ଭୁବନେଶ୍ୱର,୦୩/୦୧: ନ୍ୟାସ୍ନାଲ ଆଲୁମିନୟିମ୍ କମ୍ପାନି ଲିମିଟେଡ୍(ନାଲ୍କୋ)ର ନୂତନ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଡ. ତାପସ କୁମାର ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଡ. ପଟ୍ଟନାୟକ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ଅଏଲ୍ କେର୍ପୋରେସନ ଲିମିଟେଡ୍ ରିଫାଇନେରୀ ଡିଭିଜନର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ମାନବ ସମ୍ବଳ) ଭାବେ କାର୍ଯ୍ୟ କରିଆସୁଥିଲେ । ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ କ୍ଷେତ୍ରରେ ଦୀର୍ଘ ୩୩ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ସହ ଡ. ପଟ୍ଟନାୟକ ସାଂଗଠନିକ ବିକାଶ, କର୍ମଚାରୀଙ୍କ ନିୟୋଜନ, ପ୍ରତିଭା ଅଧିଗ୍ରହଣ, ଶିଳ୍ପ ସମ୍ପର୍କ, ଶିକ୍ଷଣ ଓ ବିକାଶ ଏବଂ ମାନବ ସମ୍ବଳ ରଣନୀତି କ୍ଷେତ୍ରରେ ବିଶେଷ ଅଭିଜ୍ଞତା ହାସଲ କରିଛନ୍ତି ।
ଖଣି, ବିଶୋଧନାଗାର, ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ତାଙ୍କର ମଧ୍ୟ ବିଶେଷ ଅଭିଜ୍ଞତା ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଡ. ପଟ୍ଟନାୟକ କାର୍ମିକ ପରିଚାଳନା ଏବଂ ଶିଳ୍ପ ସମ୍ପର୍କ କ୍ଷେତ୍ରରେ ସ୍ନାତକୋତ୍ତର ଓ ପିଏଚ୍ଡି ସହ ଆଇନରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି । ନାଲକୋରେ ଡ. ପଟ୍ଟନାୟକ ମାନବ ସମ୍ବଳ ବିଭାଗର ଦାୟିତ୍ୱ ନେବା ସହ ପ୍ରତିଭା ଅଧିଗ୍ରହଣ, କର୍ମଚାରୀ ଦକ୍ଷତା ବିକାଶ, ସାଂଗଠନିକ ପ୍ରଭାବଶୀଳତା ଏବଂ ନାଲ୍କୋର ମାନବ ସମ୍ବଳ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନିର ଦୀର୍ଘକାଳୀନ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବେ । ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ତଥା ନାଲ୍କୋ ସିଏମଡି ସଞ୍ଜୟ ଲୋହିୟା ଡ. ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଡ. ପଟ୍ଟନାୟକ ନୂତନତା ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି ।