ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା

ଭୁବନେଶ୍ଵର, ୧୫/୧୦ : ପାର୍ବଣରେ ରାଜଧାନୀ ଉତ୍ସବମୁଖର ହୋଇ ପଡ଼ିଥିବା ବେଳେ ଜଣେ ଯୁବ ଇଞ୍ଜିନିୟର ୮ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି । ତାଙ୍କ ନାମ ରୋନିତ ଜେନା(୨୩) । ସେ ଖାରବେଳନଗର ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ୍‌ରେ ସପରିବାର ରହୁଥିଲେ । ପ୍ରେମରେ ପ୍ରତାରଣା ପାଇଁ ରୋନିତ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ବାପା ନବ କୁମାର ଜେନା ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ରୋନିତଙ୍କ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁକରି ତନାଘନା ଆରମ୍ଭ କରିଛି । ପ୍ରେମରେ ପ୍ରତାରଣା ପାଇଁ ରାଜଧାନୀରେ ଜଣେ ଯୁବ ଇଞ୍ଜିନିୟରଙ୍କ ଏଭଳି ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । 

ରୋନିତଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରୋନିତ ବ୍ରହ୍ମପୁରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଳେ ଉକ୍ତ କଲେଜର ଜଣେ ଜୁନିଅର ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ରୋନିତ ଏକ ଘରୋଇ କଂପାନୀରେ ଚାକିରି ପାଇଥିଲେ । ପ୍ରାୟ ବର୍ଷେ ହେଲା ପ୍ରେମ ସଂପର୍କ ଭିତରେ ଯୁବତୀ ଜଣଙ୍କ ରୋନିତଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଇଥିଲେ । ଶେଷରେ ତାଙ୍କ ସହ ସଂପର୍କ ଛିନ୍ନ କରିଥିଲେ । ଯେଉଁଥିପାଇଁ ରୋନିତ ଗତ କିଛିଦିନ ହେଲା ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ । ପାର୍ବଣରେ ରୋନିତ ଘରକୁ ଆସିଥିଲେ । ୧୨ ତାରିଖରେ ରୋନିତ ମା’ଙ୍କୁ ସାଙ୍ଗରେ ନେଇ ବିଭିନ୍ନ ପୂଜା ମଣ୍ଡପ ବୁଲାଇଥିଲେ । ପରେ ରାତିରେ ସମସ୍ତେ ମିଶି ଏକାଠି ଖାଇଥିଲେ । ବିଳମ୍ବିତ ରାତିରେ ରୋନିତ ମୋବାଇଲରେ ପ୍ରେମିକାଙ୍କ ସହ ଉଚ୍ଚବାଚ୍ଚରେ କଥା ହୋଇଥିଲେ । ଭୋର ୪ଟା ୨୨ରେ ସେ ଆପାର୍ଟମେଣ୍ଟ୍‌ର ୮ ମହଲାରୁ ତଳକୁ ଡ଼େଇଁ ପଡ଼ିଥିଲେ । ତଳେ ରୋନିତଙ୍କ ମୃତଦେହ ପଡ଼ିଥିବା ଦେଖି ପାଖ ପଡ଼ୋଶୀମାନେ ପରିବାର ଲୋକଙ୍କୁ ଜଣାଇଥିଲେ । 

ରୋନିତଙ୍କ ଆତ୍ମହତ୍ୟା ପୂର୍ବର ଦୃଶ୍ୟ ଆପାର୍ଟମେଣ୍ଟ୍‌ରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇ ରହିଛି । ପରିବାର ଲୋକେ ରୋନିତଙ୍କ ମୃତଦେହ ଦେଖି ହତବାକ୍‌ ହୋଇ ପଡ଼ିଥିଲେ । ବାପା ନବ କୁମାର ଖାରବେଳନଗର ଥାନାରେ ପହଞ୍ଚି ରୋନିତଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପ୍ରେମିକାକୁ ଦାୟୀ କରିଛନ୍ତି । ତାଙ୍କ ପୁଅଠାରୁ ଅଜସ୍ର ଟଙ୍କା ଝଡ଼ାଇବା ପରେ ସଂପୃକ୍ତ ଯୁବତୀ ପ୍ରତାରଣା କରିବାରୁ ମୋ ପୁଅ ଆତ୍ମହତ୍ୟା କଲା ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସଂପୃକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.