କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ,୧୦/୦୮: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାର ଏଯାଏ କିଛି ନିଷ୍କର୍ଷ ମିଳିପାରି ନାହିଁ । ପୁଲିସ ମୃତା ଛାତ୍ରୀଙ୍କ ପଡ଼ୋଶୀ ଓ ତାଙ୍କ ସମ୍ପର୍କୀୟଙ୍କ ଘର ଗ୍ରିଲ୍ରେ ଲାଗିଥିବା ୨ଟି ସିସିଟିଭି କ୍ୟାମେରା ଜବତ କରି ଫୁଟେଜ୍ ଅନୁଧ୍ୟାନ କରୁଛି ।
ଶନିବାର ଏସ୍ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନେତୃତ୍ୱରେ ଏକ ଟିମ୍ ୨ଟି ଦିଗକୁ ଧ୍ୟାନରେ ରଖି ତଦନ୍ତକୁ ଜୋରଦାର କରିଛନ୍ତି । ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା ଏବଂ ମୃତ୍ୟୁର ସମ୍ଭାବ୍ୟ କାରଣ କ’ଣ - ଏହା ଜାଣିବାକୁ ପୁଲିସ ଉଦ୍ୟମ ଚଳାଇଛି । ଯେଉଁଦିନ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଅର୍ଥାତ ଅଗଷ୍ଟ ୬ରେ କେମିତି ଥିଲା ଛାତ୍ରୀଙ୍କ ଆଚରଣ ଓ ବ୍ୟବହାର? ପେଟ୍ରୋଲ ପମ୍ପ୍ରେ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ଅବା ଡିଜେଲ ଦେବାକୁ କଟକଣା ଥିବା ବେଳେ ସେ ପେଟ୍ରୋଲ ଆଣିଲେ କେଉଁଠାରୁ? ଦିଆସିଲି କେଉଁଠାରୁ ଆଣିଲେ? ଅଗଷ୍ଟ ୬ ଓ ୫ ତାରିଖ ରାତି ମଧ୍ୟରେ କ’ଣ ସବୁ ଘଟଣା ଘଟିଥିଲା ଘର ଆଖପାଖରେ ପୁଲିସ ସିସିଟିଭି ଫୁଟେଜ୍ରୁ ତାହା ଜାଣିବାକୁ ଚେଷ୍ଟା କରୁଛି । ପୁଲିସର ତଦନ୍ତ ମୃତା ଛାତ୍ରୀଙ୍କ ବାପା-ମା’ଙ୍କ ପାଖରେ ଏଯାଏ ଘୂରି ବୁଲୁଛି । ଯେଉଁମାନେ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ପାଖରେ ଥିଲେ । ଅପରପକ୍ଷରେ, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର ଶନିବାର କେନ୍ଦ୍ରାପଡ଼ାରେ ପହଞ୍ଚି ଘଟଣା ସମ୍ପର୍କରେ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି ।
ମୃତା ଛାତ୍ରୀଙ୍କ ବାପା ଶଶିକାନ୍ତ ପରିଡ଼ା ଘଟଣା ଦିନ ସକାଳ ୭ଟାରେ ପତ୍ନୀଙ୍କ ସହ ପଟ୍ଟାମୁଣ୍ଡାଇ ବଜାରକୁ ଯାଇ ସକାଳ ସାଢ଼େ ୧୧ଟାରେ ଫେରିବା କଥା ପୁଲିସକୁ କହିଛନ୍ତି ତାହା ସତ କି ନାହିଁ ପୁଲିସ ଜାଣିବାକୁ ଚେଷ୍ଟା କରୁଛି । ସେମାନେ ବାହାରୁ କବାଟ ଦେଇ ଯାଇଥିଲେ ନା ବୟାନ ମୁତାବକ ଘରେ ପହଞ୍ଚିବା ପରେ ଭିତରୁ କବାଟ ବନ୍ଦ ଥିବା ଦେଖିଥିଲେ? ଶଶିକାନ୍ତ, ତାଙ୍କ ପତ୍ନୀ ଓ ଝିଅଙ୍କ ବାଦ୍ ଅନ୍ୟ କେଉଁମାନେ ଅପରାଧ ଘଟିବା ସମୟରେ ତାଙ୍କ ଘରକୁ ଯିବା-ଆସିବା କରିଥିଲେ ତା’ ମଧ୍ୟ ଯାଞ୍ଚ୍ କରୁଛି ପୁଲିସ । ପୁଲିସ ଗତକାଲି ବିଳମ୍ବିତ ରାତିରେ ଶଶିକାନ୍ତ ଓ ତାଙ୍କ ପତ୍ନୀଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲା ଓ ପରେ ସକାଳେ ଆଣି ଛାଡ଼ି ଦେଇଥିଲା ।
ଶନିବାର ଚତୁର୍ଥ ଦିନରେ ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ କ୍ରାଇମ୍ ସ୍ପଟ୍କୁ ଯାଇ ଛାନ୍ଭିନ୍ କରିଛନ୍ତି । ରାଷେଇ ଘର ପାଖରେ ଥିବା ଏକ ପ୍ରକୋଷ୍ଠରେ କାହିଁକି କବାଟ ନାହିଁ ପୁଲିସ ସେ କଥା ବି ପଚାରି ବୁଝିଛି । ଶଶିକାନ୍ତ ଓ ପତ୍ନୀଙ୍କୁ ପୁଲିସ ଏକାଠି ବସାଇ ଘରେ ପଚରାଉଚରା କରିଥିଲା । ସେମାନେ ଛାତ୍ରୀଙ୍କ ମୃତ୍ୟୁ ପୂର୍ବରୁ କାହା କାହା ସହ ଫୋନ୍ରେ କଥା ହୋଇଥିଲେ ଓ ସେତେବେଳେ ଗୁଜରାଟରେ ରହୁଥିବା ତାଙ୍କ ପୁଅ ସହ କଥା ହୋଇଥିଲେ କି? ଝିଅର ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ ତାଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ କରିଛନ୍ତି । ଶଶିକାନ୍ତଙ୍କ ଫୋନ୍ ପୁଲିସ ଜବତ କରିଛି । ଛାତ୍ରୀଙ୍କ ବାପା ଗୁରୁବାର ଦାଏର କରିଥିବା ଏତଲାରେ ତାଙ୍କ ପ୍ରେମିକ, ବ୍ଲାକ୍ମେଲ୍ ବା ପୁଲିସ ଅବହେଳା ସମ୍ବନ୍ଧରେ କିଛି ଲେଖିନଥିଲେ । ଅଥଚ ଗଣମାଧ୍ୟମରେ ସେ ଝିଅକୁ ତଥାକଥିତ ପ୍ରେମିକ ବ୍ରେକଅପ୍ ପରେ ବ୍ଲାକ୍ମେଲ୍ କରୁଥିବା ବୟାନ ଦେଇଥିଲେ । ତେଣୁ ତାଙ୍କୁ ସାନି ଏତଲା ଦେବାକୁ ପୁଲିସ ଶୁକ୍ରବାର କହିଥିଲା । ଶନିବାର ସନ୍ଧ୍ୟାରେ ଶଶିକାନ୍ତ ଓ ତାଙ୍କ ପୁଅ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ସାନି ଏତଲା ଦାଏର କରିଥିବା ସୂଚନା ମିଳିଛି । ଏତଲାରେ ପ୍ରେମିକ ପ୍ରମୋଦ ବେହେରାଙ୍କ ବିରୋଧରେ ବ୍ଲାକ୍ମେଲ୍ ଅଭିଯୋଗ ରହିଥିବା ଜଣାପଡ଼ିଛି ।
ଏଣେ ପୁଲିସ ହେପାଜତରେ ଥିବା ପ୍ରେମିକ ପ୍ରମୋଦ ବେହେରାଙ୍କ ମୋବାଇଲ ଫୋନ୍କୁ ମଧ୍ୟ ପୁଲିସ ଜବତ କରିଛି । ତାଙ୍କ ମୋବାଇଲ ଫୋନ୍ରେ ମୃତା ଛାତ୍ରୀଙ୍କର କିଛି ଆପତ୍ତିଜନକ ଭିଡିଓ ଏବଂ ଫଟୋ ଥିବା ପୁଲିସ ସୂଚନା ଦେଇଛି । ତାଙ୍କ ହ୍ୱାଟ୍ସଆପ୍ ଚାଟିଂ ଓ ଭିଡିଓ କଲ୍ ରେକର୍ଡ ମଧ୍ୟ ପୁଲିସ ପାଇଛି । ପ୍ରମୋଦଙ୍କ ପରିବାର ଗତକାଲି ଛାତ୍ରୀଙ୍କ ପରିବାର ବିରୋଧରେ ଗଣମାଧ୍ୟମରେ ଅଭିଯୋଗ ଆଣି ଏହାକୁ ହତ୍ୟା ଓ ଅନରକିଲିଂ ବୋଲି କହି ତାଙ୍କ ପୁଅକୁ ଫସାଇ ଦିଆଯାଇଥିବା ଦର୍ଶାଇଥିଲେ । ସେମାନେ ମଧ୍ୟ ଏନେଇ ଥାନାରେ ଏତଲା ଦେବାକୁ ଯୋଜନା କରୁଥିବା ସୂଚନା ମିଳିଛି ।
କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ଆମ ପାଖରେ ତଦନ୍ତର କିଛି ନୂଆ ଦିଗ ରହିଛି । ସିସିଟିଭି ଫୁଟେଜ୍ ଜବତ କରିଛୁ । ଏଥିରୁ କିଛି ତଥ୍ୟ ମିଳିବ ବୋଲି ଆଶା କରୁଛୁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ଜଣାପଡ଼ିବ ।