ଭୁବନେଶ୍ବର, ୧୬/୫ : ଖରା ଛୁଟିରେ ମଜା ମସ୍ତିରେ ଘରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଅକ୍ଷର ଶିଖିବାଠୁ ଅଙ୍କ କଷା, ଅବା ବିଭିନ୍ନ ଉପକରଣ ମାଧ୍ୟମରେ ଶିକ୍ଷଣୀୟ ସାମଗ୍ରୀ ତିଆରି କରି ବିଷୟବସ୍ତୁକୁ ଜାଣୁଛନ୍ତି ଛାତ୍ରଛାତ୍ରୀ । ଭଳିକି ଭଳି ଶିକ୍ଷଣାୟ ପଦ୍ଧତି ମାଧ୍ୟମରେ ବିଭିନ୍ନ ସହଜିଆ ପଦ୍ଧତିରେ ଶିକ୍ଷାଗ୍ରହଣ କରୁଛନ୍ତି । ଏମିତି ମଜାଳିଆ ଢ଼ଙ୍ଗରେ ସାରା ରାଜ୍ୟରେ ଖରାଛୁଟିରେ ଚାଲିଛି ‘ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ (Odisha Summer Learning Programme).
ରାଜ୍ୟର ସମସ୍ତ ବିଦ୍ୟାଳୟରେ ଖରାଛୁଟି ଚାଲିଛି । ଖରାଛୁଟିରେ ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ଯେପରି ପାଠ ସହ ଯୋଡ଼ି ହୋଇ ରହିବେ, ସେହି ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି “ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ” । ଏଥିପାଇଁ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ତିଆରି ହୋଇଛି ହ୍ଵାଟ୍ସ୍ଆପ୍ ଗ୍ରୁପ୍ । ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ଅଧିନରେ ରାଜ୍ୟରେ ୧ ଲକ୍ଷ ୭୦ ହଜାଇ ୯୩୨ଟି ହ୍ଵାଟ୍ସଆପ୍ ଗ୍ରୁପ୍ ତିଆରି ହୋଇଛି । ଏହି ଗ୍ରୁପ୍ରେ ସାରା ରାଜ୍ୟରୁ ପ୍ରାୟ ୧୧ ଲକ୍ଷ ୮ ହଜାର ୮୪୩ରୁ ଅଧିକ ଅଭିଭାବକ ଯୋଡ଼ି ହୋଇଛନ୍ତି । ଶିକ୍ଷକମାନେ ସମୟ ବ୍ୟବଧାନରେ ଶ୍ରେଣୀ ଅନୁସାରେ ବିଭିନ୍ନ ଭିଡିଓ ଓ ଶିକ୍ଷଣୀୟ ବିଷୟ ସବୁକୁ ଗ୍ରୁପରେ ପଠାଉଛନ୍ତି । ଘରେ ଅଭିଭାବକମାନେ ଏସବୁକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି । ଛାତ୍ରଛାତ୍ରୀ ଯେଭଳି ଖରାଛୁଟିରେ ପାଠକୁ ସମ୍ପୂର୍ଣ୍ଣ ଭୁଲି ଯିବେନି ଓ ମଜାଳିଆ ଢ଼ଙ୍ଗରେ ନିଜ ପାଠକୁ ଜାଣିବେ ସେହି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏ ନେଇ ବାଲିପଦାର ତୁଳସୀଚଉରାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଅଭିଭାବକ ରଶ୍ମିତା ପାତ୍ର କହିଛନ୍ତି, ଖରାଛୁଟିରେ ପିଲାଙ୍କୁ ପାଠସହ ଯୋଡ଼ିରଖିବା ପାଇଁ ଏହା ଏକ ଉତ୍ତମ ମାଧ୍ୟମ । ହ୍ଵାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଆମେ ଶିକ୍ଷଣୀୟ ଭିଡିଓ ପାଇପାରୁଛୁ, ଯାହାଦ୍ବାରା ପିଲାଙ୍କୁ ପାଠ ପଢାଇବା ଆମ ପାଇଁ ସହଜ ହୋଇପାରୁଛି । ଗୀତ, ଗପ ଓ ଚିତ୍ର କରିବାକୁ ଦିଆଯାଉଛି । ପିଲାମାନେ ମଧ୍ୟ ଆଗ୍ରହର ସହ ଏସବୁକୁ କରୁଛନ୍ତି, ସବୁ ପ୍ରଶ୍ନର ଉତ୍ତର ଲେଖୁଛନ୍ତି । କାର୍ଯ୍ୟକ୍ରମକୁ ନେଇ ଅନ୍ୟ ଜଣେ ଅଭିଭାବକ ଶ୍ରୀମତୀ ମମତା ବିଶ୍ଵାଳ କହିଛନ୍ତି, ପିଲାମାନେ ଖରାଛୁଟିକୁ ଛୁଟି ଭାବରେ ନେଇ କିଛି ପାଠ ପଢୁନଥିଲେ । ଏବେ କିନ୍ତୁ ଏମିତି ଆଉ ହେଉନାହିଁ ମୋ ଝିଅ ଅଷ୍ଟମ ଶ୍ରେଣୀରେ ପଢୁଛି । ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠୁ ଶିକ୍ଷକ ଆମକୁ ମୋବାଇଲ୍ରେ ବିଭିନ୍ନ ପାଠ ପାଇଁ ଭିଡିଓ ଏବଂ ୟୁଟ୍ୟୁବ୍ ଲିଙ୍କ୍ ଆଦି ଦେଉଛନ୍ତି । ସେହି ଭିଡିଓକୁ ଦେଖି ଆମେ ଶିକ୍ଷକଙ୍କ ସହ ଯୋଡି ହୋଇ ଛୁଆକୁ ପାଠ ପଢ଼ାଉଛୁ ।
କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି । ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହକୁ ଦୁଇଥର ଏବଂ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ତିନିଥର ଶିକ୍ଷଣୀୟ ବିଷୟ ସବୁ ପଠାଯାଉଛି । ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ପିଲାଙ୍କ ପାଇଁ ଓଡ଼ିଆ, ଗଣିତ ଓ ପରିବେଶ ବିଜ୍ଞାନ ଉପରେ ବିଭିନ୍ନ ଭିଡ଼ିଓ ପଠାଯାଉଛି । ସେହିପରି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ଓଡ଼ିଆ, ଗଣିତ, ପରିବେଶ ବିଜ୍ଞାନ ଓ ଇଂରାଜୀ ପାଠ ଭିଡ଼ିଓ ଦିଆଯାଉଛି । ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କ ଓଡ଼ିଆ, ଗଣିତ, ପରିବେଶବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଇଂରାଜୀ ପାଠ ଭିଡ଼ିଓ ପଠାଯାଉଛି। ଏହାପରେ ଘରେ ଅଭିଭାବକମାନେ ଏହି ଭିଡ଼ିଓ କ୍ଲିପ୍ ଓ ବିଷୟବସ୍ତୁ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି । ସେମାନେ ଯାହା ବି ପଢୁଛନ୍ତି ଓ ଲେଖୁଛନ୍ତି ସେସବୁକୁ ଅଭିଭାବକମାନେ ଫଟୋ ଉଠାଇ ପୁଣିଥରେ ଗ୍ରୁପ୍ରେ ପଠାଉଛନ୍ତି । ଫଳରେ ପିଲାମାନେ କେତେଦୂର ଏସବୁକୁ ଜାଣିପାରିଲେ, ସେନେଇ ଶିକ୍ଷକମାନେ ସମୀକ୍ଷା କରିପାରୁଛନ୍ତି । ସ୍କୁଲରୁ ଖରାଛୁଟି ପାଇଁ ଦିଆଯାଇଥିବା ଘରପାଠକୁ ମଧ୍ୟ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷକଙ୍କଠୁ ବୁଝି କରୁଛନ୍ତି ।