ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଜେଲ୍‌ରୁ ବାହାରିଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ, ସାରା ରାତି ଜେଲରେ କାଟିବା ପରେ ମୁକୁଳିଲେ

Published By : Prameya | December 14, 2024 8:28 AM

ହାଇଦ୍ରାବାଦ,୧୪/୧୨: ହାଇଦ୍ରାବାଦ ସେଣ୍ଟ୍ରାଲ୍ ଜେଲ୍‌ରୁ ବାହାରିଲେ ଅଲ୍ଲୁ ଅର୍ଜ୍ଜୁନ। ତେଲଙ୍ଗାନା ହାଇକୋର୍ଟରୁ ଜାମିନ୍ ମିଳିଥିଲେ ସୁଦ୍ଧାଜେଲ୍‌ରେ  ଗୋଟିଏ ରାତି କାଟି  ଥିଲେ ଅଲ୍ଲୁ। ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିଲେ।

ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ପୁଷ୍ପା -୨ ଫିଲ୍ମ ସ୍କ୍ରିନିଂ ବେଳେ ହୋଇଥିବା  ଦଳାଚକଟା ମାମଲାରେ ଶୁକ୍ରବାର ତେଲଙ୍ଗାନା ପୁଲିସ ସାଉଥ୍‌ ସୁପରଷ୍ଟାର  ଅଲ୍ଲୁ ଅର୍ଜୁନଙ୍କୁ ହଠାତ୍‌ ଗିରଫ କରିବା  କରିବା ଘଟଣାକୁ ନେଇ କଳାକାର ଓ  ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଥିଲେ ।  ଗିରଫ ପରେ ତାଙ୍କୁ ନାମପାଲ୍ଲୀ  କୋର୍ଟରେ ହାଜର କରାଯାଇଥିଲା ।  ତଳକୋର୍ଟ ତାଙ୍କୁ ୧୪ ଦିନ ପାଇଁ  ବିଚାର ବିଭାଗୀୟ ହାଜତକୁ ପଠାଇ  ଦେଇଥିଲେ । ତେବେ ଏହାର ଠିକ୍‌  ଘଣ୍ଟାକ ପରେ ହାଇକୋର୍ଟ ତାଙ୍କୁ ଜାମିନ  ପ୍ରଦାନ କରିଥିଲେ । ଯାହାଫଳରେ  ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁ ଆଶ୍ୱସ୍ତ  ହୋଇଥିଲେ । ତେବେ ହାଇକୋର୍ଟଙ୍କ  ରାୟ ଜେଲ୍‌ରେ ପହଞ୍ଚିବା ବେଳକୁ ରାତି  ହୋଇଯାଇଥିଲା । ଯାହାଫଳରେ ସେ ଜେଲ୍‌ରୁ ବାହାରି ପାରିନାହାନ୍ତି । ଶନିବାର  ସକାଳେ ଜେଲ୍‌ରୁ ମୁକ୍ତ ହୋଇଛନ୍ତି।

ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବାକୁ  ନେଇ ଶୁକ୍ରବାର ବେଶ୍‌ ନାଟକୀୟ ପରିସ୍ଥିତି  ଦେଖିବାକୁ ମିଳିଥିଲା । ତେଲଙ୍ଗାନାର  ଏକ ପୁଲିସ ଟିମ୍‌ ଶୁକ୍ରାବର ସକାଳେ ତାଙ୍କ ଘରେ ପହଞ୍ଚିଥିଲା । ସେଠାରୁ ତାଙ୍କୁ  ଉଠାଇ ଆଣି ଚିକଡପଲ୍ଲୀ ଥାନାରେ  ରଖିଥିଲା । ଥାନାରେ ପଚରାଉଚୁରା  ପରେ ମଧ୍ୟାହ୍ନ ୧୨ଟାରେ ତାଙ୍କୁ ଗିରଫ  କରାଯାଇଥିଲା । ପରେ ଗାନ୍ଧୀ ହସ୍ପିଟାଲକୁ  ନେଇ ତାଙ୍କର ମେଡିକାଲ ଚେକ୍‌ କରାଯିବା  ସହ ଅପରାହ୍ନ ୪ଟାରେ ନାମପଲ୍ଲୀ  କୋର୍ଟରେ ହାଜର କରାଇଥିଲା ପୁଲିସ ।  କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ  ବିଚାର ବିଭାଗୀୟ ହାଜତକୁ ପଠାଇବାକୁ  ନିର୍ଦ୍ଦେଶ ଦେଇଥିଲେ । 

ଯାହାଫଳରେ ତାଙ୍କୁ ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲ୍‌କୁ ନିଆଯାଇଥିଲା । ସେପଟେ ଅଲ୍ଲୁ ଅର୍ଜୁନଙ୍କ ଓକିଲ  ତେଲଙ୍ଗାନା ହାଇକୋର୍ଟରେ ପିଟିସନ ଫାଇଲ  କରି ତୁରନ୍ତ ଶୁଣାଣି ଲାଗି ଅନୁରୋଧ କରିଥିଲେ ।  ହାଇକୋର୍ଟ ଅପରାହ୍ନ ୫ଟାରେ ମାମଲାର ଶୁଣାଣି  କରିଥିଲେ । ହାଇକୋର୍ଟରେ ଶୁଣାଣି ସମୟରେ ତାଙ୍କ  ଓକିଲ ୨୦୧୭ରେ ଅଭିନେତା ଶାହରୁଖ ଖାନଙ୍କ ରଇସ୍‌ ଫିଲ୍ମ ସମୟର ଉଦାହରଣ ଦେଇଥିଲେ।  ସେ କହିଥିଲେ ଫିଲ୍ମ ପ୍ରସାର ପାଇଁ ଗୁଜରାଟ ଯାଇଥିଲା ବେଳେ ଶହରୁଖ ନିଜର ଟି-ସାର୍ଟ ଫିଙ୍ଗି ଥିଲେ ।  ଯାହାଫଳରେ ସେଠାରେ ଦଳାଚକଟା ଘଟିଥିଲା । ହେଲେ ଗୁଜରାଟ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ  ଶାହରୁଖଙ୍କୁ ଆଶ୍ୱସ୍ତି ଦେଇଥିଲେ । ହାଇକୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ୪ ସପ୍ତାହ ପାଇଁ ଅଲ୍ଲୁ  ଅର୍ଜୁନଙ୍କୁ ଜାମିନ ପ୍ରଦାନ କରିଥିଲେ । ଶୁଣାଣି  ସମୟରେ ବିଚାରପତି ଜୁଭାଡି ଶ୍ରୀଦେବୀ କହିଥିଲେ  ଅଭିନେତାଙ୍କର ମଧ୍ୟ ଜୀବନଧାରଣ କରିବାର  ଅଧିକାର ରହିଛି । ନିଜ ଫିଲ୍ମର ପ୍ରିମିୟର ପାଇଁ  ସେ ସେଠାକୁ ଯାଇଥିଲେ । ସେଥିପାଇଁ ଦଳାଚକଟା  ଲାଗି ତାଙ୍କୁ ଦାୟୀ କରାଯାଇପାରିବ ନାହିଁ । ସେ  ଜଣେ ଅଭିନେତା । ତାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ  କରାଯାଇପାରିବ ନାହିଁ । ପୃଥିବୀର ଜଣେ ନାଗରିକ  ଭାବେ ତାଙ୍କର ମଧ୍ୟ ଜୀବନ ଧାରଣ ଓ ସ୍ୱାଧୀନତାର  ଅଧିକାର ରହିଛି । 

ତେଲଙ୍ଗାନା ସରକାରଙ୍କ ଓକିଲ ଯୁକ୍ତି  ବାଢ଼ିଥିଲା ଯେ ଏଭଳି ଏକ ଘଟଣା ଘଟିବ ବୋଲି  ଅଲ୍ଲୁ ଅର୍ଜୁନ ଭଲ ଭାବେ ଜାଣି ମଧ୍ୟ ସେଠାକୁ  ଯାଇଥିଲେ । ତେଣୁ ଯେଉଁ ଦୁର୍ଘଟଣା ଘଟିଲା  ସେଥିପାଇଁ ସେ ଦାୟୀ । ତା’ଛଡା ପୁଲିସ ମଧ୍ୟ  ଭିଡ ଆଶଙ୍କା ପ୍ରକାଶ କରିବା ସହ ଅଭିନେତାଙ୍କୁ  ନ ଆଣିବା ଲାଗି ଥିଏଟର ମାଲିକଙ୍କୁ ପରାମର୍ଶ  ଦେଇଥିଲା । କିନ୍ତୁ ସେ ପୁଲିସର ପରାମର୍ଶ ମାନି  ନଥିଲେ । ତେବେ ହାଇକୋର୍ଟ ସରକାରଙ୍କ ଏଭଳି  ଯୁକ୍ତିକୁ ଖାରଜ କରିଦେଇଥିଲେ । କହିଥିଲେ ପୁଲିସ ଠାରୁ ସେ ଅନୁମତି ନେଇଥିଲେ । ତେବେ ତାଙ୍କ  ବିରୋଧରେ ରୁଜୁ ଏଫଆଇଆରକୁ ରଦ୍ଦ କରିବା  ଲାଗି ଅଲ୍ଲୁ ଅର୍ଜୁନଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ।  କିନ୍ତୁ ସରକାରୀ ଓକିଲ କହିଥିଲେ ଯେହେତୁ ସେ  ଗିରଫ ହୋଇସାରିଛନ୍ତି ତେଣୁ ବର୍ତ୍ତମାନ ପରିସ୍ଥିତିରେ  ତାହା ସମ୍ଭବ ନୁହେଁ । ଉଭୟ ପକ୍ଷର ଯୁକ୍ତି ଶୁଣିବା  ପରେ ବିଚାରପତି ୫୦ ହଜାର ଟଙ୍କାର ବ୍ୟକ୍ତିଗତ  ବେଲ୍‌ବଣ୍ଡରେ ଜାମିନ ପ୍ରଦାନ କରିଥିଲେ । ଏଥିସହ  ତଦନ୍ତରେ ସହଯୋଗ କରିବେ ଏବଂ ସାକ୍ଷୀମାନଙ୍କୁ  ପ୍ରଭାବିତ କରିବେ ନାହିଁ ବୋଲି ବିଚାରପତି ସର୍ତ୍ତ  ରଖିଥିଲେ । କିନ୍ତୁ ଜାମିନି ମିଳିବା ସତ୍ତେ୍ୱ ମଧ୍ୟ ଅଲ୍ଲୁ  ଅର୍ଜୁନ ଜେଲ୍‌ରୁ ବାହାରିପାରିନାହାନ୍ତି । ଜେଲ୍‌ର  ଜଣେ ଅଧିକାରୀ କହିଛନ୍ତି ହାଇକୋର୍ଟଙ୍କ ଜାମିନ  ରାୟ ମିଳିବା ବେଳକୁ ରାତି ହୋଇଯାଇଥିଲା । ଜେଲ୍‌  ମାନୁଆଲ ଅନୁସାରେ ରାତିରେ କାହାକୁ ଛଡାଯାଇ  ନଥାଏ । ତେଣୁ ଶନିବାର ସକାଳେ ଅଲ୍ଲୁ ଅର୍ଜୁନଙ୍କୁ  ଜେଲ୍‌ରୁ ଛଡ଼ାଯାଇଛି।


ଅନ୍ୟପକ୍ଷରେ ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦ ପୁଲିସ  ଉପରେ ଜୋର୍‌ଦାର ବର୍ଷିଛନ୍ତି । ତାଙ୍କ ଗିରଫଦାରୀ  ପ୍ରକ୍ରିୟା ଉପରେ ସେ ଆପତ୍ତି ଉଠାଇଛନ୍ତି । କହିଛନ୍ତି  ପୁଲିସ ତାଙ୍କୁ ବେଡ୍‌ରୁମ୍‌ ଭିତରୁ ଗିରଫ କରିବାକୁ  ଯାଇଥିଲା । ଏପରିକି ତାଙ୍କୁ ଜଳଖିଆ ଖାଇବାକୁ  ଦେଇ ନଥିଲା କିମ୍ବା ପୋଷାକ ବଦଳାଇବାକୁ ମଧ୍ୟ  ସୁଯୋଗ ଦେଇନଥିଲା । ସୋସିଆଲ ମିଡିଆରେ  ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଦେଖାଯାଇଛି କି ଅଲ୍ଲୁ ଅର୍ଜୁନ ତାଙ୍କ ଘରର ଉପର  ମହଲାରୁ ଓହ୍ଲାଇ ପାର୍କିଂକୁ ଆସୁଛନ୍ତି । ସେଠାରେ  ପୁଲିସ ଉପସ୍ଥିତ ଅଛନ୍ତି । ଏହି ସମୟରେ  ତାଙ୍କ ଘରୋଇ ସହାୟକ ଦୌଡି ଆସି ଚା ଓ  ପାଣି ଦେଉଛି। ସେଠାରେ ତାଙ୍କ ପତ୍ନୀ ସ୍ନେହା  ରେଡ୍ଡୀଙ୍କୁ ମଧ୍ୟ ଦେଖାଯାଇଛି । ଅଲ୍ଲୁ ଅର୍ଜୁନ ପତ୍ନୀଙ୍କୁ  ବୁଝାଉଛନ୍ତି । ଏହ ପରେ ପୁଲିସ ସହିତ ଯାଉଛନ୍ତି । 

ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା  ଥିଏଟରରେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍କା-୨ ସ୍କ୍ରିନିଂ  ଚାଲିଥିଲା । ଏହି ସମୟରେ ଅଲ୍ଲୁ ଅର୍ଜୁନ ସେଠାରେ  ହଠାତ୍‌ ପହଞ୍ଚିଥିଲେ । ଗେଟ୍‌ ପାଖରେ କାର୍‌ର  ସନରୁଫରେ ସେ ଦର୍ଶକଙ୍କୁ ହାତ ହଲାଇ ଅଭିନନ୍ଦନ  ଜଣାଇଥିଲେ । ସେଠାରେ ଥିବା ପୁଲିସ ଭିଡ ନିୟନ୍ତ୍ରଣ  କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ତାହା ସମ୍ଭବ  ହୋଇନଥିଲା । ଫଳରେ ଅଭିନେତାଙ୍କ ସାନ୍ନିଧ୍ୟ ପାଇବା  ଲାଗି ଦର୍ଶକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।  ପୁଲିସ ଲାଠିମାଡ଼ ମଧ୍ୟ କରିଥିଲା । ଏହି ସମୟରେ କିଛି  ଲୋକ ଅଣନିଶ୍ୱାସୀ ହୋଇ ପଡିଯାଇଥିଲେ । ସେମାନଙ୍କୁ  ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ରେବତୀ ନାମକ  ଜଣେ ୩୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ  ତାଙ୍କର ୯ ବର୍ଷୀୟ ନାବାଳକ ପୁଅ ଶ୍ରୀତେଜା ଗୁରୁତର  ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା  ପରେ ପୁଲିସ ରେବତୀଙ୍କ ସ୍ୱାମୀ ଭାସ୍କରଙ୍କ ଅଭିଯୋଗ  ଆଧାରରେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ବିଏନ୍‌ଏସ୍‌ର  ୧୦୫ ଓ ୧୧୮ (୧)ରେ ମାମଲା ରୁଜୁ କରିଥିଲା ।  ଏଥିସହ ସନ୍ଧ୍ୟା ଥିଏଟରର ମାଲିକ ଏମ୍‌ ସନ୍ଦୀପ,  ମ୍ୟାନେଜର ଏମ୍‌ ନାଗରାଜୁ ଓ ବାଲକୋନି ଇନ୍‌-ଚାର୍ଜ  ଜି. ବିଜୟ ଚନ୍ଦରଙ୍କୁ ଗିରଫକରିଥିଲା । ଅବଶ୍ୟ ପରେ  ଅଲ୍ଲୁ ଅର୍ଜୁନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ  ରେବତୀଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା  ଘୋଷଣା କରିଥିଲେ । ଏଥିସହ ତାଙ୍କ ପରିବାରର ସମସ୍ତ  ଦାୟିତ୍ୱ ମଧ୍ୟ ବହନ କରିବେ ବୋଲି କହିଥିଲେ ।

  

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.