ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ସିଡିଓ, ବିଡିଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍, ପୁରୁଣା ଅଭ୍ୟାସ ଛାଡ଼... କାମ ନକଲେ ଆଉ କ୍ଷମା ନାହିଁ

Published By : Prameya | May 16, 2025 8:22 AM

ଭୁବନେଶ୍ୱର, ୧୬/୦୫ : ପୁରୁଣା ଅଭ୍ୟାସ ଛାଡ଼ । କାମ ନ କଲେ ଆଉ କ୍ଷମା ଦିଆଯିବନି । ଅବହେଳା କିମ୍ବା ଦୁର୍ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଜିଲ୍ଲାପାଳମାନେ ଏଣିକି ବିଡିଓଙ୍କ ରିପୋର୍ଟ କାର୍ଡ ଦେବେ । ଏହାକୁ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବେ । ଯିଏ କାମ କରିନଥିବେ ତାଙ୍କୁ ଛଡ଼ାଯିବନି । ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଏବଂ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ତାଗିଦ୍‌ କରି ଏଭଳି କଠୋର ବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଧାସିଧା କହିଛନ୍ତି, ମୋ’ ସରଳତାକୁ ମୋର ଦୁର୍ବଳତା ଭାବ ନାହିଁ । ମୁଁ କଠୋର ନିଷ୍ପତ୍ତି ବି ନେଇପାରେ । ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ରାଜ୍ୟସ୍ତରୀୟ ସିଡିଓ ଏବଂ ବିଡିଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କର୍ତ୍ତବ୍ୟ ପରାୟଣ ହୋଇ କାମ କରିବା ପାଇଁ କଡ଼ା ବାର୍ତ୍ତା ଦେବା ସହ ଅନେକ ପରାମର୍ଶ ଦେଇଛନ୍ତି । 

ସେ କହିଛନ୍ତି ଯେ, ବ୍ଲକ ହେଉଛି ଆମ ପ୍ରଶାସନିକ ସଫଳତାର ଦର୍ପଣ। ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କଲେ ଲୋକମାନେ ସମସ୍ତ ଯୋଜନାର ସୁଫଳ ପାଇପାରିବେ । ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ । ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ । ପୂର୍ବ ସରକାର ସମୟର ବ୍ୟବସ୍ଥା ନେଇ କଡ଼ା ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ, ପୂର୍ବର ବିଜେଡି ସରକାର ଢାଞ୍ଚାରେ ଆପଣମାନେ କାମ କରୁଥିଲେ । ସେତେବେଳେ କେବଳ ଶଙ୍ଖବାଲାଙ୍କ ପାଇଁ କାମ କରିବାକୁ ନୀତି ଧରି ନେଇଥିଲେ । ହେଲେ ଏହା ଭିତରେ ନୂଆ ସରକାରକୁ ୧୧ ମାସ ପୂରିଗଲାଣି । ପୁରୁଣା ଢାଞ୍ଚା ଛାଡ଼ି କାମ କରନ୍ତୁ । 

ବହୁ ବିଧାୟକ ଅଭିଯୋଗ କରୁଛନ୍ତି, ବିଡିଓମାନେ କଥା ଶୁଣୁନାହାନ୍ତି । ଜନପ୍ରତିନିଧିଙ୍କୁ ନା ସମ୍ମାନ ଦେଉଛନ୍ତି ନା ଚେୟାର ଦେଉଛନ୍ତି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେବାବେଳେ କିଛି ବିଡିଓ ଟିଭି ବନ୍ଦ କରି ଦେଇ ଲୋକଙ୍କୁ ପଳାଇଯିବାକୁ କହୁଛନ୍ତି । ମୁଁ ଆଦିବାସୀ, ତୃଣମୂଳସ୍ତରରୁ ଆସିଛି । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି । ପଞ୍ଚାୟତ, ବ୍ଲକରେ କ’ଣ ହୁଏ, ମୋତେ ଜଣା । ମୋ ଛୋଟ ବ୍ରେନରେ ସବୁ ସେଭ୍‌ ଅଛି । ସେ କାଳ ପଖାଳ ଆଉ ନାହିଁ । ପୁରୁଣା ଅଭ୍ୟାସ ଛାଡ଼, ଲୋକଙ୍କ କାମ କର । ପୂର୍ବ ସରକାର ତୁଳନାରେ ଏବେ ଅଧିକ ସ୍ୱାଧୀନତା ଓ କ୍ଷମତା ଦିଆଯାଇଛି । କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ ଲୋକଙ୍କ ପାଇଁ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ । ବିଧାୟକଙ୍କ ଅଭିଯୋଗ ଶୁଣନ୍ତୁ । ସେମାନଙ୍କୁ ସମ୍ମାନ ଦିଅନ୍ତୁ । ଯାହା ତ୍ରୁଟି ବିଚ୍ୟୁତି ଅଛି, ତୁରନ୍ତ ସୁଧାରନ୍ତୁ । ଆମ ସରକାରଙ୍କ ଆଭିମୁଖ୍ୟ ନେଇ ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ । 

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମନରେଗାରେ ମେସିନରେ କାମ ନ କରି ଶ୍ରମିକଙ୍କୁ ନିୟୋଜିତ କରନ୍ତୁ । ମନରେଗାକୁ ଠିକଣା ଭାବେ କାର୍ଯ୍ୟକାରୀ କଲେ ରାଜ୍ୟରେ ଦାଦନ ସମସ୍ୟା କମିଯିବ । ପୂର୍ବ ସରକାର ଘୋଷଣା ଅନୁଯାୟୀ ଧାର୍ଯ୍ୟ ସମୟ ଭିତରେ ପିଇବା ପାଣି ଯୋଗାଇ ପାରିଲେନି । ଏବେ ଲକ୍ଷ୍ୟ ରହିଛି, ୨୦୨୬ ସୁଦ୍ଧା ଶତ ପ୍ରତିଶତ ପାନୀୟଜଳ ଯୋଗାଣ ପାଇଁ । ଏହି ଲକ୍ଷ୍ୟକୁ ପୂରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ସିଡିଓ ଏବଂ ବିଡିଓଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ଠିକ୍‌ ଭାବରେ ପହଞ୍ଚାନ୍ତୁ । କୌଣସି ପରିସ୍ଥିତିରେ ଲୋକଙ୍କୁ ଦୟାର ପାତ୍ର ବୋଲି ଭାବିବେ ନାହିଁ । ଯୋଜନାଗୁଡ଼ିକ ହେଉଛି କେବଳ ଲୋକଙ୍କ ପାଇଁ । ଏହା ସେମାନଙ୍କ ଅଧିକାର । ସରକାର ଓ ଲୋକଙ୍କ ଭିତରେ ଆପଣମାନେ ହେଉଛନ୍ତି ସେତୁ । ନିଜକୁ ଜନସେବକ ଭାବି କାମ କରନ୍ତୁ । ପ୍ରଧାନମନ୍ତ୍ରୀ ମୋଦୀଜୀ ସବୁବେଳେ ନିଜକୁ ପ୍ରଧାନ ସେବକ ବୋଲି କହି ଆସିଛନ୍ତି । ମୁଁ ମଧ୍ୟ ନିଜକୁ ଓଡ଼ିଶାର ମୁଖ୍ୟ ସେବକ ବୋଲି ମନେ କରେ । ଆପଣ ନିଯୁକ୍ତି ପାଇଛନ୍ତି, ଲୋକଙ୍କ ସେବା କରିବା ପାଇଁ । ତେଣୁ ସେବା ମନୋଭାବ ନେଇ ନିଷ୍ଠାର ସହ କାମ କରନ୍ତୁ । ବିକଶିତ ଓଡ଼ିଶା ମିଶନକୁ ସାକାର କରନ୍ତୁ । ଦାୟିତ୍ୱରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । 

ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି, ସରକାରଙ୍କ ଯୋଜନାକୁ ଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରନ୍ତୁ । କ୍ଷେତ୍ର ସ୍ତରରେ ସମସ୍ୟା ଥିଲେ ସଙ୍କୋଚ ନକରି ବିଭାଗକୁ ଜଣାନ୍ତୁ । ଆମେ ତା’ର ସମାଧାନ କରିବୁ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ବିକଶିତ ଓଡ଼ିଶାର ରୋଡମ୍ୟାପରେ ଗାଁର ବିକାଶକୁ ହିଁ ଆମେ ପ୍ରାଥମିକତା ଦେଇଛୁ । ବୈଠକ କମ୍‌ କରି କ୍ଷେତ୍ରସ୍ତରକୁ ଅଧିକ ଯାଆନ୍ତୁ । ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରନ୍ତୁ । ସମ୍ମିଳନୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଶାସନ ସଚିବ ଗିରିଶ ଏସ.ଏନ୍‌ ଓ ବିଭାଗୀୟ ନିର୍ଦ୍ଦେଶକ ଭିନିତ ଭରଦ୍ୱାଜ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.