ନୂଆଦିଲ୍ଲୀ: ବିଲୁପ୍ତପ୍ରାୟ କଇଁଛ ଖାଇ ୩ ଜଣଙ୍କ ଜୀବନ ଯାଇଛି। ଏହା ବ୍ୟତୀତ ୩୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସାମୁଦ୍ରିକ କଇଁଛ ମାଂସ ଖାଇବା ଦ୍ବାରା ଫିଲିପାଇନ୍ସରେ ଲୋକଙ୍କ ମୃତ୍ୟୁ ଏବଂ ଗୁରୁତର ହେବା ଖବର ବିଶ୍ବରେ ଚର୍ଚ୍ଚା ସୃଷ୍ଟି କରିଛି । ଫିଲିପାଇନ୍ସର ମିଡାନାଓରେ ଥିବା ତେଡୁରେ ଜନଜାତି ସଂପ୍ରଦାୟର ଲୋକମାନେ ସାମୁଦ୍ରିକ କଇଁଛ ଖାଇଥାନ୍ତି । କିନ୍ତୁ ଏକ ବିଲୁପ୍ତପ୍ରାୟ କଇଁଛ ଖାଇବା ପରେ ଲୋକମାନଙ୍କ ଠାରେ ବିଭିନ୍ନ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥିଲା । ଲୋକଙ୍କ ଠାରେ ଝାଡ଼ାବାନ୍ତି ଏବଂ ତଳିପେଟ ଯନ୍ତ୍ରଣା ଆଦି ଲକ୍ଷ୍ୟଣ ଦେଖାଦେଇଥିଲା ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଫିଲିପାଇନ୍ସର ପରିବେଶ ସୁରକ୍ଷା ନିୟମ ଅନୁଯାୟୀ, ଦେଶରେ ସାମୁଦ୍ରିକ କଇଁଛ ଶିକାର କରିବା ନିଷେଧ। ଏହା ସତ୍ତ୍ୱେ ବିଭିନ୍ନ ଅଞ୍ଚଳରେ ସାମୁଦ୍ରିକ ଜୀବ ଖାଇବାର ପରମ୍ପରା ରହିଛି । ତେବେ ସାମୁଦ୍ରିକ କଇଁଛର ମାଂସ ଖାଇବା ଦେହ ପାଇଁ ଅତି ଖରାପ । ବେଳେ ବେଳେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରେ । ସାମୁଦ୍ରିକ କଇଁଛ ଶରୀରରେ କେଲୋନିଟକ୍ସିନ୍ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ଥାଏ । ଏହାର ମାଂସ ଖାଇବା ଦ୍ବାରା ମଣିଷ ଝାଡ଼ାବାନ୍ତି, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ଜୀବନ ହରାଏ।
କଇଁଛ ଉଦ୍ଧାର ସଂଗଠନ ଅନୁସାରେ, ଲୋକମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତଥାପି କଇଁଛ ଖାଇଥିବା ଶୈବାଳ ହିଁ ଏହାର କାରଣ ହୋଇଥାଇପାରେ । ସେପଟେ କେବଳ ମଣିଷ ନୁହଁନ୍ତି କଇଁଛ ମାଂସ ଖାଇଥିବା କିଛି କୁକୁର, ବିଲେଇ ଏବଂ କୁକୁଡ଼ା ମଧ୍ୟ ଜୀବନ ହରାଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଚିକିତ୍ସାଧୀନ ଥିବା ଲୋକଙ୍କ ମଧ୍ୟରୁ କେତେ ଜଣ ହସ୍ପିଟାଲରୁ ଘରକୁ ଫେରିଛନ୍ତି ।
ସେପଟେ ପରମ୍ପରା ଅନୁସାରେ ୩ ମୃତକଙ୍କ ଶେଷକୃତ୍ୟୁ ସଂପନ୍ନ ହୋଇଛି । ଅନ୍ୟପଟେ ଚଳିତ ବର୍ଷ ଆରମ୍ଭରୁ ନେମ୍ବା ଦ୍ବୀପରେ ସାମୁଦ୍ରିକ କଇଁଛ ମାଂସ ଭକ୍ଷଣ କରି ୮ ଜଣ ଛୋଟପିଲା ଏବଂ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ମାର୍ଚ୍ଚ ୫ରେ ଏକ ଭୋଜିରେ କଇଁଛ ମାଂସ ଖାଇ ୭୮ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଭଳି ମାମଲା କେବଳ ଫିଲିପାଇନ୍ସରେ ନୁହେଁ ଇଣ୍ଡୋନେସିଆ, ମାଇକ୍ରୋନେସିଆ ଏବଂ ଭାରତ ମହାସାଗରରେ ଥିବା କେତେକ ଦ୍ବୀପରେ ମଧ୍ୟ ଦେଖିବାକୁ ମିଳେ ।