ନୂଆପଡ଼ା, ୨୦।୫ : ନୂଆପଡ଼ା ଏକତା ଛକରେ ଦୁର୍ଘଟଣା। ଟ୍ରାଫିକ୍ ସିଗନାଲ୍ ଅତିକ୍ରମ କରିବା ବେଳେ ବାଇକ୍କୁ ଧକ୍କା ଦେଲା ଟ୍ରକ୍। ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର । ମୃତକ ଜଣଙ୍କ ହେଉଛନ୍ତି କୋମନା ଥାନା ରେଙ୍ଗାବାହାଲ ଗାଁର ରୁକ୍ମଣୀ ସାହୁ। ସେପଟେ ସ୍ଵାମୀ ଛବିଲାଲ ସାହୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳ ୯ଟାରେ କୋମନା ଥାନା ରେଙ୍ଗାବାହାଲ ଗାଁର ଛବିଲାଲ ଓ ସ୍ତ୍ରୀ ରୁକ୍ମଣୀ ଏକ ବାଇକ୍ ଯୋଗେ ଖରିଆରରୋଡ଼ ପଟେ ଯାଉଥିଲେ । ନୂଆପଡ଼ା ଏକତା ଛକରେ ଟ୍ରାଫିକ୍ ସିଗନାଲ ଅତିକ୍ରମ କରିବା ବେଳେ ଏକ ଟ୍ରକ୍ ବାଇକ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ରୁକ୍ମଣୀ ଗାଡ଼ିରୁ ଛିଟକି ପଡ଼ିଥିଲେ। ତାଙ୍କ ମୁଣ୍ଡ ଉପରେ ଟ୍ରକ୍ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ରୁକ୍ମଣୀଙ୍କ ମୃତ୍ୟୁ ହୋଇଥିଲା। ସେପଟେ ସ୍ଵାମୀ ଛବିଲାଲ ସାହୁ ଗୁରୁତର ହୋଇଥିଲେ। ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ଘଟଣା ସ୍ଥଳରେ ପହଞ୍ଚି ଛବିଲାଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରୁକ୍ମଣୀଙ୍କ ଶବ ବ୍ୟଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।