ଜଳେଶ୍ୱର ୧୯/୦୩ : ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସ୍କୁଲ ଅଫିସ ଘରେ ଶିକ୍ଷକଙ୍କୁ ମାଡ ମାରିବା ସହ ଗ୍ରାମବାସୀ ଅଟକ ରଖିଛନ୍ତି। ଜଳେଶ୍ୱର ଥାନା ଜଳକା ପଡିଆରେ ଥିବା ଏକ ସ୍କୁଲରେ ଏଭଳି ଘଟଣା ଘଟିଛି।
ଜଳେଶ୍ୱର ଥାନା ଜଳକା ପଡିଆ ସ୍ଥିତ ଏକ ବିଦ୍ୟାଳୟର ସହକାରୀ ଶିକ୍ଷକ ମଙ୍ଗଳବାରସ୍କୁଲ ସରିବା ପରେ ପ୍ରଥମ ଶ୍ରେଣୀର ଜନୈକ ଛାତ୍ରୀଙ୍କୁ ଅଫିସକୁ ଡାକି ଅସଦାଚରଣ କରିଥିଲେ। ଛାତ୍ରୀ ଜନକ ଏ ନେଇ ଘରେ କହିଥିଲେ। ବୁଧବାର ସ୍କୁଲ କମିଟି ସଭାପତି ମିଟିଂ ଡାକି ଘଟଣାର ବୁଝୁଥିବା ସମୟରେ ଅବିଭାବକମାନେ ଶିକ୍ଷକଙ୍କୁ ଅଟକ ରଖି ଥିଲେ । ଗ୍ରାମର କିଛି ବ୍ୟକ୍ତି ସ୍କୁଲ ଅଫିସରେ ପଶି ଶିକ୍ଷକଙ୍କୁ ନିର୍ଦ୍ଧୁମ ମାଡ ମାରିବା ପରେ ସଂପୃକ୍ତ ଶିକ୍ଷକଙ୍କୁ ସ୍କୁଲରୁ ଅନ୍ୟତ୍ର ନେଇ ଯାଉଥିବାର ଦେଖିବାକୁ ମିଳିଛି। ଏହି ବାବଦରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ପୋଲିସକୁ ଏ ସମ୍ପର୍କରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ।