ହାନୋଇ: ଭିଏତନାମ ସରକାର ଟାଇଫୁନ୍(ବାତ୍ୟା) କାଜିଗିର ଆଗମନକୁ ଦୃଷ୍ଟିରେ ରଖି ଦେଶର ମଧ୍ୟମାଞ୍ଚଳରୁ ୩,୦୦,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି। ଏହି ଝଡ଼, ଯାହାର ଗତି ଘଣ୍ଟା ପ୍ରତି ୧୬୭ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି, ସୋମବାର ଭିଏତନାମର ପୂର୍ବ ଉପକୂଳରେ ମାଡ ହେବ ବୋଲି ଆଶଙ୍କା କରାଯାଉଛି। ଏହା ଛଳିତ ବର୍ଷ ଭିଏତନାମକୁ ପ୍ରଭାବିତ କରୁଥିବା ପଞ୍ଚମ ଟ୍ରପିକାଲ୍ ଷ୍ଟର୍ମ ଅଟେ।
ସରକାର ଲୋକଙ୍କ ସୁରକ୍ଷା ପାଇଁ କେତୋଟି ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତି। ୫ଟି ଉପକୂଳବର୍ତ୍ତୀ ପ୍ରଦେଶରୁ ପ୍ରାୟ ୩,୨୫,୫୦୦ରୁ ଅଧିକ ଲୋକଙ୍କୁ ସ୍କୁଲ ଏବଂ ଅନ୍ୟାନ୍ୟ ସାର୍ବଜନୀନ ଭବନଗୁଡ଼ିକୁ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ଭାବେ ସ୍ଥାନାନ୍ତର କରାଯାଇଛି। ସେହିଭଳି ଅନ୍ୟପଟେ ଭିଏତନାମ ଏୟାରଲାଇନ୍ସ ରବିବାର ଏବଂ ସୋମବାର ମଧ୍ୟମାଞ୍ଚଳର ସହରଗୁଡ଼ିକୁ ଏବଂ ସେଠାରୁ ଆସୁଥିବା ୨୨ଟି ବିମାନ ବାତିଲ କରିଛି। ବଜେଟ୍ ଏୟାରଲାଇନ୍ ଭିଏତଜେଟ୍ ମଧ୍ୟ ସେବା ବାତିଲ କିମ୍ବା ବିଳମ୍ବରେ ଉଡାଣ ଭରିବାକୁ ଘୋଷଣା କରିଛି।
ନିନ୍ହ ବିନ୍ହରୁ କ୍ୱାଙ୍ଗ ଙାଇ ପର୍ଯ୍ୟନ୍ତ ସାତୋଟି ପ୍ରଦେଶରେ ମତ୍ସ୍ୟ ଜାହାଜଗୁଡ଼ିକୁ ବନ୍ଦର ଛାଡ଼ିବାକୁ ବାରଣ କରାଯାଇଛି। ପ୍ରାୟ ୬୦,୦୦୦ ଜାହାଜ ଏବଂ ୨,୪୯,୦୦୦ କ୍ରୁ ସଦସ୍ୟଙ୍କୁ ବିପଦ ବିଷୟରେ ସତର୍କ କରାଯାଇଛି। ଏବଂ ୪୯,୦୦୦ରୁ ଅଧିକ ଜାହାଜ ବନ୍ଦରରେ ଆଶ୍ରୟ ନେଇଛନ୍ତି। ସେହିଭଳି ଏହି ଝଡ଼ ଯୋଗୁଁ ଉତ୍ତର-ମଧ୍ୟମାଞ୍ଚଳରେ ପ୍ରାୟ ୩,୦୦,୦୦୦ ହେକ୍ଟର ଧାନ, ୭୭,୦୦୦ ହେକ୍ଟର ଫଳ ବଗିଚା ଏବଂ ୫୭,୦୦୦ ହେକ୍ଟର ରବର ଚାଷକୁ ବିପଦରେ ପକାଇପାରେ। ଏହା ସହିତ ୫,୭୦୦ରୁ ଅଧିକ ମାଛ ଚାଷ ଜଳାଶ୍ରୟ ଏବଂ ୩୮୪ଟି ଉପକୂଳବର୍ତ୍ତୀ ନିରୀକ୍ଷଣ କୁଡ଼ିଆ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି।
ବାତ୍ୟା କାଜିଗି ବର୍ତ୍ତମାନ ଚୀନର ଦକ୍ଷିଣ ଉପକୂଳକୁ ଅତିକ୍ରମ କରୁଛି ଏବଂ ସୋମବାର ଭିଏତନାମର ହା ଟିନ୍ହ ଏବଂ ଙେ ଆନ ପ୍ରଦେଶରେ ପ୍ରବଳ ବର୍ଷା ଆଣିବ ବୋଲି ଆଶଙ୍କା କରାଯାଉଛି। ଚୀନର ଜାତୀୟ ପାଣିପାଗ କେନ୍ଦ୍ର ଅନୁଯାୟୀ, ଝଡ଼ଟି ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଏବଂ ଏହାର କେନ୍ଦ୍ରରେ ପବନର ବେଗ ୩୮ ମିଟର ପ୍ରତି ସେକେଣ୍ଡ ରହିଛି। ଯାହାଫଳରେ ହାଇନାନରେ ୪୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି। ଯାହା ଗୁଆଙ୍ଗଡଙ୍ଗ ଏବଂ ଗୁଆଙ୍ଗସି ଅଞ୍ଚଳରେ ମଧ୍ୟ ବିଶେଷ ଭାବେ ପ୍ରଭାବ ପକାଇବ।
ଭିଏତନାମ ସରକାର ଏହି ଝଡ଼କୁ ଗତ ବର୍ଷ ଆସିଥିବା ବାତ୍ୟା ଯାଗୀ ସହ ତୁଳନା କରିଛନ୍ତି। ଯାହାଫଳରେ ୩୦୦ ଲୋକଙ୍କ ମୃତ୍ୟୁ ହେବା ସହ ୩.୩ ବିଲିୟନ ଡଲାରର କ୍ଷୟକ୍ଷତି ଘଟାଇଥିଲା। ଏହି ଝଡ଼ ପାଇଁ ସତର୍କତା ଜାରି କରାଯାଇଛି ଏବଂ ଜନସାଧାରଣଙ୍କୁ ସୁରକ୍ଷା ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି। ଥାଇଲ୍ୟାଣ୍ଡରେ ମଧ୍ୟ ଏହି ଝଡ଼ର ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟାର ଆଶଙ୍କା ରହିଛି।
ବାତ୍ୟା କାଜିଗି ଦକ୍ଷିଣ-ପୂର୍ବ ଏସିଆରେ ଏକ ଗୁରୁତର ବିପଦ ସୃଷ୍ଟି କରିଛି। ଭିଏତନାମ ଓ ଚୀନରେ ପ୍ରଶାସନ ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।