ନୂଆଦିଲ୍ଲୀ, ୨୨/୦୫: ଇସ୍ରାଏଲର ଆଇରନ୍ ଡୋମ୍ ଭଳି ଆମେରିକା ନିଜର ପ୍ରତିରକ୍ଷା ପ୍ରଣାଳୀରେ ଆଗାମି ପିଢ଼ିର ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ସାମିଲ କରିବାକୁ ଯାଉଛି । ନାଁ ‘ଗୋଲ୍ଡେନ୍ ଡୋମ୍’ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତ ମଙ୍ଗଳବାର ଏହି ମହତ୍ୱାକାଂକ୍ଷୀ ପ୍ରୟାସ ବିଷୟରେ ଘୋଷଣା କରିଛନ୍ତି । ଏଥିପାଇଁ ଏକ ଡିଜାଇନ୍ ଚୟନ କରାଯାଇଛି । ଟ୍ରମ୍ପ୍ କହିଛନ୍ତି, ଗୋଲ୍ଡେନ୍ ଡୋମ୍ ତାଙ୍କ କାର୍ଯ୍ୟକାଳ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏହା ଶତ୍ରୁ ମିସାଇଲକୁ ରୋକିବାରେ ସକ୍ଷମ ହେବ । ବିଶ୍ୱର ଯେକୌଣସି ସ୍ଥାନରୁ ମିସାଇଲ ଲଞ୍ଚ୍ କରାଗଲେ ମଧ୍ୟ ଗୋଲ୍ଡେନ୍ ଡୋମ୍ ତାକୁ ରୋକିବ । ମହାକାଶରୁ ଆକ୍ରମଣକୁ ମଧ୍ୟ ଏହା ରୋକିବାରେ ସକ୍ଷମ ହେବ ବୋଲି ଟ୍ରମ୍ପ୍ ଦାବି କରିଛନ୍ତି ।
ଟ୍ରମ୍ପ୍ କହିଛନ୍ତି, ଆମେରିକୀୟ ପ୍ରତିରକ୍ଷା ପ୍ରଣାଳୀରେ ବିଗତ ୪୦ ବର୍ଷରୁ କୌଣସି ପରିବର୍ତ୍ତନ ହୋଇନାହିଁ । ବିଶ୍ୱରେ ଅନେକ ଉନ୍ନତ ଟେକ୍ନୋଲୋଜିଯୁକ୍ତ ମିସାଇଲ ନିର୍ମିତ ହେଉଛି । ବର୍ତ୍ତମାନର ପ୍ରତିରକ୍ଷା ପ୍ରଣାଳୀ ଏଭଳି ବିପଦର ମୁକାବିଲା କରିବାରେ ସକ୍ଷମ ନୁହେଁ । ଏହି ସ୍ଥିତିରେ ଗୋଲ୍ଡେନ୍ ଡୋମ୍କୁ ମହାକାଶ, ଭୂପୃଷ୍ଠ ଓ ସମୁଦ୍ରରୁ କାମ କରିବା ପାଇଁ ଡିଜାଇନ୍ କରାଯାଉଛି । ଏଥିରେ ସଂଲଗ୍ନ ଟେକ୍ନୋଲୋଜି ଶତ୍ରୁର ମିସାଇଲ ଲଞ୍ଚ୍ ହେବା ମାତ୍ରେ ତାକୁ ଟ୍ରାକ୍ କରିବ ଏବଂ ନଷ୍ଟ କରିଦେବ ।
ଗୋଲ୍ଡେନ୍ ଡୋମ୍ ପ୍ରୋଜେକ୍ଟରେ ପ୍ରାୟ ୧୭୫ ବିଲିଅନ୍ ଡଲାର ଅର୍ଥାତ୍ ୧୪.୫୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଟ୍ରମ୍ପ୍ ପ୍ରାଥମିକ ପର୍ଯ୍ୟାୟରେ ୨.୦୫ ଲକ୍ଷ କୋଟି ଟଙ୍କା ମଞ୍ଜୁରି ଦେଇଛନ୍ତି । ସେ ଏହାର ଦାୟିତ୍ୱ ସ୍ପେସ୍ ଫୋର୍ସର ଜେନେରାଲ ମାଇକେଲ ଗୁଏଟଲିନ୍ଙ୍କୁ ଦେଇଛନ୍ତି । ସେ ଟ୍ରମ୍ପ୍ଙ୍କ ଅନ୍ୟତମ ସବୁଠୁ ଭରସାଯୋଗ୍ୟ ସୈନ୍ୟ ଅଧିକାରୀ ।
ଟ୍ରମ୍ପ୍ ଆହୁରି ମଧ୍ୟ କହିଛନ୍ତି ଯେ କାନାଡ଼ା ଏଥିରେ ରୁଚି ପ୍ରଦର୍ଶନ କରିଛି । କାନାଡ଼ା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବିଷୟରେ କହିଛି, ସେମାନେ ଆମେରିକା ସହ ମିଶି ଏକ ନୂଆ ପ୍ରତିରକ୍ଷା ସୁରକ୍ଷା ଉପରେ ଚର୍ଚ୍ଚା କରୁଛନ୍ତି । ଆମେରିକା ଓ କାନାଡ଼ା ମିଳିତ ଭାବେ ନୋରାଡ (ନର୍ଥ ଆମେରିକାନ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ) ଚଳାଉଛନ୍ତି ।
ଆମେରିକା ଏବେ ପ୍ରତ୍ୟକ୍ଷ ଭାବେ କୌଣସି ଦେଶ ସହ ଯୁଦ୍ଧ କରୁନାହିଁ । କିନ୍ତୁ ଟ୍ରମ୍ପ୍ ଆଗାମି ଦିନରେ ଯୁଦ୍ଧ ଓ ବୈଦ୍ୟୁତିକ ଯୁଦ୍ଧକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ଗୋଲ୍ଡେନ୍ ଡୋମ୍ ପ୍ରୋଜେକ୍ଟ ଘୋଷଣା କରି ଟ୍ରମ୍ପ୍ କୌଣସି ଦେଶରୁ ସମ୍ଭାବ୍ୟ ବିପଦ କଥା କହିନାହାନ୍ତି । କିନ୍ତୁ ଏହି ପ୍ରଣାଳୀ ବିଦେଶୀ ମିସାଇଲ ଆକ୍ରମଣରୁ ଦେଶକୁ ରକ୍ଷା କରିବ ବୋଲି ସେ କହିଛନ୍ତି । ତେବେ ଏହି ବିଦେଶୀ ‘ଶତ୍ରୁ’ କିଏ? ଆମେରିକାକୁ ମୁଖ୍ୟତଃ ଚୀନ୍, ରୁଷ୍, ଇରାନ ଓ ଉତ୍ତର କୋରିଆ ଭଳି ଦେଶରୁ ମିସାଇଲ ଆକ୍ରମଣର ବିପଦ ରହିଛି । ଦ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ ଅନୁସାରେ, ଚୀନ୍ ଓ ରୁଷ୍ର ହାଇପରସୋନିକ ମିସାଇଲ, ବାଲିଷ୍ଟିକ୍ ମିସାଇଲ ଓ ଏଆଇ-ଆଧାରିତ ଅସ୍ତ୍ର ଆମେରିକା ପାଇଁ ଭବିଷ୍ୟତରେ ସୁରକ୍ଷା ଚାଲେଞ୍ଜ୍ ସୃଷ୍ଟି କରିପାରନ୍ତି । ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ତା’ର ଲମ୍ବା ଦୂରତାର ମିସାଇଲ କ୍ଷମତା ମଧ୍ୟ ବିପଦ ରୂପେ ଉଭା ହେଉଛି ।
ଟ୍ରମ୍ପ୍ ନିଜର ନିର୍ବାଚନ ପ୍ରଚାରରେ ଏହି ପ୍ରତିରକ୍ଷା ପ୍ରଣାଳୀର ପ୍ରତିଶ୍ରୁତି ଦେଇଥିଲେ । ଏ ବିଷୟରେ ସେ କହିଛନ୍ତି ‘ମୁଁ ଆମେରିକାବାସୀଙ୍କୁ କଥା ଦେଇଥିଲି ଯେ ମୁଁ ଦେଶକୁ ବିଦେଶୀ ମିସାଇଲ ଆକ୍ରମଣର ବିପଦରୁ ରକ୍ଷା କରିବା ପାଇଁ ଅତ୍ୟାଧୁନିକ ମିସାଇଲ ରକ୍ଷା କବଚ ନିର୍ମାଣ କରିବି । ଆଜି ଆମେ ଏହା ହିଁ କରୁଛୁ ।’ ଟ୍ରମ୍ପ୍ଙ୍କ ଅନୁସାରେ, ଗୋଲ୍ଡେନ୍ ଡୋମ୍ ହାଇପର ସୋନିକ୍ ମିସାଇଲ, ବାଲିଷ୍ଟିକ୍ ମିସାଇଲ ଓ ଉନ୍ନତ କ୍ରୁଜ୍ ମିସାଇଲ, ସବୁକୁ ବାୟୁରେ ହିଁ ଧ୍ୱସ୍ତ କରିଦେବ ।
ଏଲନ ମସ୍କଙ୍କ କମ୍ପାନି ସ୍ପେସ୍ଏକ୍ସ ସହ ଏହି ପ୍ରଣାଳୀର ପ୍ରମୁଖ ଅଂଶର ବିକାଶ ନିମନ୍ତେ ଚୁକ୍ତି ହୋଇଛି । ସ୍ପେସ୍ଏକ୍ସ ଏହି ଡିଫେନ୍ସ ସିଷ୍ଟମ୍କୁ ପଲଂଟିର (ସଫ୍ଟୱେର) ଓ ଏଡୁରିଲ (ଡ୍ରୋନ୍ ନିର୍ମାତା) ସହ ମିଶି ନିର୍ମାଣ କରିବ । ଇସ୍ରାଏଲର ଆଇରନ୍ ଡୋମ୍ର ନିଜସ୍ୱ ସୀମା ଅଛି । ଏହାକୁ ମୁଖ୍ୟତଃ ଶର୍ଟରେଞ୍ଜ୍ ରକେଟ୍ ଓ ମିସାଇଲଗୁଡ଼ିକୁ ରୋକିବା ପାଇଁ ଡିଜାଇନ୍ କରାଯାଇଛି । କିନ୍ତୁ ଗୋଲ୍ଡେନ୍ ଡୋନ୍ ଲମ୍ବା ଦୂରତାର ମିସାଇଲ, ଡ୍ରୋନ୍ ଓ ଏଆଇ-ଆଧାରିତ ବିପଦକୁ ନଷ୍ଟ କରିବ