ପ୍ରମୂଖ ଖବର
  • ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା, ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଅନୁମତି
  • ||
  • ସ୍କୁଟି ରଖି ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ, ଭାସୁଛି ମୃତଦେହ
  • ||
  • ମଙ୍ଗଳବାର ୪ ଜିଲ୍ଲା ଗସ୍ତ କରିବେ ନବୀନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ପଚାରି ବୁଝିବେ
  • ||
  • ଦକ୍ଷିଣ ଇଥୋପିଆରେ ଭୟଙ୍କର ସଡକ ଦୁର୍ଘଟଣା, ନଦୀକୁ ଟ୍ରକ ଖସି ୭୧ ଜଣଙ୍କ ମୃତ
  • ||
  • ରାଜ୍ୟରେ ଜିରୋ ନାଇଟ୍‌ରୁ ବଢ଼ିବ ଶୀତ,ଆଗାମୀ ତିନି ଦିନରେ ୩ରୁ ୫ ଡିଗ୍ରୀ ଖସିବ ରାତି ତାପମାତ୍ରା
  • ||

ରାଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା ଦିବସ , ଅଭିନବ ରୂପରେ ସଜେଇ ହୋଇଛି ସଂଗ୍ରହାଳୟ

Published By : Anindita | December 29, 2024 9:24 AM

ଭୁବନେଶ୍ୱର,୨୯/୧୨: ଆଜି ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସ । ଏଥିପାଇଁ ସଂଗ୍ରହାଳୟ ପରିସରକୁ ଅଭିନବ ଢଙ୍ଗରେ କରାଯାଇଛି ସୁସଜ୍ଜିତ  । ଆଜି କି କାଲି ନୁହେଁ, ଗତ ଏକ ମାସ ହେଲା ଏଥିପାଇଁ ପ୍ରସ୍ତୁତି ଚାଲିଥିଲା । ଫଳରେ ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟ ସମ୍ପୂର୍ଣ୍ଣ ନୂଆ ରୂପରେ ଶୋଭାପାଉଛି । ଅନ୍ୟପକ୍ଷରେ ଆସନ୍ତା ୮ରୁ ୧୦ ତାରିଖ ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହେବାକୁ ଥିବାରୁ ଏହି ସଂଗ୍ରହାଳୟ ପ୍ରବାସୀମାନଙ୍କୁ ବେଶ୍‌ ଆକର୍ଷିତ କରିବ । ଏଥିପାଇଁ ଜୋରସର ଚାଲିଛି ପ୍ରସ୍ତୁତି । ସଂଗ୍ରହାଳୟର ମୁଖ୍ୟ ପ୍ରବେଶ ପଥରୁ ଆରମ୍ଭ କରି ଏହାର ପରିସରକୁ ବିଭିନ୍ନ ପ୍ରକାର ଫୁଲ, ଫୁଲଦାନୀ ଓ ଫୁଲଗଛରେ ସଜାଇ ଦିଆଯାଇଛି । ଏଥିସହ ଫୁଲ ଗଛ ରଖି ୨୦ଟି ତୋରଣ ନିର୍ମାଣ କରାଯାଇଛି । ଚଲାପଥଗୁଡ଼ିକ ମରାମତି କରାଯାଇ ଗାଢ଼ ଲାଲ ରଙ୍ଗ ଦିଆଯାଇଛି । ଉଭୟ ପଟେ ବହୁ ସଂଖ୍ୟାରେ ଫୁଲକୁଣ୍ଡ ରଖାଯାଇ ସମଗ୍ର ପରିସରକୁ ଫୁଲରେ ଭର୍ତ୍ତି କରାଯାଇଛି । ଫୁଲର ଏହି ଆକର୍ଷଣ ଦର୍ଶକଙ୍କୁ ସଂଗ୍ରହାଳୟକୁ ଟାଣି ଆଣୁଛି । ସଂଗ୍ରହାଳୟ ମୁଖ୍ୟ ପ୍ରବେଶ ପଥରେ ଏକ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି । ଏହାର ତିନି ପାଶ୍ୱର୍ କାନ୍ଥରେ ବିଶାଳ ଡିଜିଟାଲ ସ୍କ୍ରିନ୍‌ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ ଭଡିଓ ମାଧ୍ୟମରେ ପ୍ରଦର୍ଶିତ ହେବ । ଛୋଟ ପିଲାମାନେ ମନୋରଞ୍ଜନ ପାଇଁ ବିକ୍ରମ ବେତାଳ ଭିଡିଓ ଦେଖିବାକୁ ପାଇବେ । 

ପ୍ରବେଶ ଦ୍ୱାର ଭିତରେ ଥିବା ବରଗଛ ଓହଳରେ ବିଭିନ୍ନ ରଙ୍ଗର ଅର୍କିଡ ଫୁଲ କୁଣ୍ଡ ଖଞ୍ଜାଯାଇଛି । ସଂଗ୍ରହାଳୟ ଭିତର କାନ୍ଥ ରଙ୍ଗ ଦିଆଯିବା ସହ ପାଚେରିକୁ ଚିତ୍ରିତ କରାଯାଇଛି । ଏଥିରେ ଆମ ଓଡ଼ିଆ ସଂସ୍କୃତି ସହିତ ଜଡ଼ିତ ବିଭିନ୍ନ ଚିତ୍ର, ଝୋଟି, ଚାନ୍ଦୁଆ ଓ ପାରମ୍ପରିକ ଚିତ୍ର ରହିଛି । ସଂଗ୍ରହାଳୟ ପରିସରରେ ଜଳ ଫୁଆର ରହିଛି । ପ୍ରାଚୀନ ରାଣୀକୁଣ୍ଡ ଓ ରାଜାକୁଣ୍ଡକୁ ମରାମତି କରାଯାଇ ସଜେଇ ଦିଆଯାଇଛି । ମୁଖ୍ୟ ପ୍ରବେଶ ଦ୍ୱାରା ପାଶ୍ୱର୍ରେ ଏକ କୃତ୍ରିମ ଝରଣା କରାଯାଇଛି । ଏଥିରେ ପ୍ରବାହିତ ଜଳ ନିକଟସ୍ଥ ଫୁଆରାରେ ପଡୁଛି । ଦର୍ଶକଙ୍କ ଗାଡ଼ି ପାର୍କିଂ ପାଇଁ ନୂଆ ପାର୍କିଂସ୍ଥଳ ନିର୍ମାଣ କରାଯାଇଛି ଓ ପେଭର ବ୍ଲକ ବିଛାଯାଇଛି । ଘାସ ଓ ଫୁଲର ଗାଲିଚା ଭିତରେ ଏକ ସ୍ୱତନ୍ତ୍ର ମଣ୍ଡପ ତିଆରି ହୋଇଛି । ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର କାଫେଟେରିଆ ଖୋଲାଯାଇଛି, ଯେଉଁଠି ସେମାନେ ଚା, କଫି, ଥଣ୍ଡା ପାନୀୟ, ସ୍ନାକ୍ସ ଓ ମିଲେଟ ଖାଦ୍ୟର ମଜା ନେଇପାରିବେ । 

ଦର୍ଶକଙ୍କ ମନୋରଞ୍ଜନ ପାଇଁ ଦୁଇଟି ବିଶାଳ ଡାଇନେସର ନିର୍ମାଣ କରାଯାଇଛି । ସ୍ୱୟଂଚାଳିତ ଯନ୍ତ୍ର ଦ୍ୱାରା ନିୟନ୍ତ୍ରିତ ଏହି ଡାଇନେସର ଦୁଇଟି ପାଟି ପାକୁ ପାକୁ କରିବା ସହ ମୁଣ୍ଡ ଓ ଦେହକୁ ହଲାଇ ଭୟଙ୍କର ରଡ଼ି ଛାଡୁଛନ୍ତି । ଅନୁରୂପ ଭାବେ ଫାଇବରରେ ନିର୍ମିତ ହାତୀ ଓ ଘୋଡ଼ା ଆଦି ଦେଖିବାକୁ ମିଳୁଛି । କୃତ୍ରିମ ଘାସରେ ମା’ ଓ ଛୁଆଙ୍କ ମୂର୍ତ୍ତି ନିର୍ମାଣ ହୋଇଛି । ଦର୍ଶକମାନେ ସଂଗ୍ରହାଳୟ ପରିସରରେ ଫଟୋ ଓ ସେଲ୍ଫି ଉଠାଇ ଖୁସି ହେଉଛନ୍ତି । ରାଜ୍ୟ ସଂଗ୍ରହାଳୟର କାର୍ଯ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶରେ ପୂର୍ତ୍ତ ବିଭାଗ ହାତକୁ ନେଇଥିଲା । ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ଇଂ.ଅଶୋକ କୁମାର ଗିରି ଓ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ନମ୍ବର୧ର ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରଭୂଦତ୍ତ ପ୍ରଧାନ, କଳ୍ପନା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ.ବାବୁଲା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଛି । ରାଜ୍ୟ ସଂଗ୍ରହାଳୟ ସୁପରିଣ୍ଟେଣ୍ଡେଣ୍ଟ ଭାଗ୍ୟଲିପି ମଲ୍ଲ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.