ନୂଆଦିଲ୍ଲୀ,୮।୧: ନିର୍ବାଚନ ଜିତିବାକୁ ମାଗଣା ଯୋଜନା। ଏହି ପରମ୍ପରା ଦିନକୁ ଦିନ ବଢିବାରେ ଲାଗିଛି । କେବଳ ଗୋଟିଏ ରାଜ୍ୟର ନୁହେଁ, ଦେଶର ଅନେକ ରାଜ୍ୟରେ ଚାଲିଛି। ହେଲେ କୋର୍ଟର ବିଚାରପତିଙ୍କ ଦରମା ଓ ପେନସନ୍ ବଢାଇବାକୁ ଟଙ୍କା ନାହିଁ। ଏବେ ଏହି କଲଚରକୁ ନେଇ ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ।
ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ତା ପୂର୍ବରୁ ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା। କୋର୍ଟ କହିଛନ୍ତି ରାଜ୍ୟ ପାଖରେ ମାଗଣା ଯୋଜନା ନାଁରେ ବାଣ୍ଟିବାକୁ ଟଙ୍କା ଅଛି। ହେଲେ ବିଚାରପତିଙ୍କୁ ଦରମା ଓ ପେନସନ୍ ବଢାଇବା ବେଳେ ଆର୍ଥିକ ସମସ୍ୟା ଦେଖା ଦେଉଛି। ଏହା କେବଳ ଗୋଟିଏ ରାଜ୍ୟର ନୁହେଁ, ଦେଶର ଅନେକ ରାଜ୍ୟରେ ଏହି ଫ୍ରିବିଜ ବା ମାଗଣା ଯୋଜନା ରହିଛି। ଏଭଳି କଲଚର ସେମାନଙ୍କୁ ନିର୍ବାଚନରେ ମଧ୍ୟ ଲାଭ ଦେଉଛି। ମାଗଣାରେ ବଣ୍ଟା ଯାଉଥିବା ଟଙ୍କା ଓ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେଉଁମାନେ କିଛି କାମ କରୁ ନାହାନ୍ତି ସେମାନଙ୍କ ପାଇଁ ସରକାରଙ୍କ ଟଙ୍କା ଅଛି। ହେଲେ ବିଚାରପତିଙ୍କ ଦରମା ଏବଂ ପେନସନ କଥା ଉଠିଲେ ବାହାନା ଦେଖାଉଛନ୍ତି ।
ଅଲ ଇଣ୍ଡିଆ ଜଜ ଆସୋସିଏସନ ନାମକ ଏକ ସଂଗଠନ ୨୦୧୫ରେ ଏହି ଆବେଦନ ଦାଖଲ କରିଥିଲା। ଏଥିରେ ବିଚାରପତିଙ୍କ ସ୍ୱଳ୍ପ ବେତନ ଏବଂ ଅବସର ପରେ ଉପଯୁକ୍ତ ପେନସନ ନ ଦିଆଯିବା ନେଇ ଅଭିଯୋଗ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର ଗଭଇଙ୍କ ନେତୃତ୍ୱାଧିନ ଗଠିତ ଖଣ୍ଡପୀଠ ଏହା କହିଛନ୍ତି। କୋର୍ଟ କହିଛନ୍ତି, ର୍ନିବାଚନ ଆସିବା ମାତ୍ରେ ଆସୁଛି 'ଲଡକି ବହିନ' ଭଳି ଯୋଜନା । ହିତାଧିକାରୀଙ୍କୁ ପ୍ରତିମାସରେ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି ମହାରାଷ୍ଟ୍ରର ମହାୟୁତି ସରକାର। କିନ୍ତୁ ଜଜ୍ଙ୍କ ଦରମା ଓ ପେନ୍ସନ୍ କଥା ଆସିଲେ ଆର୍ଥିକ ସମସ୍ୟା ବାହାନା ଦେଖାଉଛନ୍ତି। ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣି କହିଛନ୍ତି, ସରକାର ଦେଇଥିବା ଫ୍ରିବିଜ ବା ମାଗଣା ଯୋଜନା ଏକ ସାମୟିକ ବ୍ୟବସ୍ଥା। ଦରମା ଏବଂ ପେନସନ ବୃଦ୍ଧି ଏକ ସ୍ଥାୟୀ ଜିନିଷ। ରାଜସ୍ୱ ଉପରେ ଏହାର ପ୍ରଭାବକୁ ବିଚାର କରିବା ଜରୁରୀ। ସେପେଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ତେବେ ନିର୍ବାଚନ ପୂର୍ବରୁ ଜାରି ରହିଛି ମାଗଣା ଯୋଜନାର ଘୋଷଣା। କ୍ଷମତାରେ ଆସିଲେ ମହିଳାମାନଙ୍କୁ ପ୍ରତିମାସରେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଆମ ଆଦମୀ ପାର୍ଟି।‘ମହିଳା ସମ୍ମାନ ଯୋଜନା'ରେ ପ୍ରତି ମାସରେ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଛି ଆପ୍। ସେପଟେ ଘୋଷଣା କରିଛି କଂଗ୍ରେସ 'ପ୍ୟାରୀ ଦିଦି ଯୋଜନା' । ଏହା ଜରିଆରେ ପ୍ରତିମାସରେ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି କଂଗ୍ରେସ।