ନୂଆଦିଲ୍ଲୀ,୭।୭: ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ କାହିଁକି ହତ୍ୟା କରାଗଲା ? ରାଜାଙ୍କ ପରିବାର ଏବେ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି। ଶିଲଂ ପୋଲିସ ପକ୍ଷରୁ ନାର୍କୋ ଟେଷ୍ଟ ଦାବିକୁ ଉଚିତ ନୁହେଁ କୁହାଯିବା ପରେ ମଧ୍ୟ ପରିବାର ଲୋକ ଟେଷ୍ଟ କରିବା ଜିଦ୍ରେ ଅଟଳ। ତାଙ୍କ ମତରେ ରାଜାଙ୍କ ହତ୍ୟା ପଛରେ କୌଣସି ବଡ଼ ରହସ୍ୟ ରହିପାରେ, ଯାହାକି ନାର୍କୋ ଟେଷ୍ଟରୁ ବାହାରକୁ ଆସିପାରେ। ରାଜାଙ୍କ ପରିବାର ଏବେ ଏଥିପାଇଁ କୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି।
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜାଙ୍କ ପରିବାର ଶିଲଂରୁ ଦିଲ୍ଲୀ ପର୍ଯ୍ୟନ୍ତ କେସ୍ ଲଢିବା ପାଇଁ ୩ ଓକିଲଙ୍କୁ ହାୟର କରିଛନ୍ତି। ଖୁବ୍ ଶୀଘ୍ର ଶିଲଂ ହାଇକୋର୍ଟରେ ଆବେଦନ କରି ସୋନମ ରଘୁବଂଶୀ ଓ ତା’ର କଥିତ ପ୍ରେମିକ ରାଜ୍ର ନାର୍କୋ ଟେଷ୍ଟ କରାଯିବାର ଦାବି କରାଯିବ। ଏହାଛଡା ଦିଲ୍ଲୀରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଓକିଲଙ୍କ ସହ ଯୋଗାଯୋଗ କରାଯାଇଛି। ଯଦି ହାଇକୋର୍ଟଙ୍କ ଆବେଦନ ଖାରଜ ହୋଇଯାଏ ତେବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଓକିଲଙ୍କୁ ଯୋଗାଯୋଗ କରିପାରନ୍ତି। ରାଜା ରଘୁବଂଶୀଙ୍କ ଭାଇ ବାରମ୍ବାର ନାର୍କୋ ଟେଷ୍ଟର ଦାବି କରିସାରିଛନ୍ତି। ତେବେ ଶିଲଂ ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ନିଜର ନିଜର ଦୋଷ ସ୍ବୀକାର କରିଛନ୍ତି ଓ ହତ୍ୟାକାଣ୍ଡ ସମ୍ପର୍କିତ ସବୁ ପ୍ରମାଣ ଜବତ କରାଯାଇଛି। ତେଣୁ ନାର୍କୋ ଟେଷ୍ଟର ଆବଶ୍ୟକତା ନାହିଁ।
ସୋନମ ରଘୁବଂଶୀ ଓ ରାଜ୍ ସମେତ ସବୁ ଅଭିଯୁକ୍ତ ଏବେ ବି ନ୍ୟାୟିକ ହେପାଜତରେ ଅଛନ୍ତି। ଇନ୍ଦୋରର ସୋନମ ଓ ରାଜାଙ୍କ ବିବାହ ୧୧ ମଇରେ ହୋଇଥିଲା। ୧୦ ଦିନ ପରେ ଦୁହେଁ ହନିମୁନରେ ମେଘାଳୟ ଯାଇଥିଲେ। ସେଠାରେ ୨୩ ମଇରେ ହଠାତ ଦୁହେଁ ନିଖୋଜ ହୋଇଯାଇଥିଲେ। ପରେ ୨ ଜୁନ୍ରେ ରାଜାଙ୍କ ମୃତଦେହ ଏକ ଖାଲ ଭିତରୁ ଉଦ୍ଧାର କରାଯାଇଥିଲା। ବହୁ ଦିନ ନିଖୋଜ ରହିବା ପରେ ସୋନମ ହଠାତ ୟୁପିର ଗାଜିପୁରରେ ଆତ୍ମସମର୍ପଣ କରିଥିଲା। ଏପର୍ଯ୍ୟନ୍ତ ଯାଞ୍ଚ ଆଧାରରେ ଶିଲଂ ପୋଲିସ କହିଛି ଯେ, ରାଜ୍ ଓ ସୋନମ ରାଜାଙ୍କ ହତ୍ୟା ଷଡଯନ୍ତ୍ର କରିଥିଲେ। ସୋନମ ରାଜ୍କୁ ଭଲ ପାଉଥିଲା ଓ ପରିବାର ଲୋକ ରାଜାଙ୍କ ସହ ବିବାହ କରାଇ ଦେଲେ। ରାଜ୍ର ତିନି ବନ୍ଧୁଙ୍କ ସାହାଯ୍ୟରେ ରାଜାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ରାଜାଙ୍କ ପରିବାର କହୁଛନ୍ତି, କେବଳ କାରଣ ସେତିକି ନୁହେଁ। ଯଦି ସୋନମ ରାଜାଙ୍କୁ ବିବାହ କରିବାକୁ ଚାହୁଁନଥିଲା ତେବେ ମନା କାହିଁକି କଲାନି ? ସେ ରାଜାକୁ ଛାଡିକି ଚାଲିବି ଯାଇପାରିଥାନ୍ତା ? କିନ୍ତୁ କାହିଁକି ହତ୍ୟା କଲା ?