ଢେଙ୍କିକୋଟ,୨୩/୧୦: ଗାଧୋଇବା ବେଳେ ପୋଖରୀର ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ । ମୃତକ ପବନା ମହାକୁଡ଼ଙ୍କ ପତ୍ନୀ କାମିନୀ ମହାକୁଡ଼, ୭ ବର୍ଷର ପୁଅ ମିଥୁନ ଓ ୫ ବର୍ଷର ଝିଅ ସୁନୁକା ମହାକୁଡ଼ ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପାଣୁପଶି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, ଅକ୍ଟୋବର ୨୩ ତାରିଖ ଅର୍ଥାତ ବୁଧାବାର ପୂର୍ବାହ୍ନରେ ଘର ନିକଟରେ ଥିବା ପୋଖରୀକୁ ଦୁଇ ପୁଅ ଝିଅକୁ ନେଇ ମା କାମିନୀ ଗାଧୋଇବା ପାଇଁ ଯାଇଥିଲେ । ମା ଲୁଗା ସଫା କରିବା ସମୟରେ ପୁଅ ଝିଅ ପୋଖରୀର ଗଭୀର ପାଣିରେ ବୁଡି ଯାଇଥିଲେ । ଏହା ଦେଖି ମା ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ବିଫଳ ହୋଇ ମା, ପୁଅ ଏବଂ ଝିଅ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ । ପୋଖରୀ ପାଖରେ ଏକ ଛୋଟ ଛୁଆ ଏହି ଘଟଣା ଦେଖିଥିଲା । ସେ ଘରକୁ ଫେରି ଆସି ଜେଜେମାକୁ ଏହି ଘଟଣା ସମ୍ୱନ୍ଧରେ ଜଣାଇଥିଲା । ଏହା ଜାଣି ଜେଜେମା ଗ୍ରାମବାସୀଙ୍କୁ ଏହି ଘଟଣା ବିଷୟରେ କହିଥିଲେ । ଏହା ଜାଣି ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବହୁ ଉଦ୍ୟମ କରି ପୋଖରୀ ଭିତରୁ ମୃତ ଅବସ୍ଥାରେ ମା ଓ ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ, ଯୋଗେ ସମସ୍ତ ମୃତଦେହକୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି ଗ୍ରାମବାସୀ । ଏନେଇ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।