ଚମ୍ପୁଆ,୨୧/୦୫: ମାଲିକଙ୍କ ଘରକୁ ଯାଉଥିବା ବେଳେ ବିଦେଶୀ ମଦ ଦୋକାନ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛନ୍ତି । ୨ଲକ୍ଷ ୫ ହଜାର ଟଙ୍କା ଲୁଟିନେଲେ ୩ ଦୁର୍ବୃତ୍ତ । ଏନେଇ ମାଲିକ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ବ୍ରହ୍ମପୁର କରଞ୍ଜିଆ ବିଦେଶୀ ମଦ ଦୋକାନ କର୍ମଚାରୀଙ୍କ ଠାରୁ ଏହି ଲୁଟ୍ ହୋଇଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ବ୍ରହ୍ମପୁର କରଞ୍ଜିଆ ବିଦେଶୀ ମଦ ଦୋକାନର ୨ଜଣ କର୍ମଚାରୀ ଦୋକାନ ବନ୍ଦ କରି ସ୍କୁଟିରେ ସରେଇ ଗାଁରେ ଥିବା ମାଲିକଙ୍କ ଘରକୁ ଟଙ୍କା ଦେବାକୁ ଫେରୁଥିଲେ । ରାତି ପ୍ରାୟ ସାଢେ ୧୦ଟା ହେବ ସରେଇ ଗାଁ ଆମ୍ବ ବଗିଚା ନିକଟରେ ପୂର୍ବରୁ ଛକି ବସିଥିବା ୩ଜଣ ଦୁର୍ବୃତ୍ତ ଦେଶୀ ବୋମା ଫୁଟାଇ କର୍ମଚାରୀଙ୍କୁ ଅଟକାଇଥିଲେ । ଏହା ସହିତ ସେମାନଙ୍କୁ ଭୟଭୀତ କରି ସ୍କୁଟି ଡିକିରେ ଥିବା ୨ଲକ୍ଷ ୫ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଚମ୍ପୁଆ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।