ଭୁବନେଶ୍ୱର, ୨୭/୧୧ : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । କୃଷକମାନେ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ଆମ ସମସ୍ତଙ୍କ ମୁହଁରେ ହସ ଫୁଟାଇଥାଏ। କୃଷକ ବନ୍ଧୁମାନେ ନିଶ୍ଚିତ ପକ୍ଷେ ସମ୍ମାନର ଅଧିକାରୀ। ସମାଜ ପ୍ରତି କୃଷକଙ୍କ ଉଲ୍ଲେଖନୀୟ ଅବଦାନକୁ ଧ୍ୟାନରେ ରଖି ପ୍ରମେୟ, ନ୍ୟୁଜ ୭, ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ପାରାଦୀପ ଫସ୍ଫେଟ୍ସ ଲିମିଟେଡ (ପିପିଏଲ୍)ର ମିଳିତ ଆନୁକୂଲ୍ୟରେ ଡିସେମ୍ବର ୧୫ରେ ହେବାକୁ ଯାଉଛି ଦ୍ୱିତୀୟ ସଂସ୍କରଣ ‘କୃଷକ ରତ୍ନ ସମ୍ମାନ-୨୦୨୪’ । ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୨ଠାରେ ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ କୃଷି ବିଭାଗ ସଚିବ ଡ. ଅରବିନ୍ଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ରାଜ୍ୟର ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ କୃଷକଙ୍କୁ ସମ୍ମାନିତ କରାଯିବ ।
କୃଷକଙ୍କୁ ସମ୍ମାନ ଦେବାର ଏହା ଅଭିନବ ପରିକଳ୍ପନା । କୃଷକ ଭାଇଭଉଣୀଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜୀକରଣ ପ୍ରକ୍ରିୟା । ବିବରଣୀ ପଠାଇବାର ଶେଷ ତାରିଖ ରହିଛି ନଭେମ୍ବର ୩୦ । ପଞ୍ଜିକୃତ ହେବା ନିମନ୍ତେ ଚାଷୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଯଥା³ ନାମ, ଠିକଣା, ମୋବାଇଲ ନମ୍ବର, ଆଧାରକାର୍ଡ, ଚାଷୀଙ୍କ ଫଟୋ ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ପ୍ରଶ୍ନଗୁଡ଼ିକ ପାଇଁ ପ୍ରତିଦିନର ପ୍ରମେୟ ଖବର କାଗଜ ଦେଖିପାରିବେ । ପ୍ରଶ୍ନଗୁଡ଼ିକର ଉତ୍ତର ଅତିରିକ୍ତ ସାଧା କାଗଜରେ ଲେଖି ପଞ୍ଜୀକରଣ ଫର୍ମ ସହ ହ୍ୱାଟସ୍ଆପ୍, ଇ-ମେଲ୍ ଏବଂ ପ୍ରମେୟ ଓ ନ୍ୟୁଜ-୭ ଠିକଣାରେ ପଠାଇ ପାରିବେ । ଚଳିତ ବର୍ଷ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ଲାଗି ଆଉ ୨ଟି ସେକ୍ସନ ଯୋଡ଼ା ଯାଇଛି । କ୍ୟାମେରାରେ କୃଷି ଓ କୃଷକ ଶୀର୍ଷକ ଫଟୋଗ୍ରାଫି ପ୍ରତିଯୋଗିତା ରହିଛି ।
ସେହିଭଳି କୃଷି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଗ୍ରି ଇନୋଭେଟ୍ ଚାଲେଞ୍ଜ ରହିଛି । କାର୍ଯ୍ୟକ୍ରମ ସମ୍ପର୍କରେ ପାରାଦୀପ ଫସଫେଟ୍ସ ଲିମିଟେଡର କର୍ପୋରେଟ ବ୍ୟାପାର ମୁଖ୍ୟ ସୁଧିରଞ୍ଜନ ମିଶ୍ର କହିଛନ୍ତି, ପ୍ରମେୟ, ନ୍ୟୁଜ-୭ ଏବଂ ସୋଆ ସହ ମିଳିତ ହୋଇ କୃଷକଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଆୟୋଜନ ହେଉଛି କୃଷକ ରତ୍ନ ସମ୍ମାନ । ଗତ ବର୍ଷ ପରି ଚଳିତ ବର୍ଷ ଏହା ଅଧିକ ସଫଳ ହେବ ବୋଲି ଆଶା । କୃଷକଙ୍କ ଜୀବନ ଶୈଳୀ ଏବଂ ସେମାନଙ୍କ ଆୟ ବୃଦ୍ଧି ଦିଗରେ ଆମେ ସର୍ବଦା କାର୍ଯ୍ୟକ୍ରମ ଜାରି ରଖିଛୁ । କେବଳ ସାର ଉତ୍ପାଦନ ନୁହେଁ କୃଷକଙ୍କୁ ଅତ୍ୟାଧୁନିକ କୃଷି ପଦ୍ଧତି ତାଲିମ, କୃଷି ଯନ୍ତ୍ରପାତି, ଘର ଦ୍ୱାର ଦେଶରେ ମୃତ୍ତିକା ପରୀକ୍ଷା, ନମୋ ଡ୍ରୋନ ସ୍କିମରେ ମହିଳା କୃଷକଙ୍କୁ ଡ୍ରୋନ ଯୋଗାଣ ଦିଗରେ କାମ କରୁଛୁ ।