ମୁମ୍ବାଇ ୦୩/୧୧: ଅତି ଧ୍ୟାନର ସହ କାହାଣୀ ଚୟନ କରନ୍ତି ‘ହସୀନ୍ ଦିଲରୁବା’ ଷ୍ଟାର୍ ତାପସୀ ପନ୍ନୁ । ଭୂମିକା ଚୟନ, ପାରିଶ୍ରମିକ ଆଦିରେ ସେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ଦମ୍ଦାର ନାରୀ-କୈନ୍ଦ୍ରିକ ଫିଲ୍ମ ପାଇଁ ତାପସୀ ବେଶ ଜଣାଶୁଣା । ତଥାପି ବଡ଼ ବଜେଟ୍ର କମର୍ସିଆଲ ଫିଲ୍ମରେ ସେ ଅଧିକ ପାରିଶ୍ରମିକ ପାଇନଥାନ୍ତି । ଉଦାହରଣ ସ୍ୱରୂପ, ଶାହରୁଖ ଖାନ୍ଙ୍କ ‘ଡଙ୍କି’ ଓ ବରୁଣ ଧୱନଙ୍କ ‘ଜୁଡ୍ୱା-୨’ ଭଳି ଫିଲ୍ମରେ ଅଧିକ ପାରିଶ୍ରମିକ ପାଇନଥିବା ତାପସୀ ସ୍ପଷ୍ଟ କରିଛନ୍ତି । ‘ସ୍କ୍ରିନ୍’ ସହ ଏକ ସାକ୍ଷାତକାରରେ ତାପସୀ ନିଜ କ୍ୟାରିଅର ପାଇଁ ଫିଲ୍ମ ଚୟନ ସମୟରେ ସମ୍ମୁଖୀନ ହେଉଥିବା ଜଟିଳତା ବିଷୟରେ ଆଲୋଚନା କରିଛନ୍ତି ।
କହିଛନ୍ତି, ଫିଲ୍ମରେ ଭୂମିକା ଚୟନ କରିବା ତାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ । କାରଣ ମୁଖ୍ୟ କଳାକାର ଭାବେ ପ୍ରୋଜେକ୍ଟର ଦାୟିତ୍ୱ ସମ୍ପୂର୍ଣ୍ଣ ତାଙ୍କ କାନ୍ଧ ଉପରେ ଥାଏ । ଫିଲ୍ମର ମୁଖ୍ୟ ଚେହେରା ହେବାର ଅର୍ଥ ସେ ଉଭୟ ପ୍ରଶଂସା ଓ ସମାଲୋଚନାର ସମ୍ମୁଖୀନ ହୁଅନ୍ତି । ତାପସୀ କହିଛନ୍ତି, ସେ ଚୟନ କରୁଥିବା ପ୍ରୋଜେକ୍ଟଗୁଡ଼ିକ ପ୍ରଥମେ ବ୍ଲକ୍ବଷ୍ଟର ମାନ୍ୟତାରୁ ବଞ୍ଚିତ ହୁଏ । କିନ୍ତୁ ଦର୍ଶକ ଦେଖିବା ପରେ ଆଦୃତି ମିଳେ।
ସେ ଆହୁରି କହିଛନ୍ତି, ଲୋକଙ୍କ ଧାରଣା ଯେ ଟଙ୍କା ପାଇଁ ‘ଜୁଡ୍ୱା’ ଓ ‘ଡଙ୍କି’ ଭଳି ଫିଲ୍ମରେ ସେ କାମ କରନ୍ତି । କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ମୁଖ୍ୟ ନାୟିକା ଭୂମିକା ନିର୍ବାହ କରୁଥିବା ‘ହସୀନ୍ ଦିଲ୍ରୁବା’ ଭଳି ପ୍ରୋଜେକ୍ଟ ଜରିଆରେ ସେ ଅଧିକ ଆୟ କରନ୍ତି । ବଡ଼ ଷ୍ଟାର୍ଙ୍କ ଅଭିନୀତ କମର୍ସିଆଲ ଫିଲ୍ମରେ ତାଙ୍କୁ ଖୁବ୍ କମ୍ ପାରିଶ୍ରମିକ ମିଳେ । କାରଣ ଲୋକଙ୍କ ଧାରଣା, ଏଭଳି ଫିଲ୍ମରେ କାମ ଦେଇ ସେମାନେ ତାଙ୍କ ଉପରେ ଦୟା କରୁଛନ୍ତି ।
ତାପସୀଙ୍କ କହିବା ଅନୁସାରେ, ଏହି ଭୁଲ ଧାରଣାକୁ ସେ ପ୍ରତିଦିନ ଚ୍ୟାଲେଞ୍ଜ୍ କରୁଛନ୍ତି । ହିରୋମାନେ ସେମାନଙ୍କ ଫିଲ୍ମରେ ହିରୋଇନ୍ ଚୟନ କରନ୍ତି । ପୁରୁଷ ଷ୍ଟାର୍ଙ୍କର ପ୍ରଭାବ ଫିଲ୍ମ ଜଗତ ବାହାରେ ବି ରହିଛି । ବିଜ୍ଞାପନ ପାଇଁ ମଧ୍ୟ ସେମାନେ ମହିଳା କଳାକାରଙ୍କୁ ଚୟନ କରୁଛନ୍ତି । ଏହି ଅପ୍ରିୟ ସତ ଜାଣି ସେ ପ୍ରଥମେ ଭୀଷଣ ରାଗିଥିଲେ । କାରଣ ଏହା ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରୁଛି ।