ମହାରାଷ୍ଟ୍ର ମାଲେଗାଓଁ ବମ୍ ବ୍ଲାଷ୍ଟ ମାମଲା। ୧୭ ବର୍ଷର ଆଇନଗତ ଲଢେଇ... ୩୨୩ ସାକ୍ଷୀ... ୭ ଅଭିଯୁକ୍ତ... ୧୦୮୦୦ ପ୍ରମାଣ... ୫ ଜଜ ଏବଂ ଶେଷରେ ସମସ୍ତେ ଖଲାସ। ଏନଆଇଏ କୋର୍ଟଙ୍କ ବଡ଼ ରାୟ, ପ୍ରମାଣ ଅଭାବରୁ ସବୁ ଅଭିଯୁକ୍ତ ନିର୍ଦ୍ଦୋଷ। ଭାରତୀୟ ନ୍ୟାୟ ବ୍ୟବସ୍ଥା ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍। ମାଲେଗାଓଁ ବିସ୍ଫୋରଣ ପଛରେ କାହାର ହାତ ? କ'ଣ ପବନରେ ମିଳେଇଗଲେ କି ସବୁ ଦୋଷୀ ?
ରମଜାନ ରାତିରେ ମାଲେଗାଓଁ ଛାରଖାର :
୨୦୦୮ ସେପ୍ଟେମ୍ଵର ୨୯ ରାତି ପ୍ରାୟ ୯ଟା ୩୫। ନାସିକ ଜିଲ୍ଲାର ଅଞ୍ଜୁମନ ଛକ ଏବଂ ଭିକୁ ଛକ ମଝିରେ ହଠାତ୍ ଘଟିଲା ଏକ ଭୟଙ୍କର ବିସ୍ଫୋରଣ। ଏକ ମୋଟର ସାଇକେଲ୍ରେ ଖଞ୍ଜା ହୋଇଥିବା ବମ୍ରୁ ହୋଇଥିଲା ଜୋରଦାର୍ ଧମାକା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଚାଲିଗଲା ୬ ଜଣଙ୍କ ଜୀବନ। ଆହତ ହୋଇଥିଲେ ୧୦୦ରୁ ଅଧିକ। ସବୁକିଛି ହୋଇଗଲା ଛାରଖାର୍। ପବିତ୍ର ରମଜାନ୍ ମାସରେ ମସଜିଦ୍ ନିକଟରେ ଏଭଳି ହୃଦୟ ବିଦାରକ ଘଟଣା ଦେଖି ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ। ମାଲେଗାଓଁରେ ସାମ୍ପ୍ରଦାୟିକ ହିଂସାକୁ ବହ୍ନି ସଂଯୋଗ କଲା ଏହି ସମ୍ଵେଦନଶୀଳ ଘଟଣା।
ସେପ୍ଟେମ୍ଵର ୩୦ରେ ପ୍ରଥମ ଏଫଆଇଆର :
ସେପ୍ଟେମ୍ଵର ୨୯ ତାରିଖ ରାତିରେ ଏହି ଛାତିଥରା ଘଟଣା ପରେ ରାତି ପ୍ରାୟ ୩ଟା ବେଳେ ମାଲେଗାଓଁର ଆଜାଦ ନଗର ପୁଲିସ ଷ୍ଟେସନରେ ହୋଇଥିଲା ପ୍ରଥମ ମାମଲା ରୁଜୁ। ଏଇଠୁ ପଡ଼ିଥିଲା ଲମ୍ଵା ତଦନ୍ତ ପ୍ରକ୍ରିୟାର ମୂଳଦୁଆ।
ଅକ୍ଟୋବର ୨୧ରେ ATSକୁ ଦାୟିତ୍ଵ :
ଏହି ସମ୍ଵେଦନଶୀଳ ମାମଲାକୁ ଗୁରୁତ୍ଵ ଦେଇ ୨୦୦୮ ଅକ୍ଟୋବର ୨୧ରେ ମହାରାଷ୍ଟ୍ର ଏଟିଏସ୍କୁ ଦିଆଯାଇଥିଲା ତଦନ୍ତ ଭାର। ପ୍ରାଥମିକ ତଦନ୍ତରୁ ଦକ୍ଷିଣପନ୍ଥୀ ସଙ୍ଗଠନ ଉପରେ ସନ୍ଦେହ କରିଥିଲା ଏଟିଏସ୍। ଏହାପରେ ସାମ୍ନାକୁ ଆସିଥିଲା ସାଧ୍ଵୀ ପ୍ରଜ୍ଞା ସିଂ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ଭଳି ନାମ। ଯାହାକି ମାମଲାକୁ ଆହୁରି ଦେଇଥିଲା ସାମ୍ପ୍ରଦାୟିକ ରଙ୍ଗ।
୨୦୦୯ ଜାନୁଆରୀ ୨୦ରେ ଏଟିଏସ୍ର ଚାର୍ଜସିଟ୍ :
୨୦୦୯ ଜାନୁଆରୀ ୨୦ରେ ମୁମ୍ଵାଇର MCOCA କୋର୍ଟରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା ଏଟିଏସ୍। ୧୧ ଜଣ ଅଭିଯୁକ୍ତଙ୍କ ଉପରେ ଲଗାଯାଇଥିଲା ସଙ୍ଗୀନ ଆରୋପ। ହତ୍ୟା, ଷଡ଼ଯନ୍ତ୍ର ଏବଂ ଆତଙ୍କବାଦୀ ଲିଙ୍କ୍ ବିଷୟରେ ଚାର୍ଜସିଟ୍ରେ କରାଯାଇଥିଲା ଉଲ୍ଲେଖ। ଏପରିକି ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ମୋଟର ସାଇକେଲ୍ ସାଧ୍ଵୀ ପ୍ରଜ୍ଞାଙ୍କର ଏବଂ ଆରଡିଏକ୍ସ ବ୍ୟବସ୍ଥା ପ୍ରସାଦ ପୁରୋହିତ କରିଥିଲେ ବୋଲି ଲେଖିଥିଲା ଏଟିଏସ୍।
୨୦୧୧ ଏପ୍ରିଲ୍ ୧୩ରେ NIAର ଏଣ୍ଟ୍ରି :
ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୨୦୧୧ ଏପ୍ରିଲ୍ ୧୩ରେ NIAକୁ ହସ୍ତାନ୍ତର କରାଯାଇଥିଲା ତଦନ୍ତ ଭାର। ପୁଣି ଥରେ ନୂଆ କରି ତଦନ୍ତ ଆରମ୍ଭ କରିଥିଲା ଏନଆଇଏ।
୨୦୧୧ ଏପ୍ରିଲ ୨୧ରେ NIAର ପ୍ରଥମ ସପ୍ଲିମେଣ୍ଟ ଚାର୍ଜସିଟ୍ :
୨୦୧୧ ଏପ୍ରିଲ ୨୧ରେ NIA ମୁମ୍ଵାଇ କୋର୍ଟରେ ପ୍ରଥମ ସପ୍ଲିମେଣ୍ଟ ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ୭ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦିଆଗଲା। ହେଲେ ଦୋଷୀ ସାବ୍ୟସ୍ତ କରିବାକୁ ପ୍ରମାଣର ଅଭାବ ଥିଲା।
୨୦୧୬ ମେ ୧୩ରେ ନୂଆ ଚାର୍ଜସିଟ୍ :
୨୦୧୬ ମେ ୧୩ରେ NIA ନୂଆ ଚାର୍ଜସିଟ୍ ଦାଖଲ କଲା। ସାଧ୍ଵୀ ପ୍ରଜ୍ଞା ଏବଂ ଅନ୍ୟ ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଆରୋପ ହଟାଇ ଦେଲା। ପ୍ରମାଣ ଅଭାବରୁ ଘଟଣାକୁ ନୂଆ ମୋଡ଼ ଦେଲା।
୨୦୧୭ରେ ଅଭିଯୁକ୍ତଙ୍କୁ ଜାମିନ :
୨୦୧୭ରେ ପ୍ରମାଣ ଅଭାବ ଏବଂ ସାକ୍ଷୀମାନେ ଓହରିବାରୁ ୭ ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା। ଏହି ନିଷ୍ପତ୍ତି ବିବାଦକୁ ଜନ୍ମ ଦେଲା।
୨୦୧୭ ଡିସେମ୍ଵର ୨୭ରେ ଚାର୍ଜ ଫ୍ରେମିଂ :
ଏନଆଇଏ ସ୍ପେଶାଲ୍ କୋର୍ଟ ଚାର୍ଜ ଫ୍ରେମିଂ ପୁଣି ଥରେ ଆରମ୍ଭ କଲା। ଏବେ ମାମଲା ଟ୍ରାଏଲ୍ ଆଡ଼କୁ ବଢିଲା।
୨୦୧୮ ଅକ୍ଟୋବର ୩୦ :
ଲମ୍ଵା ଶୁଣାଣି ପରେ କୋର୍ଟ ୭ ଅଭିଯୁକ୍ତଙ୍କୁ ବିରୋଧରେ ଅଭିଯୋଗକୁ ଧାର୍ଯ୍ୟ କଲେ।
୨୦୧୮ ଡିସେମ୍ଵର ୩ରେ ପ୍ରଥମ ସାକ୍ଷୀ:
ଟ୍ରାଏଲ୍ ଆରମ୍ଭରେ ପ୍ରଥମ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଗଲା। ଏହାପରେ ମୋଟ ୩୨୩ ସାକ୍ଷୀ କୋର୍ଟରେ ସାକ୍ଷୀ ଦେଲେ। ହେଲେ ସବୁଠୁ ବଡ଼ କଥା ୪୦ ସାକ୍ଷୀ ତାଙ୍କ ପୁରୁଣା ବୟାନରୁ ଓହରି ଗଲେ।
୨୦୨୪ ଅଗଷ୍ଟ ୧୨ରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ :
ଧାରା ୩୧୩ ସିଆରପିସି ଆଧାରରେ ସମସ୍ତ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଗଲା। ଏହା ଟ୍ରାଏଲ୍ର ପ୍ରମୁଖ ଅଂଶ ଥିଲା। ଅଭିଯୁକ୍ତମାନେ ସେମାନଙ୍କ ପକ୍ଷରେ ଦଲିଲ ଉପସ୍ଥାପନ କଲେ।
୨୦୨୪ ଜୁଲାଇ ୨୫ରେ କୋର୍ଟରେ ଦମଦାର୍ ତର୍କ :
୨୦୨୪ ଜୁଲାଇ ୨୫ରେ କୋର୍ଟରେ ଦମଦାର୍ ତର୍କ ହୋଇଥିଲା। ଏହା ଏକ ସୁନିୟୋଜିତ ଆତଙ୍କବାଦୀ ଷଡ଼ଯନ୍ତ୍ର ଥିଲା ବୋଲି ଯୁକ୍ତି ବଢାଗଲା। ହେଲେ କୌଣସି ଠୋସ୍ ପ୍ରମାଣ ମିଳିଲାନି। ବରଂ ଅଭିଯୁକ୍ତଙ୍କୁ ରାଜନୈତିକ ଚାପ ଯୋଗୁଁ ଫସା ଯାଇଥିବା କୁହାଗଲା। ପ୍ରାୟ ୬ ମାସ ଯାଏଁ ଯୁକ୍ତିତର୍କ ଚାଲିଲା।
୨୦୨୫ ଜୁଲାଇ ୩୧ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ :
୧୭ ବର୍ଷର ଲମ୍ବା ଆଇନଗତ ଲଢେଇ ପରେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଗଲେ।
ଅଭିଯୁକ୍ତଙ୍କ ନାମ:
ପ୍ରଜ୍ଞା ସିଂ ଠାକୁର, ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତ, ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ସୁଧାକର ଚତୁର୍ବେଦି, ଅଜୟ ରାହିରକର, ସୁଧାକର ଧର ଦ୍ୱିବେଦୀ ଏବଂ ସମୀର କୁଲକର୍ଣ୍ଣି
କୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ :
ଆତଙ୍କବାଦର କୌଣସି ରଙ୍ଗ କିମ୍ବା ଧର୍ମ ନାହିଁ କିମ୍ଵା କୌଣସି ଧର୍ମ ଆତଙ୍କବାଦ ପାଇଁ ଓକିଲାତି କରେ ନାହିଁ
ATS ଏବଂ NIAର ଯାଂଚ୍ରେ ଅବହେଳା
ଦୋଷ ସାବ୍ୟସ୍ତ କରିପାରିଲେନି ସରକାରୀ ଓକିଲ
ସଜା ଦେବା ପାଇଁ କେବଳ ନୈତିକ ଆଧାର ନୁହେଁ ବଳିଷ୍ଠ ପ୍ରମାଣ ଥିବା ଆବଶ୍ୟକ
ଅଭିଯୁକ୍ତଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ