ମାଲକାନଗିରି,୭।୯: ମାଲକାନଗିରିରେ ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଓଡିଶା ଆଦିବାସୀ ବିକାଶ ସଂସ୍ଥା ଦ୍ୱାରା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପ୍ରୟାସ ଅନୁଷ୍ଠିତ ହୋଇଛି। ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଆଦିବାସୀ ଯୁବକ ଯୁବତୀଙ୍କ ଅନ୍ତର୍ଭୁକ୍ତି ପାଇଁ କ୍ଷେତ୍ରସ୍ତରୀୟ ସମ୍ପର୍କ ଶିବିରରେ ଜିଲ୍ଲାର କାଲିମେଳା, ଚିତ୍ରକୋଣ୍ଡା ଓ ମାଲକାନଗିରି ବ୍ଲକରୁ ଯୁବତୀ ଓ ଯୁବକ ଯୋଗ ଦେଇଛନ୍ତି।
ଉକ୍ତ ଶିବିରରେ ତିନୋଟି ବ୍ଲକରୁ ପ୍ରାୟ ୨୦୦ ରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ଯୋଗ ଦେଇ ପ୍ରୟାସ ତାଲିମ ବିଷୟରେ ଅବଗତ ହୋଇଥିଲେ। ଏହି ଶିବିରରେ ଓଡିଶା ଆଦିବାସୀ ବିକାଶ ସଂସ୍ଥାର ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ପ୍ରକାଶ କୁମାର ପାତ୍ର, ସହଯୋଗୀ ତ୍ରିଦେବେଶ ମିଶ୍ର ଓ ସିଟିଟିସି ଭୁବନେଶ୍ୱରର କାର୍ଯ୍ୟକ୍ରମ ସଂଯୋଜକ ରଞ୍ଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ଓଟିଇଏଲପି ଜିଲ୍ଲା ସଂଯୋଜକ ସଂଯୋଜନା କରିଥିଲେ। ଆଗାମୀ ଦିନରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରୟାସ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ଦେଇ କର୍ମନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ଅଧିକାରୀମାନେ କହିଛନ୍ତି।