ମହାପୁରାଣ ସମେତ ୧୮ଟି ପୁରାଣର କରିଥିଲେ ରଚନା। ତେବେ ଆପଣ ଜାଣିଛନ୍ତି କି ? କେଉଁଠି ମହାଭାରତ ରଚନା କରିଥିଲେ ବ୍ୟାସଦେବ ?
ଦେବଭୂମି ଉତ୍ତରାଖଣ୍ଡରେ ମହାକାବ୍ୟ ମହାଭାରତର ରଚନା କରିଥିଲେ ଭଗବାନ୍ ବ୍ୟାସ। ଭାରତର ଶେଷ ଗ୍ରାମ ମାଣାରେ ଅବସ୍ଥିତ ବ୍ୟାସ ଗୁମ୍ଫା ହେଉଛି ଏହାର ବଳିଷ୍ଠ ପ୍ରମାଣ। ଏହି ଗୁମ୍ଫା ୫ହଜାର ୩୩୨ବର୍ଷର ପୁରୁଣା । ଏଠାରେ ମହର୍ଷିଙ୍କ ମୁଖ ନିସୃତ କାଳଜୟୀ କାବ୍ୟ ମହାଭାରତର ପ୍ରତ୍ୟେକଟି ଶ୍ଲୋକକୁ ଲିପିବଦ୍ଧ କରିଥିଲେ ଜ୍ଞାନଦାତା ଶ୍ରୀଗଣେଶ। କୁହାଯାଏ, ମହାଭାରତ ଡାକିବା ସମୟରେ ଆଦୌ ନଅଟକିବାକୁ ବ୍ୟାସଦେବଙ୍କ ନିକଟରେ ସର୍ତ୍ତ ରଖିଥିଲେ ଶ୍ରୀଗଣେଶ। ସେହିପରି ବ୍ୟାସଦେବ ବି ସର୍ତ୍ତ ରଖିଥିଲେ ସେ ଯାହା ଡ଼ାକିବେ ତାକୁ ପ୍ରଭୁ ବୁଝିକି ଲେଖିବେ। ସର୍ତ୍ତ ଅନୁଯାୟୀ, ଗୋଟିଏ ଶ୍ଲୋକକୁ ଶ୍ରୀଗଣେଶ ଆତ୍ମସ୍ଥ କରୁଥିବା ବେଳେ ବ୍ୟାସଦେବ ଆଉ ଗୋଟିଏ ଶ୍ଳୋକକୁ ସୃଜନ କରୁଥିଲେ। ଆଉ ଶ୍ରୀଗଣେଶ ନିରନ୍ତର ମହାଭାରତ ଲେଖି ଚାଲିଥିଲେ।
କିମ୍ବଦନ୍ତୀ ରହିଛି, ମହାଭାରତ ଲେଖିବା ବେଳେ ହଠାତ୍ ଗଣେଶଙ୍କର ଲେଖନୀ ଭାଙ୍ଗିଯାଇଥିଲା । ସେ ତୁରନ୍ତ ନିଜ ଗଜଦନ୍ତର ଅଗ୍ର ଅଂଶ ଭାଙ୍ଗି ସେଥିରେ ମହାଭାରତ ଲେଖିଥିଲେ। କୁହାଯାଏ, ମହାଭାରତ ଲେଖିବାବେଳେ ଯେତିକି ତାଳପତ୍ର ପୋଥି ବ୍ୟବହାର ହୋଇଥିଲା ତାହାହିଁ ପରସ୍ତ ପରସ୍ତ ପ୍ରସ୍ତର ପାଲଟିଯାଇଛି। ତେଣୁ ଏହି ଗୁମ୍ଫାର ଉପରିଭାଗର ପ୍ରସ୍ତର ଦେଖିବାକୁ ପୁସ୍ତକ ଭଳି ହୋଇଛି। ଆହୁରି କଥିତ ଅଛି ଏହି ପବିତ୍ର ପ୍ରକୃତିମଣ୍ଡିତ ସ୍ଥଳରେ ବ୍ୟାସଦେବ ୧୮ଟି ଯାକ ପୁରାଣ ରଚନା କରିଥିଲେ।
ଆକାରରେ ବ୍ୟାସ ଗୁମ୍ଫା ବିଶେଷ ବଡ଼ ନୁହେଁ । ଏହା ମଧ୍ୟରେ ବ୍ୟାସଦେବ, ଶୁକମୁନି, ଗଣେଶ ଆଦି ପୂଜା ପାଉଛନ୍ତି । ଏଠାରୁ ଭାରତୀୟ ଆଧ୍ୟାତ୍ମିକ ଚେତନା, ସଂସ୍କୃତି, ସାହିତ୍ୟର ସ୍ରୋତସ୍ୱିନୀ ଉଦ୍ଭବ। ହିମାଳୟ କୋଳରେ ଅବସ୍ଥିତ ବ୍ୟାସଗୁମ୍ଫା ଅନ୍ୱେଷୀଙ୍କ ପାଇଁ ସ୍ୱର୍ଗ ହୋଇଥିବାବେଳେ ଐତିହାସିକ, ପ୍ରକୃତିପ୍ରେମୀ ତଥା ଭ୍ରମଣପ୍ରିୟ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଉତ୍କୃଷ୍ଟ ସ୍ଥଳ । ପ୍ରକୃତିର ଏହି ବୈଚିତ୍ର୍ୟବ ଦେଖିଲେ ଆସ୍ତିକ କ'ଣ, ଜଣେ ନାସ୍ତିକର ମନ ବି ଆନ୍ଦୋଳିତ ହୋଇଯିବ।