ବରଗଡ଼, ୫।୦୬: ହୃଦ୍ଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଛି । ବରଗଡ଼ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ଖବର ଜାଣିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗୁରୁବାର ଅପରାହ୍ନ ୩ଟାରେ ବରଗଡ଼ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପୁତୁରା ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
୧୯୮୦ ମସିହାରେ ବିଜେଡି ଦଳର ବରିଷ୍ଠ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଶ୍ରୀମତୀ ଚାରୁଶୀଳା ଆଚାର୍ଯ୍ୟଙ୍କୁ ବିବାହ କରିଥିଲେ । ଚାରୁଶୀଳା ଆଚାର୍ଯ୍ୟ ଜଣେ ସ୍ନେହୀ ଓ ଧର୍ମପରାୟଣ ମହିଳା ଥିଲେ । ରାଜନୀତିରେ ମଧ୍ୟ ସେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସହଯୋଗ କରୁଥିଲେ । ବିଜେପୁର, ପଦ୍ମପୁର ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ସାମିଲ ହୋଇଥିଲେ ସେ । ମୃତ୍ୟୁ ପରେ ତାଙ୍କର ଚକ୍ଷୁ ଦାନ କରାଯାଇଥିବା ସୂଚନା ମିଳିଛି । ଶେଷ ଦର୍ଶନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।