ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଚୀନ ଉପରେ ଆମେରିକାର କଟକଣା: ଭାରତୀୟ ଖେଳନା ଶିଳ୍ପ ଲାଗି ବଡ଼ ସୁଯୋଗ, ସ୍ମାର୍ଟ ଖେଳନା ପ୍ରସ୍ତୁତି ଉପରେ ନଜର

Published By : Prameya | April 21, 2025 8:59 AM

ନୂଆଦିଲ୍ଲୀ,୨୧/୦୪: ଚୀନର ବିଭିନ୍ନ ସାମଗ୍ରୀ ଉପରେ ଆମେରିକା ବୃହତ ହାରରେ ଟାରିଫ୍‌ ଲଗାଇଛି । ଫଳରେ ଆମେରିକାରେ ଖାଉଟି ମାନେ ବିକଳ୍ପ ସନ୍ଧାନରେ ରହିଛନ୍ତି । ଚୀନ ଉପରୁ ନିର୍ଭରତା କମାଇବା ଉପରେ ଏବେ ଫୋକସ ରହିଛି । ଏଭଳି ସ୍ଥିତିରେ ଭାରତୀୟ ଖେଳନା ଶିଳ୍ପ ଲାଗି ବଡ଼ ସୁଯୋଗ ରହିଛି । ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ ଭାରତୀୟ କମ୍ପାନି ଗୁଡ଼ିକ ଚାହୁଁନ ଥିବା ଜଣାପଡିଛି । 

ଟଏ ଆସୋସିଏସନ ଅଫ୍‌ ଇଣ୍ଡିଆର ସଭାପତି  ଅଜୟ ଅଗ୍ରୱାଲ କହିଛନ୍ତି, ଖେଳନା ଲାଗି ଆମେରିକା ଏକ ବଡ଼ ବଜାର । ଚୀନ ଉପରେ ଅଧିକ ଟାରିଫ ଏବଂ ଭାରତ ଉପରେ ଅପେକ୍ଷାକୃତ ନିମ୍ନ ଟାରିଫ ଯୋଗୁ ଭାରତୀୟ ଶିଳ୍ପ ଏହା ଦ୍ୱାରା ଲାଭବାନ ହେବେ । ଏବେ  ୨୦ ଭାରତୀୟ ପ୍ରମୁଖ କମ୍ପାନି ଆମେରିକାକୁ ଖେଳନା ରପ୍ତାନି କରୁଛନ୍ତି । ଗତ ମାସରୁ ଆମେରିକାରୁ ଅଧିକ ଅର୍ଡର ଆସୁଛି । ଆମେରିକା ବଜାରକୁ ଖାପ ଖୁଆଇବା ଭଳି ଖେଳନା ପ୍ରସ୍ତୁତି ଉପରେ କମ୍ପାନି ଗୁଡ଼ିକ ଏବେ ଧ୍ୟାନ କେନ୍ଦ୍ରୀତ କରୁଛନ୍ତି । 

ଆମେରିକା ବଜାରର କଡ଼ା ଅନୁପାଳନ  ଏବଂ ହ୍ୱାଇଟ ଲେବଲିଂ ଭଳି ଦିଗ ଗୁଡ଼ିକ ଏ  କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଜିଏମ୍‌ଆଇ ରିସର୍ଚ୍ଚ ମୁତାବକ, ୨୦୨୪ରେ  ଆମେରିକାର ଖେଳନା ବଜାର ୪୨ ବିଲିୟନ  ଡଲାର ରହିଛି । ଏହା ୨୦୩୨ ସୁଦ୍ଧା ୫୬.୯  ବିଲିୟନ ଡଲାରକୁ ବୃଦ୍ଧି ହେବାର ଢ଼େର  ସମ୍ଭାବନା ରହିଛି । ୨୦୨୫ରୁ ୨୦୨୩ ମଧ୍ୟରେ  ଏହି ବଜାର ୩.୬%ରୁ ଉଦ୍ଧ୍ୱର୍ ଅଭିବୃଦ୍ଧି  କରିବ । 

ଏବେ ଶିକ୍ଷା ଏବଂ ଭାବ ବିନିମୟ କରିପାରୁଥିବା ଖେଳନା ଗୁଡ଼ିକ ଚାହିଦା ବେଶ ବଢ଼ିଛି । ଅନ୍ୟ ଦେଶ ତୁଳନାରେ ଭାରତ ଉପରେ କମ୍‌ ଟାରିଫ ରହିଲେ ଭାରତୀୟ ଶିଳ୍ପ ଗୁଡ଼ିକ ଆମେରିକାକୁ ଅଧିକ  ମାତ୍ରାରେ ଖେଳନା ରପ୍ତାନି କରିବାକୁ ସକ୍ଷମ  ହେବେ । ଏ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ  ପରଖିବା ଲାଗି ଅଂଶୀଦାରଙ୍କ ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଶୀଘ୍ର ଗ୍ରହଣ କରାଯିବ । ଏବେ ବିଶ୍ୱ ଖେଳନା ବଜାରରେ ଭାରତର ଅଂଶ ମାତ୍ର ୧%ରୁ କମ୍‌ ରହିଛି ।  ସରକାରଙ୍କ ପ୍ରୋତ୍ସାହନ ରହିଲେ ଏହି କ୍ଷେତ୍ର  ଆହୁରି ଅଗ୍ରଗତି କରିବ ବୋଲି ଅନୁମାନ କରାଯାଇଛି । 

ତେବେ ଭାରତୀୟ ଶିଳ୍ପକୁ ଦେଖିଲେ  ଏହା ନିରନ୍ତର ଭିତ୍ତିରେ ଅଭିବୃଦ୍ଧି କରୁଛି ।  ଟେକ୍ନୋଲୋଜିରେ ଅଗ୍ରଗତି ସହ ବିଶ୍ୱ  ବାଣିଜ୍ୟିକ ସ୍ଥିତି ଆହ୍ୱାନପୂର୍ଣ୍ଣ ହୋଇଥିବାରୁ  ଏ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ସରକାର  ଯୋଜନା ରଖିଛନ୍ତି । ୨୦୨୪ରେ ଭାରତୀୟ ଖେଳନା ଶିଳ୍ପ ୧.୯ ବିଲିୟନ ଡଲାରକୁ  ବଢ଼ିଛି । ଏହା ୧୦.୪% ହାରରେ ବୃଦ୍ଧି  ହେଉଛି । ୨୦୩୩ ବେଳକୁ ଏହି ଶିଳ୍ପ ୪.୭  ବିଲିୟନ ସ୍ତର ଛୁଇଁବ ବୋଲି ଆକଳନ  କରାଯାଇଛି । 

ଏବେ ସରକାର ଖେଳନା ଶିଳ୍ପ ଲାଗି  ନ୍ୟାଶନାଲ ଆକ୍ସନ ପ୍ଲାନ ଆଣିଛନ୍ତି । ଏଥିରେ  ଦେଶର ଖେଳନା ଶିଳ୍ପକୁ ପ୍ରୋତ୍ସାହନ,  ଦକ୍ଷତା ବିକାଶ ଏବଂ ଗୁଣବତ୍ତା ବୃଦ୍ଧି ଉପରେ  କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଗତ ୫  ବର୍ଷରେ ରପ୍ତାନି ୪୦% ବୃଦ୍ଧି ହୋଇଥିବା  ବେଳେ ଆମଦାନି ନିର୍ଭରତା ୭୯% କମିଛି ।  ଆମେରିକା ଭଳି ଚାହିଦା ଥିବା ବଜାରକୁ  ରପ୍ତାନି ଲାଗି ଦେଶର ୪୦ କମ୍ପାନି ପ୍ରସ୍ତୁତି  କରୁଛନ୍ତି । 

ଚିରାଚରିତ ଖେଳନା ପ୍ରସ୍ତୁତି ପରିବର୍ତ୍ତେ  ଭାରତୀୟ କମ୍ପାନି ଗୁଡ଼ିକ ଏବେ ଗ୍ଲୋବାଲ  ଟେକ୍ନୋଲୋଜି ଫାର୍ମ ସହ ଚୁକ୍ତି କରୁଛନ୍ତି ।  ଏହା ଦ୍ୱାରା ସ୍ମାର୍ଟ ଖେଳନା ପ୍ରସ୍ତୁତିକୁ  ଫୋକସ କରାଯାଇଛି । ଏସବୁ ଖେଳନାରେ  ଅଗମେଣ୍ଟେଡ ରିୟଲିଟି, ଆପ୍‌ ଭିତ୍ତିକ  ଇଣ୍ଟରାକ୍ସନ ଏବଂ ଏଆଇ ପାୱାର ଷ୍ଟୋରୀ  ଟେଲିଂ ଭଳି ଦିଗ ଗୁଡ଼ିକୁ ପ୍ରାଥମିକତା ମିଳୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.