କୋଣାର୍କ,୨୩/୭(ମାନସ ରଞ୍ଜନ ପାତ୍ର) : ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଅସ୍ତିତ୍ବ ହରାଇବାକୁ ବସିଛି । ଚନ୍ଦ୍ରଭାଗା ମେଳା ପଡ଼ିଆରେ ଶୌଚାଳୟ ନିର୍ମାଣ ହେଉଛି। ଚନ୍ଦ୍ରଭାଗା ମେଳାପଡ଼ିଆ ପ୍ରାଚୀନ ସଂସ୍କୃତି ଓ ପରମ୍ପରା କ୍ଷୂର୍ଣ୍ଣ ହେଉଥିବା ସଂସ୍କୃତିପ୍ରେମୀ, ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସୌନ୍ଦର୍ଯ୍ୟକରଣ ଆଳରେ ଚନ୍ଦ୍ରଭାଗା ମେଳାପଡିଆରେ ଅସ୍ଥାୟୀ ଦୋକାନଗୃହ ଓ ଶୌଚାଳୟ ନିର୍ମାଣ ମାଘ ସପ୍ତମୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା ଉପୁଜିବ ବୋଲି ଚନ୍ଦ୍ରଭାଗା ବଜାର କମିଟି ଅଭିଯୋଗ କରିଛି । ଚନ୍ଦ୍ରଭାଗା ମେଳାପଡିଆରେ କଂକ୍ରିଟ ଢଳେଇ କରାଯାଇ ଏଠାରେ ଦୋକାନ ଗୃହ ଓ ଶୌଚାଳୟ ନିର୍ମାଣ କରାଯାଇ ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ମେଳାପଡ଼ିଆରେ ଏଭଳି ନିର୍ମାଣକୁ ବ୍ୟବସାୟୀମାନେ ତୀବ୍ର ବିରୋଧ କରିଛନ୍ତି ।
ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜୟଦେବ ବାଟିକା ନିକଟରେ ଥଇଥାନ ନ କରି ମେଳା ପଡ଼ିଆରେ ମନମୁଖୀ କାମ କରୁଥିବା କମିଟି କହିଛି। ପବିତ୍ର ମାଘ ସପ୍ତମୀ ତିଥିରେ ଏହି ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଦୁରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ପୂର୍ବ ରାତିରେ ମେଳାପଡିଆରେ ବିଶ୍ରାମ ନେଇଥାନ୍ତି। ଶ୍ରୀଶ୍ରୀ ତ୍ରିବେଣୀଶ୍ବର, ଇଷାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିଥାନ୍ତି।
ସୂଚନାଯୋଗ୍ୟ,ଚନ୍ଦ୍ରଭାଗା ବେଳାଭୂମୀ ସୌନ୍ଦର୍ଯ୍ୟକରଣ ପାଇଁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ମେରାଇନ ଥାନା ସମ୍ମୁଖ ବେଳାଭୂମିରେ ସୌନ୍ଦର୍ଯ୍ୟକରଣ ମନ୍ଥର ଗତିରେ ଚାଲିଛି । ମେଳା ପଡ଼ିଆରେ ଶୌଚାଳୟ ନିର୍ମାଣ ବନ୍ଦ ନ କଲେ ବଜାର କମିଟି ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି।