ପାପଡାହାଣ୍ଡି ୦୮/୮: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଶିକ୍ଷୟତ୍ରୀଙ୍କ ମାଡ଼ ମାରିବା ଅଭିଯୋଗ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶରେ ତଦନ୍ତ କଲେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ବ୍ଲକ କୋଲାନି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏପରି ଘଟଣା ଦେଖିବାକୁ ମିଳିଛି । ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ ଗୁରୁବାର ଦିନ କେହି ନଥିବା ସମୟରେ ତୃତୀୟ ଶ୍ରେଣୀର ଛାତ୍ରକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନିତା ଖୋସାଲା ମାଡ଼ ମାରିଥିଲେ । ଛାତ୍ରର ଆଣ୍ଠୁ ତଳେ ମାଡ଼ ମାରିଥିବା ଯୋଗୁ ନୋଳା ବସିଯାଇଥିଲା । ଏନେଇ ଛାତ୍ର ଜଣକ ବିଦ୍ୟାଳୟରୁ ଫେରିବା ପରେ ଘରେ ମାକୁ ମାଡ଼ ମାରିଥିବା ନେଇ କହିଥିଲେ । ମା ତୁରନ୍ତ ପ୍ରଧାନ ଶିକ୍ଷୟତ୍ରୀ କନକଲତା ପାତ୍ରକୁ ଫୋନ ଯୋଗେ ଅଭିଯୋଗ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟ ବନ୍ଦ ହୋଇଥିବା ଯୋଗୁଁ ଏ ବିଷୟରେ ଅବଗତ ନୁହେଁ ଶୁକ୍ରବାର ସମସ୍ୟାର ସମଧାନ କରିବା ବୋଲି ପ୍ରତିଶୃତି ଦେଇଥିଲେ ।
ଶୁକ୍ରବାର ଛାତ୍ରଙ୍କ ମା ବିଦ୍ୟାଳୟ ପହଁଚି ପ୍ରଧାନ ଶିକ୍ଷୟତ୍ରୀକୁ ଅଭିଯୋଗ କରିବା ପରେ ଶିକ୍ଷୟତ୍ରୀ ସୁନିତା ଖୋସାଲା ଛାତ୍ରଙ୍କ ମା କୁ ଦୁର୍ବ୍ୟବହାର କରିଥିଲେ । ଏହା ପରେ ଛାତ୍ରଙ୍କ ପିତା ପ୍ରଶାନ୍ତ ସାହୁ ବିଦ୍ୟାଳୟ ପହଞ୍ଚିବାରୁ ଦୁହିଁକୁ ଶିକ୍ଷୟତ୍ରୀ ଦୁର୍ବ୍ୟବହାର କରିଥିଲେ ବୋଲି ଦୁହେଁ ଅଭିଯୋଗ କରିଛନ୍ତି । ଏହା ପରେ ପ୍ରଶାନ୍ତ ସାହୁ ବିଦ୍ୟାଳୟର ଟୋଲଫ୍ରି ନମ୍ବରରେ ଫୋନ କରିଥିଲେ । ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ପାପଡାହାଣ୍ଡି ବିଇଓ ସୁଦୀପ୍ତ କୁମାର ଦାସଙ୍କୁ ତଦନ୍ତ କରିବାକୁ ନିର୍ଦେଶ କରିଥିଲେ । ଏହା ପରେ ଏବିଇଓ ବାଲକ ଦାସ ରନ୍ଧାରୀ, ଏବିଇଓ ପୁର୍ଣଚନ୍ଦ୍ର ପୂଜାରୀ, ସିଆରସୀ ମନୋଜ ମାଝୀ, ସିଆରସୀ ଜଗନ୍ନାଥ ଶାସମଲ ପହଁଚି ବିଦ୍ୟାଳୟ ତଦନ୍ତ କରିଥିଲେ । ଅଭିଭାବକ, ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷୟତ୍ରୀଙ୍କ ଲିଖିତ ରିପୋର୍ଟ ମାଗିଥିଲେ । ତଦନ୍ତ ରିପୋର୍ଟ ବିଇଓକୁ ଦିଆଯିବ ବୋଲି ଉଭୟ ଏବିଇଓ ସୂଚନା ଦେଇଥିଲେ । ଏନେଇ ଶିକ୍ଷୟତ୍ରୀ ସୁନିତା ଖୋସାଲା କହିଥିଲେ ଏହା ସମ୍ପୂର୍ଣ ମିଛ । ମୁ ଯଦି ବିଦ୍ୟାଳୟରେ ଛାତ୍ରକୁ ମାରିଥାନ୍ତି ତାହା ହେଲେ ବିଦ୍ୟାଳୟରେ କେହି ମଧ୍ୟ ଦେଖିଥାନ୍ତେ ଓ ଛାତ୍ର ଜଣକ କାନ୍ଦି ଥାନ୍ତା । ମୁଁ ଅଭିଭାବକଙ୍କୁ ଦୁର୍ବ୍ୟବହାର କରି ନାହିଁ ବୋଲି ସେ କହିଛନ୍ତି ।