ଭୁବନେଶ୍ୱର, ୧୧/୧୦ : ବହୁ ପ୍ରତିକ୍ଷୀତ ଭୁବନେଶ୍ୱର କୋର୍ଟ ନୂଆ ବିଲ୍ଡିଂ ଆସନ୍ତା ୨୪ ତାରିଖରେ ଖୋଲିବ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୨୪ ତାରିଖ ସନ୍ଧ୍ୟାରେ ଏହାକୁ ଉଦ୍ଘାଟନ କରିବେ । ଏନେଇ ଭୁବନେଶ୍ୱର ଓକିଲ ସଂଘ ସୂଚନା ଦେଇଛି ।
ସଂଘ ସଭାପତି କୁନ୍ଦନ ରଥଙ୍କ ସୂଚନା ମୁତାବକ, ଉଦ୍ଘାଟନ ସମାରୋହରେ ଭବ୍ୟ ଆୟୋଜନ କରାଯିବ । ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେଇ ଉଦଘାଟନ କରିବେ । ଆସନ୍ତା ୨୪ ତାରିଖ ସକାଳେ ରାଷ୍ଟ୍ରପତି ପୁରୀ ଯିବେ । ସେଠାରୁ ଫେରି ଏକ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିଦିନ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଭୁବନେଶ୍ୱର କୋର୍ଟ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏନେଇ ବିଧିବଦ୍ଧ ସୂଚନା ମିଳିବା ପରେ ଭୁବନେଶ୍ୱର କୋର୍ଟ ଉଦ୍ଘାଟନ ନେଇ ହାଇକୋର୍ଟରୁ ବିଜ୍ଞପ୍ତି ପ୍ରକାଶ ପାଇବ ।
ସଂଘ ସମ୍ପାଦକ ଦୀପକ ଦାଶ କହିଛନ୍ତି, ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ସମାରୋହରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେବେ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ ।