ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାରଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ୫୦୦୦ ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦାୟର ଆବେଦନଗୁଡ଼ିକୁ ହାଇକୋର୍ଟର ଏକକ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ବିଚାରପତି ଜଷ୍ଟିସ୍ ପଙ୍କଜ ଭାଟିଆଙ୍କ ଅଧ୍ୟକ୍ଷତାରେ ଗଠିତ ଏକକ ଖଣ୍ଡପୀଠ ୪ ଜୁଲାଇରେ ଏହି ମାମଲାରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ଏବଂ ଆଜି ସରକାରଙ୍କ ନିଷ୍ପତ୍ତିକୁ ବୈଧ ରଖିଛନ୍ତି । ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଏହି ନୀତିଗତ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ। ଯଦି ଏହା ଅସାମ୍ବିଧାନିକ ନହୁଏ ତେବେ ଏହାକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ଶିକ୍ଷାର ଗୁଣବତ୍ତା ଉନ୍ନତ କରିବାକୁ ଏବଂ ସମ୍ବଳର ଉତ୍ତମ ବ୍ୟବହାର ପାଇଁ ନିଆଯାଇଛି ।
ଉତ୍ତର ପ୍ରଦେଶର ପ୍ରାଥମିକ ଶିକ୍ଷା ବିଭାଗ ଜୁନ୍୧୬, ୨୦୨୫ରେ ଏକ ନିର୍ଦ୍ଦେଶ ଜାରି କରିଥିଲା । ଏଥିରେ ଛାତ୍ର ସଂଖ୍ୟା ଆଧାରରେ ହଜାର ହଜାର ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ଉଚ୍ଚ ପ୍ରାଥମିକ କିମ୍ବା କମ୍ପୋଜିଟ୍ ସ୍କୁଲରେ ମିଶ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସରକାର ଯୁକ୍ତି ଦେଇଥିଲେ, ଛାତ୍ର ସଂଖ୍ୟା କମ ଥିବା ସ୍କୁଲଗୁଡ଼ିକରେ ସମ୍ବଳ ନଷ୍ଟ ହେଉଛି । ମିଶ୍ରଣ ଦ୍ୱାରା ଶିକ୍ଷକ ଏବଂ ଭିତ୍ତିଭୂମିର ଉତ୍ତମ ବ୍ୟବହାର ହୋଇପାରିବ । ଏହା ଦ୍ବାରା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ।
ସେପଟେ ଶିକ୍ଷକ ସଂଗଠନ ଏବଂ କିଛି ଅଭିଭାବକ ଏହି ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ସ୍କୁଲଗୁଡ଼ିକର ମିଶ୍ରଣ ଗ୍ରାମାଞ୍ଚଳର ପିଲାମାନଙ୍କ ଶିକ୍ଷାକୁ ପ୍ରଭାବିତ କରିବ । କାରଣ ସେମାନେ ସ୍କୁଲରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେବେ। ବିଦ୍ୟାଳୟର ମିଶ୍ରଣ ଶିକ୍ଷକଙ୍କ ଚାକିରିକୁ ପ୍ରଭାବିତ କରିପାରେ । ତେବେ ଏହି ଯୁକ୍ତିଗୁଡ଼ିକୁ ଖାରଜ କରି ହାଇକୋର୍ଟ କହିଛନ୍ତି ଯେ, ସରକାରଙ୍କ ଏହି ନୀତିଗତ ନିଷ୍ପତ୍ତି ପିଲାମାନଙ୍କ ବୃହତ୍ତର ସ୍ୱାର୍ଥକୁ ଧ୍ୟାନରେ ରଖି ନିଆଯାଇଛି। ଯଦି ସରକାରଙ୍କ ଏଭଳି ନିଷ୍ପତ୍ତିରେ କୌଣସି ସ୍ପଷ୍ଟ ନୀତିଗତ ତ୍ରୁଟି ନଥିବ ତେବେ କୋର୍ଟ ଏପରି ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।