ବରଗଡ଼/ସୋହେଲା,୦୮/୧୨: ଦୀର୍ଘ ଅପେକ୍ଷାର ଅନ୍ତ । ଚାଷୀଙ୍କ ଖାତାକୁ ଯିବ ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି (ବୋନସ୍) । ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଇଚ୍ଛାପାଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିବାର ରାଜ୍ୟସ୍ତରୀୟ ଇନ୍ପୁଟ୍ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଅନୁରୂପ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସମାବେଶରେ ଇନ୍ପୁଟ୍ ସବ୍ସିଡି ବଣ୍ଟାଯିବ ।
୨୦୨୪ ସାଧାରଣ ନିର୍ବାଚନରେ ଭାଜପା ବଡ଼ ଘୋଷଣା କରିଥିଲା । ଓଡ଼ିଶାରେ କ୍ଷମତାକୁ ଆସିଲେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ଦଳ । ଦଳ ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ପୂରଣ ପାଇଁ ଅଣ୍ଟା ଭିଡ଼ିଛି । ଏକ କ୍ୱିଣ୍ଟାଲ ଧାନ ବାବଦରେ ଚାଷୀ ୨୩୦୦ ଟଙ୍କା ପାଉଥିବାବେଳେ ଏଥିରେ ଯୋଡ଼ିହୋଇଛି ୮ ଶହ ଟଙ୍କା ଇନପୁଟ ସବ୍ସିଡି । ଧାନ କିଣାଯିବାର ୪୮ ଘଣ୍ଟା ମଧ୍ୟରେ ଏହି ଟଙ୍କା ଚାଷୀ ପାଇବେ । ଆକାଉଣ୍ଟକୁ ସିଧାସଳଖ ଟଙ୍କା ପୈଠ ହେବ ।
ଶନିବାର ଅପରାହ୍ନ ୪ଟା ସୁଦ୍ଧା ଧାନ ବିକ୍ରି କରିସାରିଥିବା ଚାଷୀ ହିଁ ପ୍ରଥମ ପର୍ଯ୍ୟାୟ ବୋନ୍ସ ରାଶି ପାଇବେ । ହେଲେ କେଉଁ ଚାଷୀ ବୋନସ୍ ପାଇବେ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଚାଷୀ ଦେଇଥିବା ଧାନକୁ ମିଲର୍ସ ପରବର୍ତ୍ତୀ ଦିନ ହିଁ ଗ୍ରହଣ କରୁଛନ୍ତି । ତେଣୁ ଧାନ ବିକ୍ରି କରିଥିଲେ ହେଁ ସମସ୍ତ ପ୍ରକ୍ରିୟା ଶେଷ ହେଉ ନ ଥିବାରୁ ଅନେକ ଚାଷୀ ପ୍ରଥମ ପର୍ଯ୍ୟାୟ ବୋନସରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି । ବରଗଡ଼ ଜିଲ୍ଲାରେ ଶନିବାର ଅପରାହ୍ଣ ସୁଦ୍ଧା ୧୫ ହଜାର ୫୯ ଚାଷୀ ପ୍ରାୟ ୭ ଲକ୍ଷ ୧୪ ହଜାର ୫୦୦ କ୍ୱିଣ୍ଟାଲ ଧାନ ବିକି ଥିବା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେଣୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୫ ହଜାର ୫୯ ଚାଷୀ ବୋନସ ପାଇବେ ବୋଲି ଆପାତତଃ ଜଣାପଡ଼ିଛି। ସେମାନଙ୍କ ଆକାଉଣ୍ଟକୁ ୫୭ କୋଟି ୧୬ ଲକ୍ଷ ଟଙ୍କା ଆସିବ ବୋଲି ଆକଳନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଆସି ପଦ୍ମପୁରସ୍ଥିତ ସତୀଭଟା ଏୟାରଷ୍ଟ୍ରିପ୍ରେ ୧୧ଟା ୧୫ରେ ଅବତରଣ କରିବେ । ସେଠାରୁ ହେଲିକପ୍ଟରରେ ଇଚ୍ଛାପାଲି ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସଭାସ୍ଥଳକୁ ଯିବେ । ଚାଷୀ ଓ ସମବେତ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ । ଧାନର ଏମ୍ଏସ୍ପି ଉପରେ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କାର ବୋନସ ସହାୟତା ରାଶିର ଶୁଭାରମ୍ଭ କରିବେ ।
ମୁଖ୍ୟମନ୍ତ୍ରୀ ଅପରାହ୍ନ ୨ଟା ୧୦ ଯାଏ ସୋହେଲାରେ ରହିବେ । ୨ଟା ୧୫ରେ ହେଲିକପ୍ଟରରେ ନବରଙ୍ଗପୁର ଯାଇ ‘ମଣ୍ଡେଇ’ ପର୍ବରେ ଯୋଗଦେବେ ବୋଲି ଜଣାପଡ଼ିଛି । ଇଚ୍ଛାପାଲିରେ ଇନ୍ପୁଟ୍ ସବ୍ସିଡି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଇରାଶିଷ ଆଚାର୍ଯ୍ୟ, ସନତ ଗଡ଼ତିୟା, ନିହାର ରଞ୍ଜନ ମହାନନ୍ଦ କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିଜସ୍ତରରେ ଉଦ୍ୟମ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି । ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସଭାସ୍ଥଳ ପ୍ରସ୍ତୁତି ତଦାରଖ କରୁଥିବା ବେଳେ ଏସ୍ପି ପ୍ରହଲ୍ଲାଦ ସହାଇ ମୀନା ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୪ ଏଏସ୍ପି, ୧୨ ଡିଏସପି, ୩୫ ଇନ୍ସପେକ୍ଟର, ୧୨୦ ଏସ୍ଆଇ ଓ ଏଏସଆଇଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସମୁଦାୟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
କିଏ କେଉଁଠି ବାଣ୍ଟିବେ
କଥା ଦେଇ କଥା ରଖିଲେ ସରକାର । କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଧାନ କ୍ୱିଣ୍ଟାଲ ପିଛା ଇନ୍ପୁଟ ସହାୟତା ରାଜ୍ୟ ସରକାର ପ୍ରଦାନ କରିବେ । ଓଡ଼ିଆ ଅସ୍ମିତାକୁ ପାଥେୟ କରି ରାଜ୍ୟରେ ଗଠିତ ସରକାର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ଐତିହାସିକ ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟବ୍ୟାପୀ ଚାଷୀ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି । ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମ୍ୱଲପୁରରେ ମନ୍ତ୍ରୀ ରବିନାରାୟଣ ନାଏକ, ଖୋର୍ଦ୍ଧାରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗଞ୍ଜାମରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା, କଳାହାଣ୍ଡିରେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କୋରାପୁଟରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଲେଶ୍ୱରରେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, କନ୍ଧମାଳରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜଗତ୍ସିଂହପୁରରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଭଦ୍ରକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେବେ । ଅନ୍ୟ ଜିଲ୍ଲାରେ ସମ୍ପୃକ୍ତ ସାଂସଦ ଏବଂ ବିଧାୟକ ଉପସ୍ଥିତ ରହିବେ । ରାଜ୍ୟ ସରକାର ଖରିଫ୍ ଧାନ ସଂଗ୍ରହରେ ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଉଛନ୍ତି । ଧାନକିଣା ପୂର୍ବରୁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ ଦିଆଯାଉଛି । ମଣ୍ଡିରେ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଯାଉଛି । ନୋଡାଲ ଅଫିସର ଧାନକିଣା ଉପରେ ନଜର ରଖୁଛନ୍ତି । ବାହାର ରାଜ୍ୟର ଧାନ ଓଡ଼ିଶାକୁ ଯେପରି ପ୍ରବେଶ ନ କରିବ ସେଥିଲାଗି ଟାସ୍କଫୋର୍ସ ଗଠନ କରାଯାଇଛି । କୌଣସି ଅଭିଯୋଗ ଥିଲେ ଚାଷୀମାନେ ୧୯୬୭କୁ ଯୋଗାଯୋଗ କରି ସମସ୍ୟା ଜଣାଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।