ନୂଆଦିଲ୍ଲୀ,୨୫।୮: ଭାରତକୁ ୩ ପଟୁ ଘେରିବାର ଯୋଜନା କରି ପାକିସ୍ତାନ ବିଫଳ। ଶେଷରେ ନିଜେ ନିଜର ଚକ୍ରାନ୍ତରେ ଛନ୍ଧି ହେଲା। ବାଂଲାଦେଶ ସହ ବନ୍ଧୁତା କରିବାକୁ ଯାଇଥିଲେ ପାକ୍ ଉପ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଇଶାକ ଡାର। ସମ୍ପର୍କ ସୁଧରିବାକୁ ଯାଇ ଶେଷରେ ହେଲେ ଅପଦସ୍ତ। ୫୪ ବର୍ଷର ବିବାଦୀୟ ସମ୍ପର୍କ ଦିନକରେ ସମାଧାନ ହୋଇପାରିବନି ବୋଲି ସଫା ସଫା କହିଦେଲା ଢାକା।
ବାଂଲାଦେଶ ଗସ୍ତରେ ଯାଇ ଅପଦସ୍ତ ହେଲେ ପାକ୍ ଉପ- ପ୍ରଧାନମନ୍ତ୍ରୀ। ପୁରୁଣା ବାଦ ବିବାଦ ଭୁଲି ସମ୍ପର୍କକୁ ସୁଧାରିବାକୁ ପ୍ରସ୍ତାବ ଦେବା ଭାରି ପଡିଲା। ତାଙ୍କର ଆଶା ଥିଲା ବାଂଲାଦେଶ ସହ ବନ୍ଧୁତା କରି ଭାରତ ଉପରେ ଚାପ ପକାଇବେ। ପାକିସ୍ତାନର ଏହି କୁଟନୈତିକ ଚକ୍ରାନ୍ତ କିନ୍ତୁ ବିଫଳ ହୋଇଛି। ଡାର ଏବଂ ବାଂଲାଦେଶର ଅନ୍ତରୀଣ ସରକାରର ବୈଦେଶିକ ପରାମର୍ଶଦାତା ଏମ ତୌହିଦ ହୁସେନ୍ଙ୍କ ମଧ୍ୟରେ ଆଲୋଚନା ବୈଠକ ହୋଇଥିଲା। ବୈଠକ ପରେ ଡାର୍ କହିଥିଲେ, ୧୯୭୧ ମସିହାର ଅତ୍ୟାଚାର ପାଇଁ ବାଂଲାଦେଶରୁ କ୍ଷମା ମାଗିବା ପ୍ରସଙ୍ଗର ସମାଧାନ ହୋଇଯାଇଛି। ଡାରଙ୍କ ଏହି କଥାର କଡା ଜବାବ୍ ଦେଇଛନ୍ତି ବାଂଲାଦେଶ ବୈଦେଶିକ ପରାମର୍ଶଦାତା। ସେ କହିଛନ୍ତି ଇଶାକ ଡାର୍ ଭୁଲ କହୁଛନ୍ତି ୫୪ ବର୍ଷ ତଳର ବିବାଦର ସମାଧାନ କେବଳ ଗୋଟିଏ ମିଟିଂରେ ସମାଧାନ ହୋଇପାରିବନି। ଆମେ ଗୋଟିଏ ଘଣ୍ଟା ବସି ସବୁକିଛି ସମାଧାନ କରିବୁ ତାହା ସମ୍ଭବ ନୁହେଁ। ବୈଠକରେ, ଉଭୟ ଦେଶ ସମାଧାନ ହୋଇପାରିନଥିବା ପ୍ରସଙ୍ଗଗୁଡ଼ିକ ଉପରେ ସେମାନଙ୍କର ମତ ରଖିଛନ୍ତି। ଆମେ ଉଭୟ ସହମତ ହୋଇଛୁ ଯେ, ପୁରୁଣା ସମସ୍ୟାଗୁଡ଼ିକର ସମାଧାନ କରାଯିବା ଉଚିତ। ଯାହା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେବାରେ ବାଧା ସୃଷ୍ଟି ହେବ ନାହିଁ।'
ଡାରଙ୍କ ସହ ବୈଠକପରେ ତୌହିଦ ହୁସେନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ସମାଧାନ ହୋଇପାରିନଥିବା ପ୍ରସଙ୍ଗ ଉଠାଇଥିଲୁ। ଯେପରିକି ୧୯୭୧ ଘଟଣା ପାଇଁ କ୍ଷମା ପ୍ରାର୍ଥନା କିମ୍ବା ଦୁଃଖ ପ୍ରକାଶ କରିବା। ସମ୍ପତ୍ତି ଉପରେ ଦାବି ଏବଂ ଫଶି ରହିଥିବା ପାକିସ୍ତାନୀ ନାଗରିକ ପ୍ରସଙ୍ଗ ଉଠାଇଥିଲୁ। ଏହା ଆଶା କରିବା ଭୁଲ ଯେ, ପୁରୁଣା ସମସ୍ୟାର ଗୋଟିଏ ଦିନରେ ସମାଧାନ ହୋଇପାରିବିନି। ତେବେ ଦୁଇ ଦେଶ ଭିତରେ ଗୋଟିଏ ଚୁକ୍ତି ସହ ୫ଟି ଏମ୍ଓୟୁ ସାକ୍ଷର ହୋଇଥିଲା। ଦୁଇ ଦେଶ ଏହି କଥା ଉପରେ ସହମତ ଯେ, ଦ୍ବିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଐତିହାସିକ ପ୍ରସଙ୍ଗକୁ ଚର୍ଚ୍ଚା ମାଧ୍ୟମରେ ସମାଧାନ କରାଯିବା ଦରକାର। ଉଲ୍ଲେଖନୀୟ ଯେ, ପାକିସ୍ତାନ ବାଂଲାଦେଶ ସହ ସମ୍ପର୍କ ସୁଧାରି ଭାରତକୁ ଘେରିବାର ଚାପ ପକାଇବାର ଚେଷ୍ଟାରେ ରହିଛି। ଏହା ପୂର୍ବରୁ ଡାର ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କୁ ସାକ୍ଷାତ କରିଥିଲେ। ପାକିସ୍ତାନ ଚାହୁଁଛି ଭାରତକୁ ୩ ପଟୁ ଘେରିବାକୁ। ତେବେ ତା’ର ଏଥର ଏହି ଚେଷ୍ଟା ସବୁଥର ଭଳି ବିଫଳ ହୋଇଛି।