ଭୁବନେଶ୍ୱର : ବିଶିଷ୍ଟ ଗବେଷକ ଲକ୍ଷ୍ମୀଧର ସାହୁଙ୍କ ଗବେଷଣାତ୍ମକ ପୁସ୍ତକ ‘ଶ୍ରୀଜଗନ୍ନାଥଙ୍କ ମାମୁଘର' ଓ ଶିଶୁସାହିତ୍ୟିକ ବିଜୟ କୁମାର ମହାନ୍ତିଙ୍କ ଶିଶୁ ଓ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥଙ୍କ ମାମୁଘର’ର ଲୋକାର୍ପଣ ହୋଇଯାଇଛି । ପ୍ରାଚୀକ୍ଷେତ୍ରର ଆରାଧ୍ୟ ଦିଅଁ ନିଆଳି-ମାଧବର ଶ୍ରୀଶ୍ରୀମାଧବାନନ୍ଦଜୀଉଙ୍କ ପୀଠରେ ବିଶିଷ୍ଟ ସନ୍ଥ ସ୍ୱାମୀ ଶୁଦ୍ଧାନନ୍ଦ ଗିରିଙ୍କ ହାତରେ ଏହା ଲୋକାର୍ପିତ ହୋଇଛି ।
ଏହି ଦୁଇଟି ପୁସ୍ତକ ମହାପ୍ରଭୁଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ସମର୍ପଣ ପରେ ଶ୍ରୀଗରୁଡଙ୍କ ନିକଟରେ ସ୍ୱାମିଜୀ ଏହାର ଉନ୍ମୋଚନ କରିଛନ୍ତି । ଏହି ଉତ୍ସବରେ ସଂଯୋଜନା କରିଥିଲେ ତ୍ରିଲୋଚନ ପୁଷ୍ପାଳକ । ଏଥିରେ ଲେଖକ ରାଜକିଶୋର ନନ୍ଦ , ଲକ୍ଷ୍ମୀଧର ସାହୁ , ଚିତ୍ତରଞ୍ଜନ ପାତ୍ର , ଭାସ୍କର ପୁଷ୍ପାଳକ , ଲକ୍ଷ୍ମୀଧର ପୁଷ୍ପାଳକ , ବିଜୟ ପରିଡ଼ା ଓ ଅକ୍ଷୟ ପରିଡ଼ାଙ୍କ ସମେତ ସେବକ ନିଯୋଗର ବହୁ ସେବାୟତ ଯୋଗଦେଇଥିଲେ ।
ଲକ୍ଷ୍ମୀଧର ସାହୁଙ୍କ ‘ଶ୍ରୀଜଗନ୍ନାଥଙ୍କ ମାମୁଘର ‘ ଏକ ଗବେଷଣା ପୁସ୍ତକ , ଯେଉଁଥିରେ ଶ୍ରୀକ୍ଷେତ୍ର ସହ ଶ୍ରୀଜଗନ୍ନାଥଙ୍କ ମଉଳାଘର ସମ୍ପର୍କ ନେଇ ବହୁ ମୂଲ୍ୟବାନ ତଥ୍ୟ ରହିଛି । ଶିଶୁ ଓ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥଙ୍କ ମାମୁଘର’ ପିଲାଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗରଣ ଉଦ୍ଦେଶ୍ୟରେ ଏକ ସଫଳ ପ୍ରୟାସ ।